ପାହାଡ ଉପରେ ଲକ୍ଷ ଲକ୍ଷ ମୂର୍ତ୍ତି କିଏ ନିର୍ମାଣ କଲା ?

ଅର୍ଗସ ବ୍ୟୁରୋ: ନିଘଂଚ ଜଙ୍ଗଲ, ବିରାଟ ପାହାଡ଼ । ଆଉ ସେହି ପାହାଡ଼ରେ ରହିଛି 99, 99, 999 ଦେବାଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଏତେ ବଡ଼ ପାହାଡ଼ରେ ଏତେ ସଂଖ୍ୟାରେ ପ୍ରତିମୂର୍ତ୍ତି କିଏ କଲା ତାହାକୁ ନେଇ ଚର୍ଚ୍ଚା । କେବଳ ମୂର୍ତ୍ତିକୁ ନେଇ ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ସେ ପାହାଡ଼ ଯେତିକି ଆଶ୍ଚର୍ଯ୍ୟ ସେତିକି ରହସ୍ୟମୟ ...
ତ୍ରିପୁରା ଅଗରତାଲାର ଉନାକୋଟି । ସ୍ଥାନର ନା ରୁ ହିଁ ଆପଣ ଜାଣିପାରୁଥିବେ ଯେ ଉନାକୋଟି ଅର୍ଥାତ୍ ଏକ କୋଟିରୁ ଟିକେ ଉଣା । ତେବେ ଏମିତି ନାମକରଣ ପଛରେ କି ରହସ୍ୟ ରହିଛି..
ସୁଉଚ୍ଚ ପାହାଡ,ନଦୀ, ସମୁଦ୍ର, ହ୍ରଦ ଓ ଘଞ୍ଚଅରଣ୍ୟ... ନାନାଦି ପ୍ରାକୃତିକ ଶୋଭାରାଜିରେ ଭରପୂର ଭାରତ । ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ସମ୍ପର୍କରେ ଅନେକ ଜାଣନ୍ତି ନାହିଁ । ଆଉ ଏହାରି ମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ତ୍ରିପୁରାର ରାଜଧାନୀ ଅଗରତାଲା ଠାରୁ ପ୍ରାୟ 145 କିଲୋମିଟର ଦୂରରେ ଅବସ୍ଥିତ ଉନାକୋଟି । ଦେବାଦେବୀଙ୍କ ମୂର୍ତ୍ତି ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କ ମନକୁ ଶାନ୍ତି ଦିଏ । କାହିଁ କେତେ ଦୂରରୁ ପର୍ଯ୍ୟଟକ ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସନ୍ତି । ପାହାଡ଼ରେ ପରିପୂର ଏହି ସ୍ଥାନରେ ଦେବାଦେବୀଙ୍କ କଳାକୃତିକୁ ଯିଏ ଦେଖିଛି ସିଏ ହିଁ ଅନୁଭବ କରିଛି ।
କୁହାଯାଏ ଯେ ସେଠାରେ ସମୁଦାୟ 99 ଲକ୍ଷ 99 ହଜାର 999 ପଥର ମୂର୍ତ୍ତି ଅଛି । ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ସମାଧାନ କରିପାରି ନାହାଁନ୍ତି । ଯେମିତିକି - ଏହି ପ୍ରତିମୂର୍ତ୍ତି କିଏ ତିଆରି କଲା, କେବେ ଏବଂ କାହିଁକି ସେଗୁଡ଼ିକ ତିଆରି ହେଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ କୋଟିରୁ ଗୋଟିଏ ଉଣା କାହିଁକି । ଏହା ପଛରେ ଅନେକ କାହାଣୀ ଅଛି ଯାହା ଆଜି ବି ରହସ୍ୟ ଘେରରେ ରହିଛି ।
📱 Get Argus News App
✨ଏହି ରହସ୍ୟମୟ ମୂର୍ତ୍ତିଗୁଡ଼ିକ ସେଠାରେ ଥିବାରୁ ସେହି ସ୍ଥାନର ନାମ ହେଉଛି ଉନାକୋଟି । ଉନାକୋଟି ଅର୍ଥାତ ଏକ କୋଟିରୁ କମ୍ । ଏହି ସ୍ଥାନ ଉତ୍ତର-ପୂର୍ବ ଭାରତର ସବୁଠାରୁ ବଡ ରହସ୍ୟ । ଉନାକୋଟି ଏମିତି ଏକ ସ୍ଥାନ ଯାହା କି ରହସ୍ୟରେ ପରିପୂର୍ଣ୍ଣ । କାରଣ ଏହା ଏକ ପାହାଡ଼ିଆ ଅଞ୍ଚଳ ...ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଏମିତି ଏକ ସ୍ଥାନରେ ଲକ୍ଷ ଲକ୍ଷ ମୂର୍ତ୍ତି କେମିତି ନିର୍ମାଣ ହେଲା ? କିଏ ନିର୍ମାଣ କଲା ? ଏହା କଣ ଜଣେ ମଣିଷ ଦ୍ୱାରା ସମ୍ଭବ ? ଏମିତି ଅନେକ ପ୍ରଶ୍ନ ଆଜି ବି ପର୍ଯ୍ୟଟକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ ।
ବିଶ୍ୱାସ ରହିଛି ଯେ ଥରେ ଭଗବାନ ଶିବଙ୍କ ସମେତ ଏକ କୋଟି ଦେବାଦେବୀ କୌଣସି ସ୍ଥାନକୁ ଯାଉଥିଲେ । ଯେହେତୁ ରାତି ହୋଇସାରିଥିଲା, ବାକି ଦେବାଦେବୀ ମାନେ କ୍ଳାନ୍ତ ହୋଇଯାଇଥିଲେ । ଆଉ ଏହି ସ୍ଥାନରେ ରହିଯାଇ ରାତ୍ରୀବିଶ୍ରାମ ନେବାକୁ ଭଗବାନ ଶିବଙ୍କୁ ଗୁହାରି କରିଥିଲେ । ଶିବ ମଧ୍ୟ ରାଜି ହୋଇଥିଲେ । ହେଲେ ତାଙ୍କର ଗୋଟିଏ ସର୍ତ୍ତ ଥିଲା । ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତଙ୍କୁ ଏହି ସ୍ଥାନ ଛାଡିବାକୁ ପଡିବ । ସମସ୍ତେ ମହାଦେବଙ୍କ କଥାରେ ରାଜି ହୋଇଥିଲେ । ଆଉ ସେଠାରେ ବିଶ୍ରାମ ନେଇଥିଲେ । କିନ୍ତୁ ସୂର୍ଯ୍ୟୋଦୟ ସମୟରେ କେବଳ ଭଗବାନ ଶିବ ହିଁ ଉଠିଥିଲେ । ଅନ୍ୟ ସମସ୍ତ ଦେବାଦେବୀ ନିଦ୍ରାରେ ଥିଲେ । ଏହା ଦେଖି ଭଗବାନ ଶିବ କ୍ରୋଧିତ ହୋଇଯାଇଥିଲେ । ଆଉ ସମସ୍ତଙ୍କୁ ପଥରରେ ପରିଣତ ହୋଇଯାଏ ବୋଲି ଅଭିଶାପ ଦେଇଥିଲେ । ଏହି କାରଣରୁ ଏଠାରେ ଭଗବାନ ଶିବଙ୍କ ଛଡା 99 ଲକ୍ଷ 99 ହଜାର 999 ପ୍ରତିମା ଅଛି, ଅର୍ଥାତ୍ ଏକ କୋଟିରୁ କମ୍ । ସେଥିପାଇଁ ସ୍ଥାନର ନାଁ ଉନାକୋଟି ।
ସେହିପରି ଏହି ଉନାକୋଟିକୁ ନେଇ ଅନ୍ୟ ଏକ ରୋଚକ କାହାଣୀ ବି ରହିଛି । କୁହାଯାଏ ଏକଦା କାଲୁ ନାମକ ଜଣେ କାରିଗର ଥିଲେ । ଯିଏ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସହ କୈଳାଶ ପର୍ବତକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଏହା ସମ୍ଭବ ହେଉନଥିଲା । ତେବେ କାରିଗରଙ୍କ ଜିଦ୍ ହେତୁ ଭଗବାନ ଶିବ ତାଙ୍କୁ କହିଥିଲେ ଯେ ଯଦି ସେ ଗୋଟିଏ ରାତିରେ ଗୋଟିଏ କୋଟି ଦେବଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି, ତେବେ ସେ ତାଙ୍କୁ ସାଙ୍ଗରେ ନେଇ କୈଳାସକୁ ଯିବେ ।
ଏହା ଶୁଣି କାରିଗର ନିଜ ମନ ପ୍ରାଣ ଦେଇ ମୂର୍ତ୍ତି ତିଆରି କରିବା ଆରମ୍ଭ କଲେ । ଏବଂ ଚାଟପଟ୍ ଗୋଟିଏ ପରେ ଗୋଟିଏ ମୂର୍ତ୍ତି ତିଆରି କରି ଚାଲିଲେ । ରାତି ତମାମ୍ ପ୍ରତିମା ତିଆରି କରୁଥଲେ । କିନ୍ତୁ ସକାଳେ ଗଣନା କରିବା ସମୟରେ ଦେଖାଗଲା ଯେ ଗୋଟିଏ ପ୍ରତିମା କମ୍ ଅଛି । ଅର୍ଥାତ୍ ଏକ କୋଟିରୁ ଗୋଟିଏ କମ୍ ଅଛି । ଏହି କାରଣରୁ ଭଗବାନ ଶିବ ସେହି କାରିଗରଙ୍କୁ ସାଙ୍ଗରେ ନେଇ ନଥିଲେ । ଯେଉଁ କାରଣରୁ ସ୍ଥାନଟିର ନାଁ 'ଉନାକୋଟି' ବୋଲି କୁହାଗଲା ।
ଅନେକ କାହାଣୀ ଓ ଅନେକ ରହସ୍ୟ ମଧ୍ୟରେ ଉନାକୋଟିର ସୃଷ୍ଟି । ଏହାର ସୌନ୍ଦର୍ଯ୍ୟ, ଅଭୂତ କଳାକୃତି ଲୋକଙ୍କୁ ଆକୃଷ୍ଟ କରେ ସତ ହେଲେ ଆଜି ବି ଏହା ରହସ୍ୟ । ଏବଂ ଉନାକୋଟି ଏକ ଅଦ୍ଭୂତ ଦୁନିଆ ।