Ketan Death Mystery / କେତନଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିଲା ଟାଟୁ କାହାଣୀ

Key Points
ଲୋହାଗଡ଼ ଦୁର୍ଗରେ ମୃତ୍ୟୁ ପ୍ରେମ ନା ଷଡଯନ୍ତ୍ର ?
କେତନଙ୍କ ମୃତ୍ୟୁ ମାମଲା ଚାର୍ଜଶିଟ୍ରେ ବଡ଼ ଖୁଲାସା ।
ପ୍ରେମର ଟାଟୁ... ମୃତ୍ୟୁର ଷଡଯନ୍ତ୍ର !
ପୁଣେର ଲୋହାଗଡ଼ ଦୁର୍ଗରୁ ପଡ଼ି ରିଅଲ୍ ଏଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ମୃତ୍ୟୁର କିଛି ଦିନ ପୂର୍ବରୁ କେତନ ତାଙ୍କ ମଙ୍ଗେତର ସିଆ ଗୋୟଲଙ୍କ ଜନ୍ମଦିନ ପାଇଁ ଏକ ବିଶେଷ ସରପ୍ରାଇଜ୍ ପ୍ଲାନ୍ କରିଥିଲେ । ଏହି ସରପ୍ରାଇଜର ଅଂଶ ଭାବେ ୧୯ ଜୁନ୍ ୨୦୨୬ରେ ସିଆଙ୍କ ଜନ୍ମଦିନ ପୂର୍ବରୁ ସେ ନିଜ ପିଠିରେ ‘ସିଆ’ ନାମର ଟାଟୁ କରାଇଥିବା ଦାବି କରାଯାଉଛି । ଏହାର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
କେତନଙ୍କୁ ଦୁର୍ଗରୁ ଧକ୍କା ଦେବାର ଅଭିଯୋଗ
୧୮ ଜୁନ୍ରେ କେତନଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମୟରେ ଏହି ଟାଟୁ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି । ପୋଲିସ୍ ଦାଖଲ କରିଥିବା ଚାର୍ଜଶିଟ୍ରେ ଦାବି କରାଯାଇଛି ଯେ, ଲୋହାଗଡ଼ ଦୁର୍ଗରୁ କେତନଙ୍କ ପଡ଼ିଯିବା ଘଟଣା ଦୁର୍ଘଟଣା ନୁହେଁ, ବରଂ ଏକ ଯୋଜନାବଦ୍ଧ ଷଡଯନ୍ତ୍ରର ଅଂଶ ଥିଲା । ପୁଣେ ରୁରାଲ୍ ପୁଲିସ୍ ଏହି ମାମଲାରେ ସିଆ ଗୋୟଲ, ତାଙ୍କ କଥିତ ପ୍ରେମିକ ଚେତନ ଚୌଧୁରୀ ଏବଂ ତାଙ୍କ ବନ୍ଧୁ ରିତେଶ ହିଙ୍ଗେଙ୍କୁ ଅଭିଯୁକ୍ତ କରିଛି। ତିନିଜଣଙ୍କୁ ଗିରଫ କରାଯାଇଥିବା ରିପୋର୍ଟ ରହିଛି ।
୫୦୫୩ ପୃଷ୍ଠାର ଚାର୍ଜଶିଟ୍ ଅନୁସାରେ, ୧୮ ଜୁନ୍ ସକାଳ ପ୍ରାୟ ୯ଟା ସମୟରେ କେତନ ଓ ସିଆ ଲୋହାଗଡ଼ ଦୁର୍ଗରେ ପହଞ୍ଚିଥିଲେ। ପୁଲିସ୍ର ଅଭିଯୋଗ ଅନୁସାରେ, ଚେତନ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ଏବଂ ନିଜ ପରିଚୟ ଲୁଚାଇବା ପାଇଁ ଭେଷ ବଦଳାଇଥିଲେ ।
ତଦନ୍ତକାରୀଙ୍କ ଦାବି ଅନୁସାରେ, ସିଆ କେତନଙ୍କୁ ଦୁର୍ଗର ପଶ୍ଚିମ ଅଞ୍ଚଳରେ ଥିବା ଖାଇ ନିକଟକୁ ଏବଂ ଘେରାୱାଡ଼ି ଗାଁ ଦିଗକୁ ନେଇଯାଇଥିଲେ। ପୁଲିସ୍ର ଅଭିଯୋଗ ହେଉଛି, ସେଠାରେ ଚେତନ ପଛପଟୁ କେତନଙ୍କୁ ଧକ୍କା ଦେଇଥିଲେ ଏବଂ ସିଆ ତାଙ୍କ ଗୋଡ଼ରେ ଲାତ ମାରିଥିଲେ। ଏହା ଫଳରେ କେତନଙ୍କ ସନ୍ତୁଳନ ହରାଇ ସେ ଖାଇ ଭିତରକୁ ପଡ଼ିଯାଇଥିବା ପୁଲିସ୍ ଦାବି କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ
ଚାର୍ଜଶିଟ୍ ଓ ତଦନ୍ତରେ ଜଣେ କଥିତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନର ମଧ୍ୟ ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ, ଘଟଣା ଦେଖିଥିବା ଏହି ବ୍ୟକ୍ତି ଚେତନଙ୍କ କଥିତ ଧମକ ପରେ ପ୍ରଥମେ ପୋଲିସ୍କୁ ଜଣାଇବାକୁ ଭୟ କରିଥିଲେ ।
ପରେ କେତନଙ୍କ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସେ ପୋଲିସ୍ ସହ ଯୋଗାଯୋଗ କରିଥିବା କୁହାଯାଉଛି। କଥିତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ଚେତନ ତାଙ୍କୁ ଘଟଣା ବିଷୟରେ କାହା ସହିତ କଥା ନହେବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ମଧ୍ୟ ଦୁର୍ଗରୁ ତଳକୁ ଫିଙ୍ଗିଦେବାର ଧମକ ଦେଇଥିବା ଅଭିଯୋଗ ରହିଛି ।
ଏହି ମାମଲାରେ ପୋଲିସ୍ ତଦନ୍ତ ସମୟରେ ସଂଗ୍ରହ କରିଥିବା ଅନ୍ୟାନ୍ୟ ପ୍ରମାଣ ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ମଧ୍ୟ ଯାଞ୍ଚ କରୁଛି । ତେବେ ଚାର୍ଜଶିଟ୍ରେ ଥିବା ଅଭିଯୋଗଗୁଡ଼ିକ ଏଯାବତ୍ ଅଦାଲତରେ ପ୍ରମାଣିତ ହୋଇନାହିଁ ।
📱 Get Argus News App
✨Related Topics
Explore more stories