ଆଶ୍ଚର୍ଯ୍ୟ ! ମାତ୍ର ୨୨ ଲକ୍ଷରେ ବିକିଲେ ୩୮୯ ଗାଡ଼ି, ୪ ଚକିଆ ବି ସାମିଲ

ମାତ୍ର ୨୨ ଲକ୍ଷ ଟଙ୍କାରେ ବିକ୍ରି ହେଲା ୩୮୯ ଗାଡ଼ି । ଅଶ୍ଚର୍ଯ୍ୟ ଲାଗିଲେ ବି ସତ । ଆପଣ ଭାବୁଥିବେ ଏବେ ତ ଗୋଟିଏ ଗାଡ଼ିର ଦାମ ଲକ୍ଷେ ଟଙ୍କାରୁ ଅଧିକ । ତେବେ ଏତେ ପରିମାଣର ଗାଡ଼ି କିଏ ବିକିଲା ଏତେ ଶାସ୍ତାରେ ? କାହା ପାଖରେ ଥିଲା ଏତେ ଗାଡ଼ି ?
ଏହି ୩୮୯ ଗାଡ଼ି ମଧ୍ୟରେ ୪ଟି ଚାରି ଚକିଆ ରହିଥିବା ବେଳେ ବାକି ସବୁ ଗାଡ଼ି ଦୁଇ ଚକିଆ । ଖାଲି ସେତିକି ନୁହେଁ ଅନେକ ଲୋକ ଏହି ସବୁ ଗାଡ଼ି କିଣିବା ପାଇଁ ନିଜକୁ ପଞ୍ଜିକୃତ କରିଥିଲେ । ହେଲେ ସମସ୍ତେ ଏହାକୁ କିଣିବାର ସୌଭାଗ୍ୟ ପାଇ ପାରିଲେ ନାହିଁ ।
ଏବେ ଆମେ ଆପଣଙ୍କୁ ଆଉ ଦ୍ବନ୍ଦ୍ବରେ ରଖିବାକୁ ଚାହୁଁନାହୁଁ । ପୁରା ଘଟଣାଟି ହେଲା, ଗତ କିଛି ବର୍ଷ ହେଲା ଏହି ଗାଡ଼ି ଗୁଡ଼ିକ କୋହ୍ଲାପୁର ପୋଲିସ ଷ୍ଟେସନରେ ଛିଡ଼ାହୋଇ ରହିଥିଲା । ବିଭିନ୍ନ ମାମଲାର ତଦନ୍ତ ବେଳେ ପୋଲିସ ଏହି ଗାଡ଼ି ଗୁଡ଼ିକୁ ଜବତ କରି ଥାନାରେ ରଖିଥିଲା । କେତେବେଳେ ଚୋରି ଗାଡ଼ି ମିଳିଯାଏ ତ କେତେବେଳେ ଅପରାଧରେ ବ୍ୟବହାର ହୋଇଥିବା ଗାଡ଼ି ପୋଲିସ ହାତରେ ଲାଗିଥାଏ । ଏମିତିକି ଅପରାଧୀଙ୍କୁ ଧରିବାକୁ ଗଲା ବେଳେ ବି କିଛି ଗାଡ଼ି ଧରାପଡ଼େ ଯାହାକୁ ପୋଲିସ ନିଜ ହେଫାଜତକୁ ନେଇଥାଏ ।
ତେବେ ଗାଡ଼ିଗୁଡ଼ିକ ଜବତ ହେବାର କିଛି ଦିନ ପରେ ପୋଲିସ ଚୋରି ଗାଡ଼ି ଗୁଡ଼ିକୁ ସେମାନଙ୍କ ମାଲିକଙ୍କୁ ଡାକି ଏକକାଳୀନ ଫେରାଇଥାଏ । ଆଉ କିଛି ଗାଡ଼ି କେସ୍ ଫାଇନାଲ ହେବା ପରେ ଛଡ଼ାଯାଇଥାଏ । ହେଲେ କିଛି ଗାଡ଼ି ସେମିତି ରହିଯାଏ, ଆଉ ସେଇ ଗାଡ଼ିର ଅସଲି ମାଲିକ ପାଖରେ ପୋଲିସ ମଧ୍ୟ ପହଞ୍ଚି ପାରି ନାହିଁ । ଯାହାଫଳରେ ଦୀର୍ଘ ଦିନ ଧରି ଗାଡ଼ି ଗୁଡ଼ିକ ସେମିତି ଥାନାରେ ପଡ଼ି ରହିଥାଏ । ପରେ ସେହି ଗାଡ଼ି ସବୁକୁ ପୋଲିସ ପକ୍ଷରୁ କବାଡ଼ିଆରେ ବିକ୍ରି କରାଯାଇଥାଏ ।
ଠିକ୍ ସେମିତି କୋହ୍ଲାପୁର ଥାନାରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗାଡ଼ି ଗୁଡ଼ିକୁ ବିକ୍ରି ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଗଲା । ଏହି ନିଲାମି ପ୍ରକ୍ରିୟାରେ ସାମିଲ ହେବା ପାଇଁ ୬୭ ପଞ୍ଜିକୃତ କବାଡ଼ିଆ ସଂସ୍ଥା ଅବେଦନ କରିଥିଲେ । ୭ ଲକ୍ଷ ଟଙ୍କାରୁ ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ଓ୍ବଜିର ସ୍କ୍ରାପ୍ ମର୍ଚ୍ୟାଣ୍ଟ ସଙ୍ଗଲିର ଓ୍ବଜିର ଗୁଲାବ ତାସଗାଁଓ୍ବକର ବାଜି ମାରିଥିଲେ । ସେ ମୋଟ ୨୨ ଲକ୍ଷ ୧୫ ହଜାର ଟଙ୍କାରେ ସବୁ ଗାଡ଼ି କିଣିଥିଲେ ।