ମହାକୁମ୍ଭ: ୨ଟା ସୁଦ୍ଧା ବୁଡ଼ ପକାଇଲେଣି ୧ କୋଟି ୧୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଆଜି ସରୁଛି ମହାକୁମ୍ଭ ମେଳା । ଦୀର୍ଘ ୪୫ ଦିନର ପ୍ରୟାଗରାଜ ମହାକୁମ୍ଭ ମେଳାରେ ପଡ଼ିବ ଯବନିକା । ଅପରାହ୍ନ ୨ଟା ସୁଦ୍ଧା ବୁଡ଼ ପକାଇଲେଣି ୧ କୋଟି ୧୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ । ୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମ ଘାଟରେ ବୁଡ଼ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ହୋଇଛି ସାକାର । ଗଙ୍ଗା ଅମୃତର ଧାରା, ଯମୁନା ପୁଣ୍ୟତୋୟା, ଅଦୃଶ୍ୟ ସରସ୍ବତୀ ପାପନାଶିନୀ । ଦୀର୍ଘ ୪୫ ଦିନ ଧରି ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତାର ସ୍ନାନରେ ଫାଟି ପଡୁଛୁ ତ୍ରିବେଣୀ ଘାଟ ।
ତିନି ନଦୀଙ୍କ ପବିତ୍ର ମିଳନ ସ୍ଥଳୀରେ ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ । ମେଳାକୁ ଆସିଥିଲେ ନାଗା, ଜୁନା, ନିର୍ମୋହୀ, ମହାନିର୍ବାଣୀ, ଅଟଳ ଓ କିନ୍ନର ଭଳି ୧୩ଟି ପ୍ରମୁଖ ଆଖଡ଼ାର ଲକ୍ଷ ଲକ୍ଷ ସାଧୁ ଓ ଦେଶ-ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ । ମହାକୁମ୍ଭର ଆଜି ଶେଷ ସ୍ନାନ ଯୋଗ ଥିବାରୁ ଅନ୍ତିମ ସଂଯୋଗକୁ ହାତଛଡ଼ା ନକରି ସଂଗମରେ ସ୍ନାନ କରି ପୁଣ୍ୟ ଲାଭ କରିଛନ୍ତି କୋଟିଏରୁ ଅଧିକ ଶ୍ରଦ୍ଧାଳୁ ।