କୋଲକତା ଦୁଷ୍କର୍ମ : ରାଗିକି ଖପ୍ପା ହେଲେ ସୁପ୍ରିମକୋର୍ଟ

Key Points
- କୋଲକତା ଦୁଷ୍କର୍ମ : ରାଗିକି ଖପ୍ପା ହେଲେ ସୁପ୍ରିମକୋର୍ଟ
- ମମତା ସରକାରକୁ କଲେ ଭର୍ତ୍ସନା
- କାହିଁକି ଡେରିରେ FIR ହେଲା କଲେ ପ୍ରଶ୍ନ ?
ଅର୍ଗସ ବ୍ୟୁରୋ: କୋଲକତା ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଖାଲି ଶୁଣାଣି କରିଛନ୍ତି ତାହା ନୁହେଁ ବରଂ ମମତା ସରକାର ଉପରେ ପ୍ରବଳ ବର୍ଷିବା ସହିତ କାହିଁକି ମାମଲାର ଏତେ ଡେରିରେ FIR ହେଲା ସେନେଇ ପ୍ରଶ୍ନ ବି କରିଛନ୍ତି । ଖାଲି ଏତିକି ନୁହେଁ ଆରଜି କର ହସ୍ପିଟାଲର ଅଧ୍ୟକ୍ଷ କ’ଣ କରୁଥିଲେ ? ପୁଲିସ କାହିଁକି ୧୨ ଘଣ୍ଟା ପରେ ମାମଲା ରୁଜୁ କଲା? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
କୋଲକତା ମାମଲାରେ ଦିଦିଙ୍କ ଦଳ କୁଆଡେ ଅପରାଧୀକୁ ଘଂଟ ଘଡାଉଛନ୍ତି ? ସେଇଥି ଲାଗି ତ ମାମଲା ରୁଜୁ ହେବା ପରେ ପ୍ରଥମେ ଦୁଷ୍କର୍ମ ହୋଇଛି ବୋଲି ମାନିବାକୁ ନାରାଜ ଥିଲା ପୋଲିସ । ପରବର୍ତ୍ତୀ ସମୟରେ ପରିବାର ଅଭିଯୋଗ କରିବା ପରେ ଜଣାପଡ଼ିଥିଲା ଦୁଷ୍କର୍ମ ପରେ ହିଁ ହତ୍ୟା ହୋଇଛି । ଏହାସହ କେମିତି ମାମଲାରେ କିଛି ତଥ୍ୟ ନମିଳେ ସେଇଥି ଲାଗି ଟ୍ରକ୍ରେ ଲୋକଙ୍କୁ ବୁହାଇ ମେଡିକାଲରେ ଭଙ୍ଗାରୁଜା ବି କରାଯାଇଥିଲା । ଦୁଷ୍କର୍ମ ମାମଲା ସଙ୍ଗୀନ ଓ ସାଙ୍ଘାତିକ ହୋଇଥିବା ପରେ ବି ଯେଉଁପରି ଭାବରେ ଗୁରୁତ୍ଵ ଦେବାର କଥା ସେମିତି ଗୁରୁତ୍ଵ ଦିଆଯାଇନଥିଲା ବୋଲି ସ୍ପଷ୍ଟ ହୋଇଥିଲା । ସେଇଥି ଲାଗି ତ ପୁରା ଦେଶରେ ଏହାକୁ ନେଇ ଦେଖିବାକୁ ମିଳିଥିଲା ଜନଅସନ୍ତୋଷ । ଆଉ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ ।
ସବୁଠାରୁ ବଡ କଥା ହେଉଛି, ମାମଲାର ଶୁଣାଣି କରି ଘଟଣା ଘଟିବା ପରେ ଆରଜି କର ହସ୍ପିଟାଲ ଅଧ୍ୟକ୍ଷଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ହସ୍ପିଟାଲରେ ଅଧ୍ୟକ୍ଷ ନିଯୁକ୍ତି କରାଗଲା କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଏହାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସିବିଆଇକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ ବି କରିଛନ୍ତି।
📱 Get Argus News App
✨ସେପଟେ, ଡାକ୍ତରଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି କୋର୍ଟ । ଏଥିସହ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ଖଣ୍ଡପୀଠ। ତଦନ୍ତରେ ଶୀଥିଳତା ଏବଂ ହସ୍ପିଟାଲରେ ଭଙ୍ଗାରୁଜା କରିବା ନେଇ କୋଲକାତା ପୁଲିସ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି। ମୋଟ୍ ଉପରେ, ଅଗଷ୍ଟ ୯ ତାରିଖରେ ଆରଜି.କର ମେଡିକାଲ କଲେଜ ଏବଂ ହସପିଟାଲରେ ୩୧ ବର୍ଷିୟା ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିବା ବେଳେ ସାରା ଦେଶରେ ଡାକ୍ତରଙ୍କ ବିରୋଧ ଓ ଧର୍ମଘଟ ଆରମ୍ଭ ହୋଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ, ସଞ୍ଜୟ ରୟ କୋଲକାତା ପୁଲିସ ଗିରଫ କରିଥିଲା। ହେଲେ ସେହି ସମୟରେ “ପ୍ରିନ୍ସିପାଲ୍ କ'ଣ କରୁଥିଲେ ? ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏଫ୍ଆଇଆର୍ ଦାଖଲ କରାଯାଇ ନଥିଲା କାହିଁକି ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।