Landslide in Jammu & Kashmir: ଭୂସ୍ଖଳନରେ ଧୋଇଗଲା ଘର, ଦମ୍ପତିଙ୍କ ସହ ୫ ଛୁଆ ମୃତ

Key Points
ଶନିବାର ଜାମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରିୟାସିରେ ହୋଇଥିବା ଭୂସ୍ଖଳନରେ ୭ ଜଣ ଆଖି ବୁଜିଥିବା ବେଳେ ରାମବନରେ ବାଦଲ ଫଟା ବର୍ଷାରେ ଯାଇଛି ୪ ଜଣଙ୍କ ଜୀବନ ।
ନୂଆଦିଲ୍ଲୀ: ଉତ୍ତର ଭାରତରେ ଜାରି ରହିଛି ପ୍ରକୃତିର ପ୍ରକୋପ । ଶନିବାର ଜାମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରିୟାସିରେ ହୋଇଥିବା ଭୂସ୍ଖଳନରେ ୭ ଜଣ ଆଖି ବୁଜିଥିବା ବେଳେ ରାମବନରେ ବାଦଲ ଫଟା ବର୍ଷାରେ ଯାଇଛି ୪ ଜଣଙ୍କ ଜୀବନ । ଭାରତର ଭୂସ୍ଵର୍ଗ ଜାମ୍ମୁ-କାଶ୍ମୀରରେ ପ୍ରକୃତି ଏବେ ଦାଉ ସାଧି ଜୀବନ ନେଉଛି ।
ରାମବନର ରାଜଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଓ ଉପରମୁଣ୍ଡରେ ବାଦଲ ଫଟା ବର୍ଷା ଫଳରେ ହଠାତ୍ ଜଳ ପ୍ରଳୟ ହୋଇଛି । ଏହି ଘଟଣାରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି । ସେହିଭଳି ରିୟାସି ଜିଲ୍ଲାର ମହୌର ଅଞ୍ଚଳରେ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି ୭ ଜଣ ।
ଭୂସ୍ଖଳନରେ ମୃତ୍ୟୁ ହୋଇଥିବା ୭ ଜଣ ଗୋଟିଏ ପରିବାରର । ଦମ୍ପତିଙ୍କ ସହ ୫ ଛୁଆ ଆଖି ବୁଜିଛନ୍ତି । ଭୂସ୍ଖଳନରେ ସେମାନଙ୍କ ଘର ଧୋଇ ଯାଇଥିଲା । ମାଟି କାଦୁଅ ତଳୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ପ୍ରଶାସନ ଅନୁସାରେ, ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ଅଚାନକ ବନ୍ୟା ଯୋଗୁଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ପ୍ରଶାସନ ରିଲିଫ୍ କେନ୍ଦ୍ର ଖୋଲିଛି । ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନାଳ ଓ ନଦୀର ଜଳସ୍ତର ବୃଦ୍ଧି ପାଇ ଚାଲିଛି ।
📱 Get Argus News App
✨
ଏହା ପୂର୍ବରୁ ଅଗଷ୍ଟ ୧୪ରେ କିସ୍ତୱାଡ଼ ଜିଲ୍ଲାର ଚିଶୋଟି ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ଥିବା ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ୨୦୦ରୁ ଅଧିକ ନିଖୋଜ ଥିଲେ, ଅନେକ ବ୍ରିଜ୍ ଭାସି ଯାଇଥିଲା ।