Maha Kumbh Mela 2025: ୩୦୦୦ ସ୍ବତନ୍ତ୍ର ଟ୍ରେନ, ଷ୍ଟେସନରେ ୧୦୦୦ CCTV

ଅର୍ଗସ ବ୍ୟୁରୋ: ମହାକୁମ୍ଭରେ ମହାସ୍ନାନ । ପ୍ରଥମ ଦିନରେ ବୁଡ଼ ପକାଇଲେ ସାଢ଼େ ୩ କୋଟି ତୀର୍ଥଯାତ୍ରୀ । ଏଥିରେ ସାମିଲ ଅଛନ୍ତି ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ । ବଡ଼ ଧୁମ୍ ଧାମ୍ରେ ଓ ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା । ଏଥର ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହେବା ନେଇ ଆଶଙ୍କା କରିଛି ପ୍ରଶାସନ । ଆଉ ଏହାକୁ ଲକ୍ଷ କରି କରାଯାଇଛି ବ୍ୟାପକ ଆୟୋଜନ । କାରଣ ଦୀର୍ଘ ୧୪୪ ବର୍ଷ ପରେ ଆସିଛି ମହାକୁମ୍ଭର ଶୂଭ ମୁହୂର୍ତ୍ତ ।
ତେବେ ଏଥର ମହାକୁମ୍ଭକୁ ପାଇଁ କେନ୍ଦ୍ର ସରକାର କରିଛନ୍ତି ସ୍ବତନ୍ତ୍ର ଆୟୋଜନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣା ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି । ଅର୍ଥାତ ମହାକୁମ୍ଭ ମେଳାକୁ ପ୍ରାୟ ୩୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଗଡିବାର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଦୂରଗାମୀ ଟ୍ରେନ୍ ହୋଇଥିବା ବେଳେ ୫୫୪ଟି ଟିକେଟ କାଉଣ୍ଟର ରହିଛି । ଏହାସହ ଏସବୁକୁ ମନିଟରିଂ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ମହାକୁମ୍ଭ ମେଳା ପାଖାପାଖି ଥିବା ରେଳ ଷ୍ଟେସନଗୁଡ଼ିକରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏକ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା ସହ ୧୨ଟି ଭାଷାରେ ଘୋଷଣା ବ୍ୟବସ୍ଥା କରାଯାଇଛି । ଯେମିତିକି କୌଣସି ତୀର୍ଥଯାତ୍ରୀ ଦ୍ବନ୍ଦ୍ବରେ ପଡ଼ିବେ ନାହିଁ । ସେହିଭଳି ଯାତ୍ରୀଙ୍କୁ କୁମ୍ଭ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ରେଳ ଷ୍ଟେସନରେ ୨୨ଟି ଭାଷାରେ ତଥ୍ୟ ଥିବା ଏକ ପୁସ୍ତିକା ଉପଲବ୍ଧ କରାଯାଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ନିରାପଦ ଓ ସୁଗମ ଯାତୟାତ ପାଇଁ ଏଥର ଆଡଭାନ୍ସ କ୍ନୋଲୋଜିର ଉପଯୋଗ ମଧ୍ୟ କରାଯାଇଛି । ଅନେକ ଟେକ୍ନିକାଲ ଏକ୍ସପର୍ଟ ମଧ୍ୟ ଏଥିପାଇଁ ଦିନ ରାତି କାମ କରୁଛନ୍ତି ।
📱 Get Argus News App
✨ତେବେ ପ୍ରୟାଗରାଜ ଆଖପାଖରେ ଥିବା ୯ଟି ଷ୍ଟେସନରେ ମୋଟ ୧୧୭୬ ସିସିଟିଭି କ୍ୟାମେରା ଲଗାଯାଇଛି । ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପରିବହନ ପାଇଁ ଭାରତୀୟ ରେଳବାଇ ୧୦,୦୦୦ ନିୟମିତ ଟ୍ରେନ୍ ଚଲାଉଥିବା ବେଳେ ୩୧୩୪ ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଆଜି ପ୍ରଥମ ଦିନରେ ପ୍ରଥମ ଅମୃତ ସ୍ନାନ ଉତ୍ସବରେ ସାଢ଼େ ୩ କୋଟିରୁ ଅଧିକ ପୂଜ୍ୟ ସନ୍ଥ ଓ ଶ୍ରଦ୍ଧାଳୁ ତ୍ରିବେଣୀରେ ବୁଡ ପକାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ ସମସ୍ତ ପୂଜ୍ୟ ସନ୍ଥ, କଳ୍ପବାସୀ ଏବଂ ଭକ୍ତମାନଙ୍କୁ ମହାକୁମ୍ଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ତ୍ରୀବେଣୀ ସଂଗମ ସ୍ଥଳ ଏବେ ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହେଉଛି । ଆଜି ମକର ସଂକ୍ରାନ୍ତିରେ ବୁଡ଼ ପକାଇବାକୁ ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ । ସମସ୍ତେ ନିଜକୁ ଭାଗ୍ୟବାନ ବୋଲି ମନେ କରିଛନ୍ତି । ଏହି ମହାକୁମ୍ଭରେ ସାମିଲ ହେବାକୁ ଦେଶବିଦେଶରୁ ମଧ୍ୟ ଛୁଟି ଆସିଛନ୍ତି ଅନେକ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ।
ଏଥର ୪୫ ଦିନ ଧରି ଚାଲିବ ଏହି ମହାକୁମ୍ଭ ମେଳା । ପାଖାପାଖି ୪ ହଜାର ହେକ୍ଟର ଅଞ୍ଚଳରେ ଆୟୋଜିତ ଏହି ମହାପର୍ବ ଫେବୃଆରି ୨୬ ଯାଏଁ ଚାଲିବ । ଏହାଦ୍ବାରା ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ମିଳିବ ବୋଲି ମଧ୍ୟ କୁହାଯାଉଛି । ଏହି ଆୟୋଜନ ପାଇଁ ଯୋଗୀ ସରକାର ପାଖାପାଖି ୭ ହଜାର କୋଟିର ବଜେଟ୍ ଆବଣ୍ଟିତ କରିଛନ୍ତି । ଆଉ ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିରେ ମହାକୁମ୍ଭରୁ ପାଖାପାଖି ୨ ଲକ୍ଷ କୋଟି ଯୋଡ଼ି ହେବା ଆଶା ରଖିଛନ୍ତି ସରକାର ।