ମୁସଲିମ୍ କଣ୍ଟ୍ରାକ୍ଟରଙ୍କ ପାଇଁ ୪% ସଂରକ୍ଷଣକୁ ନେଇ ଜୋରଦାର ବିରୋଧ

କର୍ଣ୍ଣାଟକରେ ମୁସଲିମ୍ କଣ୍ଟ୍ରାକ୍ଟରମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଘୋଷଣାକୁ ଜୋରଦାର ବିରୋଧ କରିଛି ବିଜେପି । କଂଗ୍ରେସର ନିଷ୍ପତ୍ତି ଦେଶର ସୁରକ୍ଷା ଓ ଏକତା ପ୍ରତି ବିପଦ । ଏପରି ଅସାମ୍ବିଧାନିକ ପଦକ୍ଷେପକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରା ନଗଲେ ବିଧାନସଭାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତିବାଦ କରାଯିବ ବୋଲି ଚେତାଇ ଦେଇଛି ବିଜେପି ।
ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ । କେବଳ ଭୋଟ ବ୍ୟାଙ୍କ ହାତେଇବାକୁ କର୍ଣ୍ଣାଟକରେ ସିଦ୍ଧରମୈୟା ସରକାର ତୁଷ୍ଟୀକରଣ ରାଜନୀତିରେ ମାତିଛନ୍ତି । ଏଥିପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ ଗାନ୍ଧିଙ୍କ ସମର୍ଥନ ରହିଛି । କଂଗ୍ରେସର ନିଷ୍ପତ୍ତି ଦେଶର ସୁରକ୍ଷା ଓ ଏକତା ପ୍ରତି ବିପଦ ।
ସମ୍ବିଧାନ ପ୍ରଣେତା ବାବା ଆମ୍ବେଦକର ଏହାକୁ କଡ଼ା ବିରୋଧ କରୁଥିଲେ । ଏଭଳି ଅସାମ୍ବିଧାନିକ ପଦକ୍ଷେପକୁ କୋର୍ଟରେ ମାମଲା ରୁଜୁ କରାଯିବ । ବିଧାନସଭା ଓ ବିଧାନସଭା ବାହାରେ ପ୍ରତିବାଦ କରାଯିବ । ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ମଧ୍ୟ ଉଠାଯିବ । ଯେପର୍ଯ୍ୟନ୍ତ ଏଭଳି ଅସାମ୍ବିଧାନିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରା ନଯାଇଛି ସେପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ । ଲୋକଙ୍କ ସମର୍ଥନରେ ରାଜରାସ୍ତାରେ ବିଜେପି ପ୍ରତିବାଦ କରିବ ବୋଲି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି ।
ମୁସଲିମ୍ କଣ୍ଟ୍ରାକ୍ଟରମାନଙ୍କ ପ୍ରତି ସଂରକ୍ଷଣକୁ ନେଇ କର୍ଣ୍ଣାଟକ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ରାଜୀବ ଚନ୍ଦ୍ରଶେଖର । କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁବେଳେ ସମ୍ବିଧାନର ଦ୍ବାହି ଦେଉଥିବା ବେଳେ ତାଙ୍କ ଦଳ ଧର୍ମ ଭିତ୍ତିରେ ସଂରକ୍ଷଣ ଘୋଷଣା କରିଛି । ସେମାନଙ୍କ କଥା ଓ କାମରେ ଅନେକ ଫରକ ରହୁଛି । ଭାରତୀୟ ସମ୍ବିଧାନରେ ଧର୍ମ ଭିତ୍ତିରେ ସଂରକ୍ଷଣ ପାଇଁ ଅନୁମତି ନାହିଁ । କଂଗ୍ରେସର ଏଭଳି ପଦକ୍ଷେପ ଦେଶ ପାଇଁ କ୍ଷତିକାରକ ବୋଲି ସେ ଅଭିଯୋଗ କରିଛନ୍ତି ।
କର୍ଣ୍ଣାଟକର ସିଦ୍ଧରମୈୟା ସରକାର ମୁସଲମାନ କଣ୍ଟ୍ରାକ୍ଟର ମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ସହ ମୁଖ୍ୟମନ୍ତ୍ରୀ ମୁସଲିମ୍ କଲୋନୀ ବିକାଶ ପାଣ୍ଠି ପାଇଁ ଏକ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।