Kedarnath Dham / ୬ ମାସ ପାଇଁ ବନ୍ଦ ହେଲା କେଦାରନାଥ ଧାମର ଗର୍ଭଗୃହ କବାଟ

Key Points
ଓଁକାରେଶ୍ୱର ମନ୍ଦିରରେ ହେବ ବାବା କେଦାରଙ୍କ ଦର୍ଶନ
ବିଶ୍ୱ ପ୍ରସିଦ୍ଧ କେଦାରନାଥ ଧାମରେ ଶୀତକାଳୀନ ଧାର୍ମିକ ପରମ୍ପରା ଅନୁଯାୟୀ ବୁଧବାର ବାବା କେଦାରଙ୍କ ଗର୍ଭଗୃହର କବାଟ ୬ ମାସ ପାଇଁ ବନ୍ଦ କରାଯାଇଛି । ସକାଳ ୬ଟାରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ବିଧିବିଧାନ ଅନୁସାରେ ପୂଜା ସମ୍ପନ୍ନ ହେବା ପରେ ଗର୍ଭଗୃହର କବାଟ ବନ୍ଦ କରାଯାଇଥିଲା ।
ଏହି ପବିତ୍ର ଅବସରରେ ଭାରତୀୟ ସେନାର ୧୫ ଜଣ ଯବାନ ବ୍ୟାଣ୍ଡର ମଧୁର ସ୍ୱରରେ ପରିବେଶକୁ ଭକ୍ତିମୟ କରିଥିଲେ । ଏହାପରେ ସକାଳ ୮ଟା ୩୦ ମିନିଟ୍ରେ ମନ୍ଦିରର ମୁଖ୍ୟ କବାଟ ମଧ୍ୟ ଶୀତକାଳ ପାଇଁ ବନ୍ଦ କରାଯିବାର ପରମ୍ପରା ରହିଛି ।
ଏହା ସହିତ ଚଳିତ ବର୍ଷର କେଦାରନାଥ ଯାତ୍ରାର ଔପଚାରିକ ସମାପନ ହେବ । ବୁଧବାର ଭୋର ୪ଟାରୁ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ପରମ୍ପରା ଅନୁସାରେ ବାବା କେଦାରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା । ଏହି ସମୟରେ ଧାମରେ ଉପସ୍ଥିତ ଶ୍ରଦ୍ଧାଳୁମାନେ 'ହର ହର ମହାଦେବ' ଓ 'ଜୟ ବାବା କେଦାର' ଧ୍ୱନିରେ ପରିବେଶକୁ ପ୍ରକମ୍ପିତ କରିଥିଲେ । ଆଗାମୀ ୬ ମାସ ପାଇଁ ବାବାଙ୍କୁ ବିଦାୟ ଦେବା ସମୟରେ ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ ।
୬ ମାସ ପର୍ଯ୍ୟନ୍ତ ଓଁକାରେଶ୍ୱର ମନ୍ଦିରରେ ହେବ ବାବା କେଦାରଙ୍କ ଦର୍ଶନ
କେଦାରନାଥ ମନ୍ଦିରର ମୁଖ୍ୟ କବାଟ ବନ୍ଦ ହେବା ପରେ ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଚଳ ବିଗ୍ରହ ଉତ୍ସବ ଡୋଲି ପାରମ୍ପରିକ ରୀତିନୀତି ଅନୁଯାୟୀ ଶୀତକାଳୀନ ଗଦ୍ଦିସ୍ଥଳ ଓଁକାରେଶ୍ୱର ମନ୍ଦିର, ଉଖୀମଠ ଅଭିମୁଖେ ଯାତ୍ରା କରିବ । ଆଗାମୀ ୬ ମାସ ପର୍ଯ୍ୟନ୍ତ ଏଠାରେ ବାବା କେଦାରଙ୍କ ଶୀତକାଳୀନ ପୂଜାର୍ଚ୍ଚନା ଓ ଧାର୍ମିକ ଅନୁଷ୍ଠାନ ବିଧିବଦ୍ଧ ଭାବେ ଜାରି ରହିବ । ଏହି ସମୟରେ ଭକ୍ତମାନେ ଉଖୀମଠର ଓଁକାରେଶ୍ୱର ମନ୍ଦିରକୁ ଯାଇ ବାବା କେଦାରଙ୍କ ଦର୍ଶନ କରିପାରିବେ ।
ଚଳିତ ବର୍ଷ ୧୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କରିଛନ୍ତି ଦର୍ଶନ
ଚଳିତ ବର୍ଷ କେଦାରନାଥ ଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ୧୯ ଲକ୍ଷ ୧୪ ହଜାରରୁ ଅଧିକ ଭକ୍ତ ବାବା କେଦାରଙ୍କ ଦର୍ଶନ କରିସାରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚି ଏହି ବର୍ଷର ଯାତ୍ରାକୁ ସ୍ୱତନ୍ତ୍ର କରିଛନ୍ତି ।
ଆଗାମୀ ୬ ମାସ ଶୀତନିଦ୍ରାରେ ରହିବ ବାବାଙ୍କ ଧାମ
ହିମାଳୟର ଉଚ୍ଚ ପର୍ବତମାଳା ମଧ୍ୟରେ ଅବସ୍ଥିତ କେଦାରନାଥ ଧାମର କବାଟ ବନ୍ଦ ହେବା ସହ ଆଗାମୀ ୬ ମାସ ପାଇଁ ଏଠାରେ ଯାତ୍ରା ଓ ସାଧାରଣ ଦର୍ଶନରେ ବିରାମ ଲାଗିବ । ତେବେ ବାବା କେଦାରଙ୍କ ପୂଜାର୍ଚ୍ଚନା ବନ୍ଦ ହେବ ନାହିଁ। ଶୀତକାଳୀନ ଗଦ୍ଦିସ୍ଥଳ ଓଁକାରେଶ୍ୱର ମନ୍ଦିରରେ ନିୟମିତ ପୂଜାବିଧି ଜାରି ରହିବ। କେଦାରନାଥ ଧାମର କବାଟ ଶୀତଋତୁ ପାଇଁ ବନ୍ଦ ହେଉଥିଲେ ମଧ୍ୟ ଭକ୍ତଙ୍କ ଆସ୍ଥା ଓ ଭକ୍ତିରେ କୌଣସି ବିରାମ ଲାଗିବ ନାହିଁ। ଆଗାମୀ ୬ ମାସ ପର୍ଯ୍ୟନ୍ତ ଉଖୀମଠରେ ଗୁଞ୍ଜରିତ ହେବ 'ହର ହର ମହାଦେବ'ର ଜୟଧ୍ୱନି।
📱 Get Argus News App
✨Related Topics
Explore more stories