Pahalgam Terrorist Attack: ଆତଙ୍କାବଦୀ ବିରୋଧୀ ଲଢ଼େଇ ପାଇଁ ସହଯୋଗର ହାତ ବଢ଼ାଇଲା ଆମେରିକା

ଭାରତକୁ ସହଯୋଗ କରିବ ଆମେରିକା । ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢ଼େଇ ଅଭିଯାନକୁ ଆମେରିକା ଦେବ ସମର୍ଥନ । ଖାଲି ସମର୍ଥନ ନୁହେଁ ସବୁ ପ୍ରକାର ସହଯୋଗ ମଧ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି ଆମେରିକା ।
ଭାରତ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ବେନ୍ସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି । ଏହାସହ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଆମେରିକା ସବୁବେଳେ ଭାରତକୁ ସମର୍ଥନ କରିବ ବୋଲି ସେ କହିଛନ୍ତି । ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମଧ୍ୟ କହିଛନ୍ତି । ଏହି କଠିନ ମୂହୁର୍ତ୍ତରେ ଭାରତ ସହ ଆମେରିକା ଛିଡ଼ା ହେବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆମେରିକା ପକ୍ଷରୁ ଏଭଳି ସହଯୋଗର ହାତ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ବେନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏବେ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ହେଲାଣି । ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଯେଉଁଥିପାଇଁ ପାକିସ୍ତାନରେ ହାଇଆଲର୍ଟ ଜାରି କରାଯାଇଛି । ପାକିସ୍ତାନ ସେନା ପକ୍ଷରୁ ଭାରତ-ପାକ୍ ସୀମାରେ ଥିବା ସମସ୍ତ ଆତଙ୍କୀ ଅଡ୍ଡାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଭାରତୀୟ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି ।
ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଦୁଇଟା ବେଳେ ଆତଙ୍କବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଥିଲେ । ପହଲଗାମରେ ପୋଲିସ ବେଶରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ଆତଙ୍କୀମାନେ ପ୍ରଥମେ ନାଁ ପଚାରୁଥିଲେ ତାପରେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ମାରୁଥିଲେ । ଏମିତିକି ପ୍ୟାଣ୍ଟ ଖୋଲି ମଧ୍ୟ ଚିହ୍ନଟ କରୁଥିଲେ । ପର୍ଯ୍ୟଟକ ହିନ୍ଦୁ ନା ମୁସଲିମ୍ ।
ଏହି ଖବର ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ । ସେତେବେଳେ ସେ ସାଉଦିଆରବ ଥିଲେ । ଖବର ଶୁଣି ଭୀଷଣ ରାଗି ଯାଇଥିଲେ ମୋଦି । ତୁରନ୍ତୁ ଅମିତ ଶାହଙ୍କୁ ଫୋନ କରି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶାହ ମଧ୍ୟ ଦିଲ୍ଲୀରୁ ବାହାରି ଜମ୍ମୁ କାଶ୍ମୀରରେ ପହଞ୍ଚିଥିଲେ । ତାପରେ ମୋଦି ମଧ୍ୟ ସାଉଦି ଆରବରୁ ତୁରନ୍ତୁ ଭାରତ ଫେରିଥିଲେ । ମୋଦି ଏହି ଘଟଣାକୁ ଖୁବ୍ ନିନ୍ଦା କରିବା ସହ କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଶାହ କାଶ୍ମୀରରେ ପହଞ୍ଚି ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ ।
ମୋଦି-ଶାହଙ୍କ ଏଭଳି ରୂପ ଦେଖି ପାକିସ୍ତାନ ଛାନିଆ ହେଲାଣି । ଏହି ଘଟଣା ପରେ ପାକିସ୍ତାନକୁ ମନେ ପଡ଼ିଯାଇଛି ସେଇ ପୁରୁଣା ସର୍ଜିକାଲ ଷ୍ଟ୍ରାଇକ କଥା । ଆଉ ଏବେ ସର୍ଜିକାଲ ଷ୍ଟ୍ରାଇକ୍ ଭୟ ମାଡ଼ି ବସିଛି । କାରଣ ଗତ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ମଧ୍ୟ ମୋଦି ଓ ଶାହଙ୍କୁ ମଧ୍ୟ ଠିକ୍ ଏମିତି କିଛି ଢ଼ଙ୍ଗରେ ଦେଖିବାକୁ ମିଳିଥିଲା । ତେଣୁ ଭୟରେ ଭାରତ-ପାକ ସୀମାରେ ଥିବା ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ସବୁକୁ ତୁରନ୍ତ ଖାଲି କରିବା ପାଇଁ ପାକ ସେନା ନିର୍ଦ୍ଦେଶ ଦେଇଛି । ଗତକାଲି ବିଳମ୍ବିତ ରାତିରେ ସେଠାରେ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଆଖପାଖ ଗାଁରେ ରହିବା ପାଇଁ କୁହା ଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଲଗାତାର ବୈଠକ ଚାଲିଛି । ଏଲଓସି ସମେତ ଅନେକ ଇଲାକାରେ ପାକିସ୍ତାନ ହାଇ ଆଲର୍ଟ ଜାରି କରିଛି ।