Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏଣିକି ଦୁଷ୍କର୍ମ କଲେ, ୧୦ ଦିନରେ ଫାଶୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଣିକି ଦୁଷ୍କର୍ମ କଲେ, ୧୦ ଦିନରେ ଫାଶୀ

Key Points

  • ପ୍ରବଳ ଚାପ ସାମ୍ନାରେ ଦିଦି ଅଣନିଶ୍ଵାସୀ
  • ଦୁଷ୍କର୍ମ ବିରୋଧରେ ଆଣିବେ ନୂଆ ବିଲ୍‌
  • ଦୋଷୀ ସାବ୍ୟସ୍ତ ହେଲେ ମିଳିବ ମୃତ୍ୟୁଦଣ୍ଡ

ଅର୍ଗସ ବ୍ୟୁରୋ: ଅଣନିଶ୍ଵାସୀ ହେଲେଣି ଦିଦି । ଆର ଜି କର ମେଡିକାଲରେ ହୋଇଥିବା ଦୁଷ୍କର୍ମ ମାମଲାରେ ଦିଦିଙ୍କୁ ବିରୋଧୀ ଘେରିବା ସହ ସାଧାରଣ ଲୋକ ବି ଘେରିଥିଲେ । ଏମିତିକି ମାମଲା ଚାପିବାକୁ ଦିଦି କୁଆଡେ ଚାପ ପକାଇଥିଲେ । ସେଇଥି ଲାଗି ତ ପ୍ରଥମେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା କୋଲକତା ପୋଲିସ। ପରେ ପରିବାର ଆପତ୍ତି କରିବା ପରେ ଦୁଷ୍କର୍ମ ଓ ହତ୍ୟା ହୋଇଥିବା କଥା ଜଣାପଡ଼ିଲା । ମାମଲାକୁ ନେଇ ବଙ୍ଗରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ହେଲା । ଗୋଟିଏ ଘଟଣାରେ ଦିଦିଙ୍କ ଚୌକି ପଳାଉଥିବା ଡର ତାଙ୍କୁ ଏମିତି ଘାରିଲା ଯେ ଏବେ ଦୁଷ୍କର୍ମ ବିରୋଧରେ ନୂଆ ଆଇନ ଆଣିବାକୁ ଯାଉଛନ୍ତି ଦିଦି । କୁହାଯାଉଛି କି, ଦୋଷୀ ସାବ୍ୟସ୍ତ ହେଲେ ୧୦ ଦିନରେ ଫାଶୀ ଦଣ୍ଡାଦେଶ ହେବ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି ।

ଆଜିଠୁ ପଶ୍ଚିମବଙ୍ଗରେ ଦୁଇ ଦିନିଆ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଅଧିବେଶନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରସ୍ତାବ ପାରିତ ହେବାର ରହିଛି । ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯିବା ପରେ ଅଧିବେଶନ ହେଉଛି ।

ରାଜ୍ୟରେ ବସିବାକୁ ଥିବା ସ୍ଵତନ୍ତ୍ର ଅଧିବେଶନରେ ଆସନ୍ତାକାଲି ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍ । ଏହି ବିଲ୍‌ରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି । ହେଲେ ମମତା ସରକାରଙ୍କ ପ୍ରସ୍ତାବିତ ଆଇନକୁ ନେଇ ବିତର୍କ ବଢ଼ିବାରେ ଲାଗିଛି । ମୋଟ୍‌ ଉପରେ, ଆରଜି କର ମେଡିକାଲ୍‌ର ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରି କେନ୍ଦ୍ର ସରକାରଙ୍କୁ ୨ ଥର ଚିଠି ଲେଖି ସାରିଲେଣି । ସେପଟେ, ପୁଣି ଥରେ ସରକାରୀ ମେଡିକାଲରୁ ସମାନ ଅଭିଯୋଗ ଆସିଛି ହାୱଡାରୁ । ସରାକରୀ ମେଡିକାଲରେ କମ୍‌ ଟଙ୍କାରେ ଚିକିତ୍ସା ହେବାକୁ ଯାଇଥିଲେ, ହେଲେ ଦୁଷ୍କର୍ମର ଶିକାର ହେଲେ । ମାମଲାର ଜଣାପଡ଼ିବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ, ଅନ୍ୟ ଜଣଙ୍କୁ ଏବେ ବି ଖୋଜୁଛି । ସୂଚନା ଅନୁସାରେ ନାବାଳିକା ଜଣକ ହାୱଡା ସରକାରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଘଟଣା ଦିନ ନାବାଳିକାଙ୍କୁ ସିଟିସ୍କାନ ପାଇଁ ନିଆଯାଇଥିବା ବେଳେ ତାଙ୍କ ସହ ଥିବା ମହିଳାଙ୍କୁ ବାହାର କରି ଦେଇଥିଲା ଅଭିଯୁକ୍ତ । ପରେ ନାବାଳିକାଙ୍କ ସହ ଅସଦାଚରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata murder case | Argus News