ସ୍ୱାମୀଙ୍କ ହାତ ଧରି କଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ, ହେଲେ ହଠାତ୍...

Plz...ମୋ ସ୍ୱାମୀଙ୍କୁ ବଞ୍ଚେଇଦିଅ
ଭଗବାନଙ୍କ ପାଇଁ ମୋ ସ୍ୱାମୀଙ୍କୁ ବଞ୍ଚାଇଦିଅ
plz କେହି କିଛି କର
କ'ଣ ସବୁ ହେଇଯାଉଛି...
କାନ୍ଦି କାନ୍ଦି କହୁଛନ୍ତି ମହିଳା । ପାଗେଳି ଭଳି ସ୍ୱାମୀଙ୍କ ଜୀବନ ଭିକ୍ଷା କରୁଛନ୍ତି । ଯେଉଁ ସ୍ୱାମୀଙ୍କ ହାତ ଧରି ଜମ୍ମୁ କଶ୍ମୀର ହନିମୁନ୍ କରିବାକୁ ଆସିଥିଲେ, ସୁନ୍ଦର ସ୍ମୃତି ସାଉଁଟିବେ ବୋଲି ଭାବିଥିଲେ । ହଠାତ୍ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ପରିସ୍ଥିତି ବଦଳିଯାଇଛି । କଶ୍ମୀର ବୁଲି ସ୍ୱାମୀଙ୍କ ସହ ସୁନ୍ଦର ସ୍ମୃତି ସାଉଁଟିବେ କ'ଣ ସ୍ୱାମୀଙ୍କୁ ଯେ ଆଉ ଜୀବନରେ ପାଇବେନି ସେ କଥା ବୁଝିବାକୁ ତାଙ୍କ ପାଖରେ ଆଉ ଧର୍ଯ୍ୟ ନାହିଁ । ଅସହାୟ...ଅବସ୍ଥାରେ ଏଣେ ତେଣେ ବୁଲୁଛନ୍ତି । ଯାହାକୁ ଦେଖୁଛନ୍ତି କହୁଛନ୍ତି ପ୍ଲିଜ୍ ମୋ ସ୍ୱାମୀଙ୍କୁ ବଞ୍ଚେଇଦିଅ ।
📱 Get Argus News App
✨ଯେଉଁଠି କିଛି ସମୟ ପୂର୍ବରୁ ଲୋକଙ୍କ ହସ ଖୁସିରେ ପରିବେଶ ଫାଟି ପଡୁଥିଲା । ସେଠି ଏବେ ରକ୍ତ ଜୁଡୁବୁଡୁ ହୋଇ କିଏ କେଉଁଠି ପଡିଛି ତାହାର ଠିକ୍ ଠିକଣା ନାହିଁ । ସ୍ଥାନ କାଶ୍ମୀରର ପହଲଗାମ । ଫେମସ୍ ବେତାବ ଭ୍ୟାଲିରୁ 10 କିଲୋମିଟର ଦୂରରେ ଅବସ୍ଥିତ ବୈସାରଣ ଭ୍ୟାଲିରେ ପର୍ଯ୍ୟଟକଙ୍କ ଏକ ଗ୍ରୁପ୍ ଟ୍ରେକିଂ କରୁଥିଲେ । ଘୋଡା ଚଢି ପ୍ରକୃତିର ମଜା ନେଉଥିଲେ । ସେଇଠି ଆଗରୁ ଲୁଚି ରହିଥିଲେ ଆତଙ୍କୀ । ହଠାତ୍ ହୋଇଥିଲା ଆଖିବୁଜା ଗୁଳିମାଡ । କିଏ ସ୍ନାକ୍ସ ଖାଉଥିଲା...ତ କିଏ ସେଲଫି ନେଉଥିଲା । ପୁଣି କିଏ କଶ୍ମୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲା । ହେଲେ କେହି କିଛି ବୁଝିବା ଆଗରୁ ନିମିଷକରେ ସବୁକିଛି ଛାରଖାର ହୋଇଯାଇଛି ।
ଆକ୍ରମଣ ସ୍ଥଳୀରୁ ଆସୁଥିବା ଭିଡିଓ ଦେଖିଲେ ଛାତି ଥରି ଯାଉଛି । ଭିଡିଓ ଦର୍ଶାଉଛି ଆତଙ୍କବାଦୀ କେତେ ନିଷ୍ଠୁର । ମହିଳା ଜଣକ ଭିଡିଓରେ କହିଛନ୍ତି ଯେ ଆତଙ୍କବାଦୀମାନେ ତାଙ୍କ ନାମ ପଚାରି ଗୁଳି କରିଥିଲେ । ଅର୍ଥାତ୍ ହିନ୍ଦୁ ମାନଙ୍କୁ ଖୋଜି ଖୋଜି ଟାର୍ଗେଟ୍ କରିଥିଲେ ଆତଙ୍କୀ । ମାତ୍ର 4 ରୁ 5 ବର୍ଷ ପୂର୍ବେ ବୈସାରଣ ଘାଟିକୁ ଟୁରିଷ୍ଟ୍ ପ୍ଲେସ୍ ଭାବରେ ନିର୍ମାଣ କରାଯାଇଥିବାବେଳେ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି । ପୁଣି ଖରାଛୁଟି ଥିବାରୁ ଏଠାରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି ।
ସବୁଠୁ ବଡ କଥା ପହଲଗାମରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ କିଛି ଆତଙ୍କବାଦୀ ପୋଲିସ ପୋଷାକ ପିନ୍ଧିଥିବା କଥା ସାମ୍ନାକୁ ଆସିଛି । ତେଣୁ ସେମାନେ ପର୍ଯ୍ୟଟକଙ୍କ ପାଖରେ ସହଜରେ ପହଞ୍ଚି ପାରିଥିଲେ। ଆଉ କିଛି କ୍ଷଣ ଭିତରେ ଭିଆଇଥିଲେ ଏହି ଅମାନୁଷିକ କାଣ୍ଡ । ଲସ୍କର ସମର୍ଥିତ TRF (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ସଂଗଠନ ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ଏହି ସଂଗଠନ ଲସ୍କର-ଏ-ତୈବାର ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦ ସହିତ ସମାନ । ଜମ୍ମୁ ଏବଂ କାଶ୍ମୀରରେ ପ୍ରମାଣ ମିଳିଛି ଯେ ଏହି ଆତଙ୍କବାଦୀ ସଂଗଠନ ପଛରେ ଲସ୍କର-ଏ-ତୈବା ରହିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ 26 ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ଆହତ ଥିବା ସୂଚନା ମିଳିଛି ।
ଏହି ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ । କାହାରିକୁ ଛଡାଯିବନି ବୋଲି କହିଛନ୍ତି ପିଏମ୍ । ସେହିପରି ଶ୍ରୀନଗରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।