Videos
|
National

Gold Sweet / ସୁନାରେ ତିଆରି ମିଠାର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍, ଗୋଟିଏ ଖଣ୍ଡ ୧,୧୧୧ ଟଙ୍କା

Rashmita Mishra
Browse all articles by Rashmita Mishra
·1 hour ago·2 min read
ସୁନାରେ ତିଆରି ମିଠାର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍, ଗୋଟିଏ ଖଣ୍ଡ ୧,୧୧୧ ଟଙ୍କା
Gold Sweet

Key Points

ଜୟପୁରରେ ଚର୍ଚ୍ଚାରେ ୧.୨୩ ଲକ୍ଷ ଟଙ୍କିଆ ସ୍ୱତନ୍ତ୍ର ମିଠା ‘ତ୍ୟୋହାର ଅଶର୍ଫି’
ସୁନାରେ ତିଆରି ମିଠାର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍, ଗୋଟିଏ ଖଣ୍ଡ ୧,୧୧୧ ଟଙ୍କା
ଦୀପାବଳିରେ ରାଜକୀୟ ମିଠାର ଜଲୱା, ୨୪ କ୍ୟାରେଟ୍ ସୁନାରେ ବଢ଼ିଲା ମିଠାର ଚମକ
ନବରତ୍ନଠାରୁ ସୁନା ଅଶର୍ଫି ଯାଏଁ, ଜୟପୁରରେ ଦାମୀ ମିଠାର ଧୁମ୍

ଦୀପାବଳି ପର୍ବ ଅବସରରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଦାମୀ ଓ ସ୍ୱତନ୍ତ୍ର ମିଠାକୁ ନେଇ ଚର୍ଚ୍ଚା ଜୋର ଧରିଛି । ‘ତ୍ୟୋହାର ଅଶର୍ଫି’ ନାମକ ଏହି ରାଜକୀୟ ମିଠାର ଗୋଟିଏ ଖଣ୍ଡର ମୂଲ୍ୟ ୧,୧୧୧ ଟଙ୍କା । ଏହାର ଏକ କିଲୋଗ୍ରାମ ମୂଲ୍ୟ ପ୍ରାୟ ୧ ଲକ୍ଷ ୨୩ ହଜାର ୪୪୪ ଟଙ୍କା ।

ଦେଖିବାକୁ ପୁରୁଣା ସୁନା ମୁଦ୍ରା ଭଳି ଏହି ମିଠାକୁ ବାଦାମ ପେଷ୍ଟ, କାଶ୍ମୀରୀ କେଶର, ସ୍ୱର୍ଣ୍ଣ ଏବଂ ୨୪ କ୍ୟାରେଟ୍ ଖାଇବା ଯୋଗ୍ୟ ସୁନାର ବର୍କ ବ୍ୟବହାର କରି ପ୍ରସ୍ତୁତ କରାଯାଉଛି । ଏହାର ୯ ଖଣ୍ଡ ଥିବା ଏକ ବାକ୍ସର ଦାମ୍ ୯,୯୯୯ ଟଙ୍କା ରଖାଯାଇଛି । ଭିଆଇପି ଓ କର୍ପୋରେଟ୍ ଉପହାର ପାଇଁ ଏହା ଗ୍ରାହକଙ୍କ ଆକର୍ଷଣ ପାଲଟିଛି ।
ରାଜାମହାରାଜାଙ୍କ ପରମ୍ପରାରୁ ପ୍ରେରିତ ମିଠା

ଏହି ଆଉଟଲେଟ୍‌ର ପ୍ରତିଷ୍ଠାତା ସିଏ ଅଞ୍ଜଳି ଜୈନଙ୍କ କହିବା ଅନୁସାରେ, ପୂର୍ବ ସମୟରେ ରାଜାମହାରାଜାମାନେ ସୁନାର ଅଶର୍ଫି ଉପହାର ଦେବାର ପରମ୍ପରାରୁ ଏହି ମିଠା ପ୍ରସ୍ତୁତ କରିବାର ଚିନ୍ତା ଆସିଥିଲା । ଏଥିରେ ବ୍ୟବହୃତ ସୁନା ଆୟୁର୍ବେଦିକ ମାନଦଣ୍ଡ ଅନୁସାରେ ସୁରକ୍ଷିତ ବୋଲି ସେ ଦାବି କରିଛନ୍ତି । ଏହା ବ୍ୟତୀତ ‘ସ୍ୱର୍ଣ୍ଣ ପ୍ରସାଦମ୍’ ନାମରେ ଆଉ ଏକ ମିଠା ମଧ୍ୟ ବଜାରକୁ ଆସିଛି । ଏହାର କିଲୋଗ୍ରାମ ପିଛା ମୂଲ୍ୟ ୧ ଲକ୍ଷ ୧୧ ହଜାର ଟଙ୍କା ।

ନବରତ୍ନ ଓ ବାଣ ଆକୃତିର ମିଠା ମଧ୍ୟ ଆକର୍ଷଣ
ଜୟପୁରର ରତ୍ନ ପରିଚୟକୁ ଦର୍ଶାଇବା ପାଇଁ ‘ନବରତ୍ନ ମିଠା’ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହା ସହିତ ଦୀପାବଳିର ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବାଣ ଆକୃତିର ମିଠା ମଧ୍ୟ ଗ୍ରାହକଙ୍କ ମନ ଜିଣୁଛି । ଏହି ମିଠାଗୁଡ଼ିକ ପ୍ରସ୍ତୁତ କରିବା ସମୟରେ ସୁନା ଓ ରୁପା ବ୍ୟବହାର ହେଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ରଖାଯାଉଛି । ଏଥିରେ କୃତ୍ରିମ ରଙ୍ଗ ବ୍ୟବହାର ନକରି ପ୍ରାକୃତିକ ରଙ୍ଗ ଓ ସ୍ୱାଦକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଅଞ୍ଜଳି ଜୈନ କହିଛନ୍ତି ।

ସୂଚନାଯୋଗ୍ୟ, ଦୀପାବଳିରେ ମିଠା ବାଣ୍ଟିବା ଭାରତୀୟ ପରମ୍ପରାର ଏକ ଅଂଶ । ପୂର୍ବରୁ ଲୋକମାନେ ଘରେ ତିଆରି ଲଡ଼ୁ ଓ ବିଭିନ୍ନ ମିଠା ପରସ୍ପରକୁ ଦେଉଥିଲେ । କିନ୍ତୁ ଏବେ ସୁନା ଓ ରୁପାରେ ତିଆରି ଏଭଳି ଦାମୀ ମିଠା ଉତ୍ସବର ଆକର୍ଷଣ ବଢ଼ାଇଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: