ଗୋଟିଏ ରଥରେ ବାହାରିଲେ ୩ ଠାକୁର, ଟାଣିଲେ ହଜାର ହଜାର ଶ୍ରଦ୍ଧାଳୁ

Key Points
ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ରାଜ୍ୟସଭା ସଂସଦ ତଥା ପୂର୍ବତନ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନରହରି ଅମିନ ସମାରୋହରେ ଯୋଗ ।
ଗୁଜରାଟର ଗାନ୍ଧୀନଗରର ଅଦାଲଜରରେ ବି ଗଡ଼ିଲା ରଥ । ଗୋଟିଏ ରଥରେ ବସିଲେ ତିନିଠାକୁର । ଆଉ ରଥକୁ ଟାଣି ନେଲେ ଭକ୍ତ । ହଜାର ହଜାର ଭକ୍ତ ଏହି ରଥଯାତ୍ରାରେ ସାମିଲ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖି ସମସ୍ତେ ଆତ୍ମବିଭୋର ହୋଇପଡ଼ିଛନ୍ତି । ଘଣ୍ଟ... କାହାଳି... ହରିବୋଲ... ଜୟ ଜଗନ୍ନାଥ ଶବ୍ଦରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସମସ୍ତେ ଆଧ୍ୟାତ୍ମିକ ଚେତନାରେ ବୁଡ଼ି ରହିଛନ୍ତି । ଏଠି ଭକ୍ତ ଆଉ ଭଗବାନ ସତେ ଯେମିତି ଏକକାର ।
ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର ଏହି ରଥଯାତ୍ରାର ଆୟୋଜନ କରିଛି । ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଏଠାରେ ପାଳିତ କରାଯାଇ ବିଶ୍ୱ ଭ୍ରାତୃତ୍ୱର ସଂସ୍କୃତିକୁ ପ୍ରତିପାଦିତ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଉଛି। ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ "ଜଗନ୍ନାଥ ରଥଯାତ୍ରା" ପାଳିତ ହୋଇଛି।
ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ପରମ୍ପରା ଏବଂ ରୀତିନୀତି ଏଠାରେ ପାଳନ କରାଯାଉଛି । ରାଜ୍ୟସଭା ସଂସଦ ତଥା ପୂର୍ବତନ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନରହରି ଅମିନ ସମାରୋହରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନର ମେୟର ମୀରାବେନ ପଟେଲ ଯୋଗଦେଇଥିଲେ।
ସେମାନଙ୍କ ଆଗମନ ପରେ, ମନ୍ଦିର ପରିଚାଳନାର ଅଧ୍ୟକ୍ଷ ମହେଶ୍ୱର ସାହୁ ଏବଂ ଓଏସସିଏର ସଭାପତି ଏଚ୍. କେ. ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହା ପରେ, ମୁଖ୍ୟ ପୁରୋହିତ ପ୍ରଭୁଙ୍କ ଆଜ୍ଞାମାଳ ସହିତ ପାରମ୍ପରିକ 'ଛେରାପହରା' କରିଥିଲେ। ତାପରେ ଟଣାଯାଇଥିଲା ରଥ । ରଥଯାତ୍ରା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ଶନି ମନ୍ଦିର ଦେଇ ଆଗକୁ ବଢ଼ି ଉଭର୍ଷଦ ସେତୁ ଏବଂ ଅଦାଲଜ ସର୍କଲ ଦେଇ ଅନ୍ନପୂର୍ଣ୍ଣା ମନ୍ଦିରରେ ପହଞ୍ଚିବ। ରଥ ପହଞ୍ଚିବା ପରେ, ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଅଧ୍ୟକ୍ଷ ନରହରି ଅମିନ, ଅନ୍ୟ ଟ୍ରଷ୍ଟିଙ୍କ ସହିତ, ମା’ ଅନ୍ନପୂର୍ଣ୍ଣାଙ୍କ ପାଇଁ ଭେଟ ଗ୍ରହଣ କରିବେ ଏବଂ ଆଳତି କରାଯିବ।