Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରିଲା ମହାକୁମ୍ଭ, ୧୨ ବର୍ଷ ପରେ ବୃଷ ରାଶିରେ ବୃହଷ୍ପତ୍ତି ପ୍ରବେଶ ସହ ହେବ ପୂର୍ଣ୍ଣକୁମ୍ଭ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସରିଲା ମହାକୁମ୍ଭ, ୧୨ ବର୍ଷ ପରେ ବୃଷ ରାଶିରେ ବୃହଷ୍ପତ୍ତି ପ୍ରବେଶ ସହ ହେବ ପୂର୍ଣ୍ଣକୁମ୍ଭ

ସଙ୍ଗମରେ ସରିଲା ମହାକୁମ୍ଭ । ମହାଶିବରାତ୍ରିରେ ତ୍ରିବେଣୀ ସଂଗମରେ ଶେଷ ଅମୃତ ସ୍ନାନ ସରିଛି । ମେଳା ଶେଷ ଦିନରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ ପକାଇଛନ୍ତି ପବିତ୍ର ବୁଡ଼ । ବିଦେଶୀଙ୍କ ଆକ୍ରମଣ, ବିଧର୍ମୀଙ୍କ ହଜାର ବର୍ଷର କଷଣ ପରେ ବି ଅକ୍ଷୟ ରହିଛି ସନାତନ ଧର୍ମ । ବିଶ୍ୱର ସର୍ବବୃହତ୍ତ ଆଧ୍ୟାତ୍ମିକ ସମାବେଶରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦିଆଯାଇଛି । ମହାକୁମ୍ଭ ହିଁ ପ୍ରମାଣ କରୁଛି, ସନାତନ ସଂସ୍କୃତି ପ୍ରତି ବଢୁଛି ବିଶ୍ୱବାସୀଙ୍କ ଆସ୍ଥା ।

ହର ହର ମହାଦେବ, ଜୟ ମା ଗଙ୍ଗା ଧ୍ୱନିରେ କମ୍ପୁଥିଲା ମହାତୀର୍ଥ ପ୍ରୟାଗରାଜ । ୧୪୪ ବର୍ଷର ଅପେକ୍ଷା ପରେ ଅମୃତ ଭୂମିକୁ ଫେରିଥିବା ମହାକୁମ୍ଭର ଶେଷ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ପାଖାପାଖି ୨ କୋଟି ଶ୍ରଦ୍ଧାଳୁ। ମହାଶିବରାତ୍ରୀରେ ଶେଷ ଅମୃତ ସ୍ନାନରେ ଲକ୍ଷାଧିକ ବିଦେଶୀ ଶ୍ରଦ୍ଧାଳୁ ସାମିଲ ହୋଇ କରିଛନ୍ତି ଭାରତୀୟ ସଂସ୍କୃତିର ଜୟଗାନ । ଆକାଶରୁ ହୋଇଛି ପୁଷ୍ପବର୍ଷା । ଶେଷଦିନରେ ମହାକୁମ୍ଭ ମେଳା କ୍ଷେତ୍ରରେ ଭାରତୀୟ ବାୟୁସେନାର ଏୟାର ଶୋ ଶ୍ରଦ୍ଧାଳୁଙ୍କୁ ଦେଇଥିଲା ଭିନ୍ନ ଅନୁଭବ । ପାହାନ୍ତି ପ୍ରହରରୁ ସଂଗମକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ ।

ମହାକୁମ୍ଭ ପ୍ରଶାସନ ରିପୋର୍ଟ ଅନୁସାରେ ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ ଯାଏ ମହାକୁମ୍ଭରେ ୧୮୩ଟି ଦେଶରୁ କୋଟିଏରୁ ଅଧିକ ବିଦେଶୀଙ୍କ ସମେତ ବୁଡ଼ ପକାଇଛନ୍ତି ୬୬ କୋଟି ଶ୍ରଦ୍ଧାଳୁ । ଏହି ବିଶ୍ବକୀର୍ତ୍ତିମାନ ସ୍ଥାପନ ଭାରତୀୟ ସଂସ୍କୃତି ପ୍ରତି ବିଦେଶୀଙ୍କ ଆକର୍ଷଣ ପ୍ରମାଣିତ କରୁଛି । ହଜାର ହଜାର ବର୍ଷ ଧରି ବିଦେଶୀ, ବିଧର୍ମୀଙ୍କ ଆକ୍ରମଣ, ଲୁଣ୍ଠନ ସତ୍ତ୍ବେ ଆଜି ବି ଅକ୍ଷୟ, ଅଜେୟ, ଅମର ସନାତନ ସଂସ୍କୃତି । ଆଜି ବି ପବିତ୍ର ଗଙ୍ଗା ତଟରୁ ବିଶ୍ବବାସୀଙ୍କୁ ଶାନ୍ତି, ସଦଭାବନାର ମନ୍ତ୍ର ବାଣ୍ଟୁଛି ଭାରତବର୍ଷ । କୁମ୍ଭମେଳା ଶେଷ ହେଉଥିବାରୁ ଭାବବିହ୍ବଳ ହେବା ସହ ମେଳାରେ ସାମିଲ ହୋଇ ଦିବ୍ୟ ଅନୁଭୂତି ବଖାଣିଛନ୍ତି ଶ୍ରଦ୍ଧାଳୁ ।

ଏତେ ବିଶାଳ ଆୟୋଜନ ସାରା ବିଶ୍ବକୁ ଚକିତ କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଏବଂ ଦୂରଦର୍ଶିତା ହିଁ ମହାକୁମ୍ଭକୁ ଏଭଳି ଭବ୍ୟ ଏବଂ ଦିବ୍ୟ ସ୍ବରୂପ ଦେବାରେ ସଫଳ ହୋଇଛି । ବିଶାଳ ଆୟୋଜନ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ମହାକୁମ୍ଭ ପ୍ରଶାସନର ପଦକ୍ଷେପକୁ ବିଶ୍ବବ୍ୟାପୀ ପ୍ରଶଂସା ମିଳିଛି ।

ଦିବ୍ୟ ଓ ଭବ୍ୟ ମହାକୁମ୍ଭରେ ସାମିଲ ହୋଇ ସନାତନୀ ମୂଲ୍ୟବୋଧରେ ବିଶ୍ବାସ ରଖୁଥିବା ମଣିଷଙ୍କୁ ଏକତାର ମନ୍ତ୍ର ବାଣ୍ଟିବାରେ ସଫଳ ହୋଇଛି ମହାକୁମ୍ଭ ଆୟୋଜନ । ପୁଣି ଏହିପରି ମହାକୁମ୍ଭ ଦେଖିବାକୁ ଆଉ ଗୋଟିଏ ଶତାବ୍ଦୀକୁ ଅପେକ୍ଷା କରିବାକୁ ପଡ଼ିବ । ୧୨ ବର୍ଷ ପରେ ପୁଣିଥରେ ବୃଷ ରାଶିରେ ବୃହଷ୍ପତ୍ତି ପ୍ରବେଶ ସହ ପ୍ରୟାଗରାଜରେ ଆୟୋଜନ ହେବ ପୂର୍ଣ୍ଣକୁମ୍ଭ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahakumbh 2025 Ends On Mahashivratri Feb 26 | Argus News