Mahakumbh Mela 2025:P UP ସରକାରଙ୍କ ସ୍ୱତନ୍ତ୍ର ଆୟୋଜନ, ଜେଲ୍ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ

ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା କାରାଗାରର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏପଟେ ସରିସରି ଆସୁଛି ମହାକୁମ୍ଭ । ୨୬ ତାରିଖରେ ମହାକୁମ୍ଭ ସରୁଥିବାରୁ ଏବଂ ସେଦିନ ଶିବରାତ୍ରୀ ପଡୁଥିବାରୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଅନ୍ୟପଟେ ଆଜି ରବିବାର ଛୁଟି ଥିବାରୁ ସମସ୍ତେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି ।
ପ୍ରୟାଗରାଜ ମହାକୁମ୍ଭ ମେଳା ଓ ସଙ୍ଗମରେ ବୁଡ଼ ପକାଇବାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ କଥା ସାମ୍ନାକୁ ଆସିଛି। ଜେଲ୍ରେ ପ୍ରଥମେ ଏକାଠି ହେଲେ ହଜାର ହଜାର ହିନ୍ଦୁ ମୁସଲିମ କଏଦୀ । ଶରୀରରେ ପବିତ୍ର ପାଣି ଢାଳିଲେ। ହର ହର ଗଙ୍ଗେ ନାରାରେ କମ୍ପିଲା କାରାଗାର।
ଜେଲ ଭିତରରେ ରଙ୍ଗ ବେରଙ୍ଗର ମାଠିଆରେ ମହାକୁମ୍ଭର ପବିତ୍ର ସଙ୍ଗମ ଜଳ ରଖାଯାଇଥିଲା। ଏହାକୁ ମୁଣ୍ଡ ଉପରେ ଥୋଇ ହରହର ମହାଦେବ, ହର ହର ଗଙ୍ଗେ ନାରାଦେଇ ଟେକି ଆଣିଛନ୍ତି କଏଦୀ। ଯେଉଁଥିରେ ହିନ୍ଦୁ ମାନଙ୍କ ସହ ମୁସଲମାନ କଏଦୀ ମଧ୍ୟ ସାମିଲ ହୋଇଥିଲେ। ଆଉ ମହାକୁମ୍ଭର ଜଳରେ ସ୍ନାନ କରି ସେମାନେ ଖୁସିରେ ନାଚି ଉଠିଥିଲେ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜେଲରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯାହା ଦ୍ୱାରା ଜେଲରେ ବନ୍ଦୀମାନେ ମଧ୍ୟ ମହାକୁମ୍ଭ ସ୍ନାନରେ ସାମିଲ୍ ହୋଇପାରିବେ।
ଜେଲ ପ୍ରଶାସନ ପ୍ରୟାଗରାଜରୁ ମହାକୁମ୍ଭ ଜଳ ଆଣିବାର ବ୍ୟବସ୍ଥା କରିଥିଲେ। ଏହି ପାଣି ଜେଲ ଭିତରେ ଥିବା ୧୨ଟି ସ୍ନାନାଗାରକୁ ବଣ୍ଟନ କରାଯାଇଥିଲା। ଜେଲରେ ମୋଟ ୨୫୦୦ କଏଦୀ ରହିଛନ୍ତି। ଯେଉଁମାନେ ଖୁବ ଉତ୍ସାହର ସହ ଏକାଠି ସଙ୍ଗମ ଜଳରେ ସ୍ନାନ କରିଥିଲେ। ସ୍ନାନ କରିବାକୁ କଏଦୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାସହ ଜେଲ ଭିତରେ ଭଜନ, କୀର୍ତ୍ତନ ଏବଂ ପ୍ରାର୍ଥନା ମଧ୍ୟ ଆୟୋଜନ କରାଯାଇଥିଲା। ଆଉ ମହାସ୍ନାନ କରିବା ପରେ ସେମାନେ ଖୁସିରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ଜଣେ କଏଦୀ କହିଥିଲେ, "ଆମେ କେବେ ଭାବି ନଥିଲୁ ଯେ ଜେଲରେ ଥାଇ ଆମେ ମହାକୁମ୍ଭରେ ବୁଡ଼ ପକାଇବାର ସୁଯୋଗ ପାଇବୁ। ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା କଏଦୀମାନଙ୍କ ଚରିତ୍ର ଏବଂ ମାନସିକତାରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜେଲ କର୍ତ୍ତୃପଖ୍ୟ । ଯାହାକୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।
ତେବେ ଗତ କିଛି ଦିନ ଧରି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସବୁରି ମୁହଁରେ ମହାକୁମ୍ଭ ଶବ୍ଦ । ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ଅମୃତ ବେଳାରେ ବୁଡ ପକାଇବେ, ଅକ୍ଷୟ ପୁଣ୍ୟ ଅର୍ଜନ କରିବେ । ଏମିତି ଭାବନା ନେଇ କୋଟି କୋଟି ଶ୍ରଦ୍ଧାଳୁ ଦେଶରୁ ବିଦେଶ ସବୁଠୁ ଧାଇଁ ଆସୁଛନ୍ତି । ଏତେ ଲୋକଙ୍କ ପାପ ଖଣ୍ଡନ କରୁ କରୁ ଏବେ ଗଙ୍ଗା, ଯମୁନାର ସଙ୍ଗମ ଘାଟ ପୁତିଗନ୍ଧମୟ ହୋଇଗଲାଣି । ପ୍ରୟାଗରାଜର ଗଙ୍ଗା-ଯମୁନା ପାଣି ଅନେକ ଜାଗାରେ ଆଉ ବ୍ୟବହାର ଯୋଗ୍ୟ ହୋଇ ନାହିଁ । କହିବାକୁ ଗଲେ ସଙ୍ଗମର ଅନେକ ସ୍ଥାନରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ସ୍ତର ବହୁତ ଅଧିକ ବଢିଗଲାଣି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ଏକ ରିପୋର୍ଟ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲକୁ ଦେଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଫିକଲ କୋଲିଫର୍ମ ଯୋଗୁ ସଙ୍ଗମର ଜଳ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି ।