କେଦାରନାଥ ଓ ହେମକୁଣ୍ଡ ସାହିବ ରୋପ-ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ

Key Points
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି
କେଦାରନାଥ ଓ ହେମକୁଣ୍ଡ ସାହିବ ରୋପ-ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଭେଟି
ରାଷ୍ଟ୍ରୀୟ ରୋପ-ୱେ ବିକାଶ ଓ ପର୍ବତମାଳା ପରିଯୋଜନାରେ ହେବ ନିର୍ମାଣ
ରୋପ-ୱେ ନିର୍ମାଣରେ ଆଡଭାନ୍ସଡ୍ ଟ୍ରାଇ-କେବୁଲ 3H ଟେକ୍ନୋଲୋଜିର ହେବ ଉପଯୋଗ
କମ୍ ସମୟରେ ସୁବିଧାରେ ଦେବପୀଠରେ ପହଞ୍ଚି ପାରିବେ ବୟସ୍କ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ
ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ ବି ଯିବେ ଦେବପୀଠ । ଖୁବ କମ ସମୟରେ ଓ ବିନା ବାଧାରେ କେଦାରନାଥ ଓ ହେମକୁଣ୍ଡ ସାହିବରେ ପରିବେଶ ଅନୁକୁଳ, ଆରାମଦାୟକ ରୋପ-ୱେରେ ପହଞ୍ଚି ପାରିବେ ଭକ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥବା କେନ୍ଦ୍ର କ୍ୟାବିନେଟ ବୈଠକରେ କେଦାରନାଥ ଓ ହେମକୁଣ୍ଡ ସାହିବ ରୋପ-ୱେ ପ୍ରୋଜେକ୍ଟକୁ ମିଳିଛି ମଞ୍ଜୁରୀ । ରୋପ-ୱେ ନିର୍ମାଣରେ ଆଡଭାନ୍ସଡ୍ ଟ୍ରାଇ-କେବୁଲ ଡିଚାଚେବୁଲ ଗୋଲ୍ଡୋଲା 3H ଟେକ୍ନୋଲୋଜିର ହେବ ଉପଯୋଗ । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଗୋଟିଏ ଦିଗରେ 9 ଘଣ୍ଟାର ଯାତ୍ରାକୁ ମାତ୍ର 36 ମିନିଟରେ ପୂରା କରିପାରିବ ରୋପ-ୱେ । କେଦାରନାଥ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗୌରୀକୁଣ୍ଡରୁ ପାଖାପାଖି 16 କିଲୋମିଟର ରାସ୍ତା ଅତିକ୍ରମ କରିବା ବଡ଼ ଚାଲେଞ୍ଜ ସୃଷ୍ଟି କରିଥାଏ । ରୋପ-ୱେ ଦୈନିକ 18 ହଜାର ଶ୍ରଦ୍ଧାଳୁଙ୍କୁ ଦେବପୀଠରେ ପହଞ୍ଚାଇ ପାରିବ । ବୟସ୍କ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ପୂର୍ବରୁ ବାବା କେଦାରନାଥଙ୍କ ପୀଠରେ ପହଞ୍ଚିବାକୁ ପାଲିଙ୍କି କିମ୍ବା ହେଲିକପ୍ଟରରେ ଯାଉଥିଲେ । ବାର୍ଷିକ 50 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ପୀଠକୁ ଆସୁଥିବାବେଳେ ରୋପ-ୱେ ପ୍ରୋଜେକ୍ଟ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
📱 Get Argus News App
✨ସେହିପରି ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବରେ ପହଞ୍ଚିବା ପାଇଁ 21 କିଲୋମିଟର ଅତି କଷ୍ଟପ୍ରଦ ଯାତ୍ରା କରୁଥିଲେ ଶ୍ରଦ୍ଧାଳୁ । ଏଥିପାଇଁ 2730.13 କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଛି ରୋପ-ୱେ । ହେମକୁଣ୍ଡ ସାହିବ ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ 15 ହଜାର ଫୁଟ ଉଚ୍ଚରେ ଥିବା ଏକ ତୀର୍ଥସ୍ଥଳ । ରୋପ-ୱେ ପ୍ରୋଜେକ୍ଚ ମାଧ୍ୟମରେ ଗୁରୁଦ୍ବାରରେ ସହଜରେ ଦୈନିକ 11 ହଜାର ଯାତ୍ରୀ ପହଞ୍ଚି ପାରିବେ । ପ୍ରତିବର୍ଷ ମେରୁ ସେପ୍ଟେମ୍ବର ମଧ୍ୟରେ ଖୋଲା ରହୁଥିବା ଏହି ତୀର୍ଥସ୍ଥଳକୁ ପ୍ରାୟ 2 ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି ।
ରାଷ୍ଟ୍ରୀୟ ରୋପ-ୱେ ବିକାଶ କାର୍ଯ୍ୟକ୍ରମରେ 12. 9 କିଲୋମିଟର ଦୀର୍ଘ ସୋନପ୍ରୟାଗ-କେଦାରନାଥ ରୋପ-ୱେ ଏବଂ 12.4 କିଲୋମିଟର ଦୀର୍ଘ ଗୋବିନ୍ଦଘାଟ-ହେମକୁଣ୍ଡ ସାହିବ ରୋପ-ୱେ ନିର୍ମାଣ ହେବାକୁ ଯାଉଛି । 4081.28 କୋଟି ବ୍ୟୟ ଅଟକଳରେ ଉଭୟ ପରିଯୋଜନାର ଡିଜାଇନ ଓ ନିର୍ମାଣ ହେବାକୁ ଯାଉଛି ।