Dharmendra Pradhan / 'ନବସୃଜନ-ଉଦ୍ୟମିତା-ପ୍ରଶାସନ-କୂଟନୀତି କ୍ଷେତ୍ରରେ ନେତୃତ୍ୱ ନେବ JNU'

Key Points
ଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ କହିଲେ ।
ଶିକ୍ଷା କେବଳ ଡିଗ୍ରୀ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜର ଅସମାନତା ଦୂର କରିବା ଓ ବଞ୍ଚିତ ଶ୍ରେଣୀର ସ୍ୱର ହେବାର ଏକ ମାଧ୍ୟମ । ଗଣତନ୍ତ୍ରକୁ ସୁଦୃଢ଼ କରିବା ଠାରୁ ଆରମ୍ଭ କରି ନୂତନ ଅର୍ଥନୀତିର ମୂଳଦୁଆ ପକାଇବା ପର୍ଯ୍ୟନ୍ତ ; ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାକୁ ଜେଏନୟୁର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ୯ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଭାରତର ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଗରିମାମୟ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଜେଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ‘କ୍ରିଟିକାଲ୍ ଥିଙ୍କିଙ୍ଗ୍’ ବା ସମାଲୋଚନାତ୍ମକ ଚିନ୍ତାଧାନା ହେଉଛି ଜେଏନୟୁର ଆତ୍ମା । ଏହି ବିଶ୍ୱବିଦ୍ୟାଳୟ ବର୍ଷ ବର୍ଷ ଧରି ଏକ ସଶକ୍ତ ଏକାଡେମିକ ସ୍ୱାୟତତା ଏବଂ ଏକାଡେମିକ ଡିସିପ୍ଲିନାରୀ ଶିକ୍ଷାଦାନର ପରମ୍ପରା ବଜାୟ ରଖିଛି ।
ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଜେଏନୟୁର ଡିଗ୍ରୀ କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ । ଆପଣମାନଙ୍କ ମଧ୍ୟରୁ କିଛି ସଂସଦ ଏବଂ ବିଧାନସଭାରେ ପହଞ୍ଚି ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ, କିଛି କର୍ତ୍ତବ୍ୟ ଭବନରେ ରାଷ୍ଟ୍ର ସେବାର ଦାୟିତ୍ୱ ନିର୍ବାହ କରନ୍ତୁ ଏବଂ କିଛି ରଣନୈତିକ ବିଶେଷଜ୍ଞ ଓ ଆମ୍ବାସେଡର ଭାବରେ ଭାରତର ବୈଶ୍ୱିକ ଭୂମିକାକୁ ମଜବୁତ କରନ୍ତୁ । ସେହିପରି କିଛି ଛାତ୍ରଛାତ୍ରୀ ନବସୃଜନ ଓ ଉଦ୍ୟମିତା ମାଧ୍ୟମରେ 'ଷ୍ଟାର୍ଟ-ଅପ୍' ଏବଂ 'ୟୁନିକର୍ଣ୍ଣ'ର ଭିତ୍ତିପ୍ରସ୍ତର ସ୍ଥାପନ କରନ୍ତୁ ଏବଂ କିଛି ଲେଖକ, ସାମ୍ବାଦିକ ତଥା ସମାଜର ବୌଦ୍ଧିକ ପ୍ରଦର୍ଶକ ସାଜି ରାଷ୍ଟ୍ରର ବୈଚାରିକ ବିତର୍କକୁ ଦିଶା ପ୍ରଦାନ କରନ୍ତୁ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ-୨୦୪୭’ର ସଂକଳ୍ପକୁ ସାକାର କରିବାରେ ଜେଏନୟୁର ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ବିଶ୍ୱବିଦ୍ୟାଳୟର ସମୃଦ୍ଧ ଐତିହ୍ୟ ବିଷୟରେ କହିବାକୁ ଯାଇ ସେ ପୂର୍ବତନ ଛାତ୍ର ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯଥା ନିର୍ମଳା ସୀତାରମଣ, ଡ. ଏସ୍. ଜୟଶଙ୍କର, ସ୍ୱର୍ଗତ ଡି.ପି. ତ୍ରିପାଠୀ, ସୀତାରାମ ୟେଚୁରୀ, ପ୍ରକାଶ କରାଟ ଏବଂ ଜନ୍ ବ୍ରିଟାସଙ୍କ ପରି ନେତୃତ୍ୱଙ୍କ ଉଦାହରଣ ଦେଇଥିଲେ । ଶେଷରେ, ସେ ଜେଏନୟୁର ସେହି ସଂସ୍କୃତିକୁ ପ୍ରଶଂସା କରିଥିଲେ, ଯେଉଁଠାରେ ବିଚାରର ଆଦାନପ୍ରଦାନ ହୁଏ ଏବଂ ପରବର୍ତ୍ତୀ ସମୟରେ ଜାତୀୟ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ ।
📱 Get Argus News App
✨Related Topics
Explore more stories