ବୈସରନ୍ ଘାଟି ସହ ୩ଟି ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ

Key Points
ପହଲଗାଓଁ ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ପ୍ରସ୍ତୁତି ନେଇ ବଡ଼ ଖୁଲାସା
ବୈସରନ୍ ଘାଟି ସହ ୩ଟି ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ
୪ଜଣ ଓଭର ଗ୍ରାଉଣ୍ଡ ୱାର୍କର୍ସ ରେକିରେ ଆତଙ୍କବାଦୀଙ୍କୁ କରିଥିଲେ ସାହାଯ୍ୟ
ଆକ୍ରମଣ ବେଳେ ଆତଙ୍କବାଦୀ ବ୍ୟବହାର କରିଥିଲେ ୩ ସାଟେଲାଇଟ୍ ଫୋନ୍
ଆତଙ୍କବାଦୀ ଓ ସହଯୋଗୀଙ୍କ ଚେର ଖୋଜିବାକୁ ୧୦୦ରୁ ଅଧିକ ସ୍ଥାନରେ ରେଡ୍
୨୦ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କର୍ସଙ୍କୁ ଏବେ ସୁଦ୍ଧା ଚିହ୍ନଟ କରିସାରିଲାଣି NIA
୧୮୬ଜଣଙ୍କୁ ଏନଆଇଏ ପକ୍ଷରୁ ଅଟକ ରଖାଯାଇ କରାଯାଉଛି ପଚରାଉଚରା
ପହଲଗାଓଁ ନରସଂହାରର ଦୋଷୀଙ୍କୁ ଧରିବାକୁ ଦିନରାତି ଏକ କରି ତଦନ୍ତ ଚଳାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଗୁରୁବାର ଖୋଦ୍ NIA ଡିଜି ସଦାନନ୍ଦ ବସନ୍ତ ପହଲଗାଓଁ ଯାଇ ଆକ୍ରମଣ ସ୍ଥଳରେ ଯାଞ୍ଚର ଅଗ୍ରଗତି ନେଇ କରିଛନ୍ତି ସମୀକ୍ଷା। ଏହମଧ୍ୟରେ ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ପ୍ରସ୍ତୁତି ନେଇ ହୋଇଛି ବଡ଼ ଖୁଲାସା। ହମାସ୍ ଆତଙ୍କୀ ଢାଞ୍ଚାରେ ପହଲଗାମରେ ହୋଇଥିଲା ଆକ୍ରମଣ । ହମାସ୍ ଆତଙ୍କୀମାନେ ଆକ୍ରମଣ ବେଳେ ଯେପରି ବଡି କ୍ୟାମେରା ଲଗାଇଥାନ୍ତି ପହଲଗାମ୍ ଆତଙ୍କୀମାନେ ସେପରି ହେଲମେଟ୍ ପିନ୍ଧିଥିଲେ । ପହଲଗାମ ନରସଂହାର ପୂର୍ବରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସରନ୍ ଘାଟି ସହ ୩ଟି ସ୍ଥାନ ବି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା । ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ଆଉ ଏଥିରେ ସେମାନଙ୍କୁ ସାହାଯ୍ୟ କରିଥିଲେ ୪ ଜଣ ଓଭର ଗ୍ରାଉଣ୍ଡ ୱାର୍କର୍ସ । ସମାନଙ୍କୁ ଧରିବାକୁ ଏନଆଇଏ ଟିମ୍ ଚଳାଇଛି ତନାଘନା।
୨୦ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କର୍ସଙ୍କୁ NIA ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରିଥିବା ଜଣାପଡିଛି। କେତେକ ଓଭର ଗ୍ରାଉଣ୍ଡ ୱାର୍କର୍ସଙ୍କୁ NIA ଗିରଫ ମଧ୍ୟ କରିସାରିଛି।
ପହଲଗାଓଁ ନରସଂହାର ବେଳେ ୩ଟି ସାଟେଲାଇଟ୍ ଫୋନ୍ ବ୍ୟବହାର କରାଯାଇଥିବା ଏନଆଇଏ ଜାଣିବାକୁ ପାଇଛି। ସେଥିରୁ ଦୁଇଟି ଫୋନର ସିଗନାଲ ଜାଞ୍ଚ ଏଜେନ୍ସୀ ଟ୍ରେସ୍ କରିସାରିଥିବା ଜଣାପଡ଼ିଛି। ପହଲଗାମ୍ ନରସଂହାରର ୨୫୦୦ ସନ୍ଦିଗ୍ଧଙ୍କ ମଧ୍ୟରୁ ୧୮୬ଜଣଙ୍କୁ ଏନଆଇଏ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପୂରା ଜାମ୍ମୁ କାଶ୍ମୀରରେ ୧୦୦ରୁ ଅଧିକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଏନଆଇଏ ପକ୍ଷରୁ ରେଡ୍ କରାଯାଇଛି।କୁପୱାଡ଼ା, ହନ୍ଦୱାଡ଼ା, ନନ୍ତନାଗ, ତ୍ରାଲ, ପୁଲୱାମା, ସୋପୋର,ବରମୁଲା ଓ ବାନ୍ଦିପୁରାର ବିଭିନ୍ନ ସ୍ଥାନରେ ଏନଆଇଏ ଚଢଉ ଜାର ରଖିଛି। ଇସ୍ରାଏଲ ଢାଞ୍ଚାରେ ଆତଙ୍କୀଙ୍କୁ କଡା ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି
ପହଲଗାଓଁ ନରସଂହାରରେ ପାକିସ୍ତାନର ହାତ ଥିବା ନେଇ NIA ହାତରେ ବଡ଼ ସୁରାଗ ଲାଗିଥିବା ଜଣାପଡ଼ିଛି। ହୁରିୟତ କନଫରେନ୍ସ ଏବଂ ଜମାତ-ଏ- ଇସଲାମୀର ସମର୍ଥକଙ୍କ ଘରେ ଚଢଉ କରାଯାଇଛି। ଏଥିରେ ଜାଞ୍ଚ ଏଜେନ୍ସୀକୁ ସେମାନଙ୍କର ଦେଶବିରୋଧୀ ଗତିବିଧି ନେଇ ବହୁ ପ୍ରମାଣ ମିଳିଥିବା ଜଣାପଡ଼ିଛି। ସେମାନଙ୍କର କଲ ରେକର୍ଡ ଜାଞ୍ଚ କରାଯାଉଛି। ବିଶ୍ବ ସମୁଦାୟ ଆଗରେ ପାକିସ୍ତାନକୁ ଏକ୍ସପୋଜ୍ କରିବାକୁ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ଏନଆଇଏ। ତେବେ ଏହା ପୂର୍ବରୁ ଖୋଦ୍ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ଆତଙ୍କବାଦର ଟ୍ରେନିଂ ସେଣ୍ଟର ବୋଲି ସ୍ବୀକାର କରିସାରିଛନ୍ତି। ଏପରିକି ପୁଲୱାମା ଆଟାକ୍ ବି ପାକିସ୍ତାନ କରାଇଥିବା ନେଇ ପକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ କହିସାରିଛନ୍ତି।
ଗୋଟେପଟେ ଖୋଦ୍ ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଆତଙ୍କାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫ୍ରି ହାଣ୍ଡ ଦେଇସାରିଛନ୍ତି। ଏପଟେ ଏନଆଇଏ ପଲହଗାଓଁ ଆକ୍ରମଣ ପଛରେ ପାକିସ୍ତାନର ପ୍ରତ୍ୟକ୍ଷ ହାତ ଥିବା ନେଇ ପ୍ରମାଣ ଯୋଗାଡ଼ କରିସାରିଛି। ତେଣୁ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ବ ସମୁଦାୟ ଆଗରେ ପର୍ଦ୍ଦାଫାଶ ହେବାରେ ଆଉ ବେଶୀ ଡେରି ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ପଛରେ ବିଶ୍ବର ଅଧିକାଂଶ ରାଷ୍ଟ୍ରଙ୍କର ସମର୍ଥନ ରହିଛି ଆଉ ପାକିସ୍ତାନ ହୋଇସାରିଛି ଏକଘରକିଆ।