କୋଲକାତା ଲଜ୍ଜା: ଜୋର ଧରିଲା ନ୍ୟାୟ ଦାବି

ଅର୍ଗସ ବ୍ୟୁରୋ: କୋଲକାତାରେ ଦିନକୁ ଦିନ ଉଗ୍ର ହେଉଛି ପରିସ୍ଥିତି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯିବା ଘଟଣାରେ ଏଯାଏ କେବଳ ଜଣକୁ ଗିରଫ କରାଯାଇଛି। ଆଜିକୁ ୧୯ ଦିନ ବିତିଯାଇଥିଲେ ସୁଦ୍ଧା ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନି। ମମତା ଏହି ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଏକଛତ୍ରବାଦ ଶାସନ ଚଲାଇଛନ୍ତି।
କୋଲକାତା ମଙ୍ଗଳବାର ଦିନ କୋଲକାତାରେ 'ନବନ୍ନା ଅଭିଯାନ' ବିରୋଧ ପ୍ରଦର୍ଶନ ଜୋର୍ ଧରିଥିବା ବେଳେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ବିକ୍ଷୋଭକାରୀମାନେ ପୋଲିସ୍ ଉପରକୁ ପଥର ଫିଙ୍ଗିବା ସହ ବ୍ୟାରିକେଡ ଭାଙ୍ଗିଛନ୍ତି। ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ପୋଲିସ୍ ପାଣି, ଟିୟର୍ ଗ୍ୟାସ୍ ଓ ଲାଠି ମାଡ଼ ପ୍ରୟୋଗ କରିଛନ୍ତି। ଆରଜି କର ମେଡିକାଲ୍ କଲେଜ୍ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଏହି ବିରୋଧ ଜାରି ରଖିଛନ୍ତି। ସାଧାରଣ ଲୋକଙ୍କୁ ପୋଲିସ ସହାୟତାରେ ମାଡ଼ ମାରୁଛନ୍ତି ଦିଦି। କିନ୍ତୁ ଏମାନେ ତ ନ୍ୟାୟ ପାଇଁ ଲଢ଼ୁଛନ୍ତି। ମମତା ଜଣେ ନାରୀ ହୋଇ ମଧ୍ୟ କିଭଳି ଏହି ଘଟଣାକୁ ବୁଝିପାରୁ ନାହାନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଅନେକ ଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରମାନେ ପୂର୍ବରୁ 'ନବନ୍ନା ଅଭିଯାନ' ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିବାରୁ ସେମାନଙ୍କୁ ରୋକିବା ପାଇଁ ଖୁବ୍ ଅଧିକ ସଂଖ୍ୟକ ପୋଲିସ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ଛକ ଉପରେ କଡ଼ା ନଜର ରଖାଯାଇଥିଲା। ଏହି କାରଣରୁ କୋଲକାତାର ହାୱଡ଼ା ବ୍ରିଜ୍କୁ ସିଲ୍ କରି ଦିଆଯାଇଛି। ତେବେ ଏହି ମାମାଲାରେ ଆଜି ୪ ଜଣ ଛାତ୍ରଙ୍କୁ ଧରାଯାଇ ହେପାଜତରେ ନିଆଯାଇଛି।
ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୋଲିସ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୋଲିସ୍ ଦ୍ବାରା ଯେଉଁ ବାରିକେଡ୍ କରାଯାଇଛି ତାହାକୁ ବିକ୍ଷୋଭକାରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି। ଆଉ କହିଛନ୍ତି ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଏଭଳି ପ୍ରତିବାଦ କରିବୁ। ଯଦି ନ୍ୟାୟ ଦେବାକୁ ପଶ୍ଚିମବଙ୍ଗ ସରକାର ସକ୍ଷମ ନୁହଁନ୍ତି ତେବେ ତୁରନ୍ତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର