୨୦୦୦ ମସିହାରୁ ୨୦୨୫ ମଧ୍ୟରେ ଏମିତି ନରସଂହାର କରିଛନ୍ତି ଆତଙ୍କବାଦୀ

ମଙ୍ଗଳବାର ପହଲଗାମରେ ମୃତ୍ୟୁର ବିଭୀଷିକା ରଚିଛନ୍ତି ଆତଙ୍କବାଦୀ। ଧର୍ମ ପଚାରି ମାରିଲେ ଗୁଳି। ଏ ହୃଦୟ ବିଦାରକ ଘଟଣା ଛାତି ଥରାଇ ଦେଇଛି ସମସ୍ତଙ୍କର। କି ଦୋଷ କରିଥିଲେ ସେମାନେ ? ସେମାନଙ୍କର ଦୋଷ କେବଳ ଏତିକି ସେମାନେ ହିନ୍ଦୁ ଥିଲେ।
ହୋଟେଲର ଘାସ ଗାଲିଚାରେ ପ୍ରକୃତିର ମଜା ନେଉଥାନ୍ତି ପର୍ଯ୍ୟଟକ। କିଏ ଖାଉଥାଏ, କିଏ ଖେଳୁଥାଏ ଆଉ କିଏ ସ୍ମୃତିକୁ ସାଇତି ରଖିବାକୁ କ୍ୟାମେରାରେ କଏଦ କରୁଥାନ୍ତି। ଆଉ ଏତିକି ବେଳେ ହଠାତ୍ ସେନା ଆଉ ପୋଲିସ ପୋଷାକ ବିନ୍ଧି ପ୍ରବେଶ କରନ୍ତି ତିନି ଚାରିଜଣ। ସୁରକ୍ଷା କର୍ମୀ ଭାବି ସମସ୍ତେ ସହଯୋଗ କରନ୍ତି। ପ୍ରଥମେ ସେମାନେ ପର୍ଯ୍ୟଟକଙ୍କ ପରିଚୟ ମାଗନ୍ତି।
ଆଉ ଯିଏ ହିନ୍ଦୁ ବୋଲି କୁହନ୍ତି ତାଙ୍କ ଉପରେ କରନ୍ତି ଅତର୍କିତ ଗୁଳି ଚାଳନା। ଘଟଣା ପରର ଭିଡିଓ ସାମ୍ନାକୁ ଆସିବା ପରେ ଯିଏ ଦେଖୁଛି ସିଏ ବିଚଳିତ ହୋଇ ଯାଉଛି। ଜଣେ ବ୍ୟକ୍ତି ଗୁଳିମାଡ଼ ପରେ ତଳେ ପଡ଼ିଛନ୍ତି। କିଛି ଦୂରତାରେ ତାଙ୍କ ପତ୍ନୀ ସାହାଯ୍ୟ ପାଇଁ ନେହୁରା ହେଉଥିବାର ଦୃଶ୍ୟ ସାରା ଦେଶକୁ ସ୍ତବ୍ଧ କରି ଦେଇଛି।
ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ହମଲା ଇଏ ପ୍ରଥମ ନୁହେଁ। ଏମିତି ଅନେକ ବାର ହୋଇଛି। ଯେଉଁଥିରେ ବଳି ପଡିଛନ୍ତି ସ୍ଥାନୀୟ ଲୋକେ, ସୁରକ୍ଷା କର୍ମୀ ଓ ପର୍ଯ୍ୟଟକ।
ଜାଣନ୍ତୁ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇଥିବା କିଛି ବଡ଼ବଡ଼ ଆତଙ୍କୀ ହମ୍ଲା -
୨୧ ମାର୍ଚ୍ଚ, ୨୦୦୦ ମସିହା : ମାର୍ଚ୍ଚ ୨୦ ଓ ୨୧ ରାତିରେ ଅନନ୍ତନାଗ ଜିଲ୍ଲାର ଚଟିସିଂପୋରା ଗାଁରେ ଶିଖ ସମ୍ପ୍ରଦାୟ ଉପରେ ହୋଇଥିଲା ବଡ଼ ଧରଣର ଆତଙ୍କବାଦୀ ହମ୍ଲା। ଆକ୍ରମଣକାରୀମାନେ ଭାରତୀୟ ସେନା ପୋଷାକ ପିନ୍ଧି ପ୍ରବେଶ କରିଥିଲେ ଏଠାକୁ । ସମସ୍ତଙ୍କୁ ଧାଡିରେ ଠିଆ କରି ଗୁଳି ଚଳାଇଥିଲେ। ୩୬ ଜଣ ଶିଖ୍ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ।
୨୦୦୦ ମସିହା ଅଗଷ୍ଟ ମାସ : ଅମରନାଥ ଯାଉଥିବା ୨୪ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ନେଇଥିଲେ ଆତଙ୍କବାଦୀ। ନୂନୱାନ ବେସ୍ କ୍ୟାମ୍ପରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ।
୨୦୦୧ ଜୁଲାଇ: ଅନନ୍ତନାଗ ଶେଷନାଗ ବେସ୍ କ୍ୟାମ୍ପରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିଲା ଆତଙ୍କବାଦୀ ହମ୍ଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।
📱 Get Argus News App
✨୧ ଅକ୍ଟୋବର, ୨୦୦୧: ଶ୍ରୀନଗରର ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ବିଧାନସଭା ପରିସରରେ ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୦୨ : ଚନ୍ଦନୱାରି ବେସ୍ କ୍ୟାମ୍ପରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିଲା ଆତଙ୍କବାଦୀ ହମ୍ଲା। ଯେଉଁଥିରେ ୧୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।
୨୦୦୨ ନଭେମ୍ବର ୨୩ : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଲୋୟର ମୁଣ୍ଡାରେ ଏକ୍ସପ୍ଲୋସିଭ୍ ଡିଭାଇସ୍ ବିସ୍ଫୋରଣ କରିଥିଲେ ଆତଙ୍କୀ, ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୦୩ ମାର୍ଚ୍ଚ ୨୩: କାଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ କରାଯାଇଥିଲା ହତ୍ୟା। ପୁଲୱାମା ଜିଲ୍ଲାର ନନ୍ଦିମାର୍ଗ ଗ୍ରାମରେ ୧୧ ଜଣ ମହିଳା ଓ ଦୁଇ ଜଣ ଶିଶୁଙ୍କ ସମେତ ୨୪ ଜଣ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ।
୨୦୦୫ ଜୁନ୍ ୧୩- ପୁଲଓ୍ବାମାରେ ଏକ ବିସ୍ଫୋରକ କାର୍ ଦ୍ବାରା ବଡ଼ ଧରଣର ବିସ୍ଫୋରଣ ଘଟାଇଥିଲେ ଆତଙ୍କୀ। ଏହି ଆତ୍ମଘାତୀ ବିସ୍ଫୋରଣରେ ଦୁଇଜଣ ସ୍କୁଲ ପିଲାଙ୍କ ସମେତ ୧୩ ଜଣ ଲୋକଙ୍କର ପ୍ରାଣହାନୀ ହୋଇଥିଲା।
୨୦୧୬ ସେପ୍ଟେମ୍ବର ୧୮ : ଉରିରେ ଥିବା ଭାରତୀୟ ସେନା ମୁଖ୍ୟାଳୟ ଉପରେ ଅତର୍କିତ ହମ୍ଲା କରିଥିଲେ ଆତଙ୍କୀ। ଚାରିଜଣ ଆତଙ୍କବାଦୀ ରକ୍ତ ରଞ୍ଜିତ କରିଥିଲେ ସେନା କାଯ୍ୟାଳୟକୁ। ଏଥିରେ ପ୍ରାଣ ହରାଇଥିଲେ ୧୯ ଜଣ ସୈନିକ।
୨୦୧୭ ଜୁଲାଇ ୧୦ - ଅମରନାଥ ଯାତ୍ରୀଙ୍କ ବସ୍ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଯେଉଁଥିରେ ପ୍ରାଣ ହରାଇଥିଲେ ୮ ଜଣ ତୀର୍ଥ ଯାତ୍ରୀ।
୨୦୧୯ ଫେବୃଆରୀ ୧୪ - ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସକୁ ଧକ୍କା ଦେଇଥିଲା ଏକ ଆତ୍ମଘାତୀ ବିସ୍ଫୋରକ ଭର୍ତ୍ତି କାର୍। ଏଥିରେ ସହିଦ୍ ହୋଇଥିଲେ ୪୦ ଜଣ ଯବାନ। ଜୈଶ-ଇ- ମହମ୍ମଦ ଆତଙ୍କୀ ସଂଗଠନର ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୪୦ ଜଣ ସେନା ଶଦୀହ ହୋଇଯାଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ବାଲାକୋଟରେ ହୋଇଥିଲା ଏୟାରଷ୍ଟ୍ରାଇକ୍ । ଆଉ ଏବେ ୨୦୨୫ ଏପ୍ରିଲ ୨୨ ରେ ଜମ୍ମୁକାଶ୍ମୀର ପହଲଗାମରେ ନରସଂହାର କରିଛନ୍ତି କାପୁରୁଷ ମାନେ।