ମହାକୁମ୍ଭ: ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ବେଳେ ଦଳାଚକଟା, ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା

Key Points
ମହାକୁମ୍ଭର ଦ୍ଵିତୀୟ ଅମୃତ ସ୍ନାନରେ ଦଳାଚକଟା
୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଆଶଙ୍କା
ଅର୍ଗସ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭର ଦ୍ଵିତୀୟ ଅମୃତ ସ୍ନାନରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଛି । ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଜି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଂଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତିରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆ ଯାଇଛି ।
ସଂଗମ ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ୍ ସହ ମେଳା ଗ୍ରାଉଣ୍ଡକୁ ଚିକିତ୍ସା ପାଇଁ ନିଆ ଯାଇଛି । ତେବେ ଦଳାଚକଟାରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ତେବେ ୧୪ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
📱 Get Argus News App
✨ବିଳମ୍ବିତ ରାତିରେ ଦଳାଚକଟା ହୋଇଥିବା ବେଳେ ବିଳମ୍ବରେ ପୋଲିସ ଆସିଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି । ପୌଷ ପୁର୍ଣ୍ଣିମାରୁ ଆରମ୍ଭ ମହାକୁମ୍ଭର ପ୍ରଥମ ୧୫ ଦିନରେ ପ୍ରାୟ ୧୫ କୋଟି ଶ୍ରଦ୍ଧାଳୁ ଅମୃତ ସ୍ନାନ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ଦଳାଚକଟା ପରେ ଆଜି ପାଇଁ ଅମୃତ ସ୍ନାକୁ ବାତିଲ୍ କରା ଯାଇଛି । ଘାଟରୁ ଶ୍ରଦ୍ଧାଳୁଙ୍କୁ ଖାଲି କରିବାକୁ କୁହା ଯାଉଛି ।
ମହାକୁମ୍ଭରେ ଦଳାଚକଟା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦଳାଚକଟା ରାତି ପ୍ରାୟ ଗୋଟାଏରେ ହୋଇଥିବା ସୂଚନା ମିଳିଛି । ତେବେ ଦଳାଚକଟା ପରେ ଅନେକ ଶ୍ରଦ୍ଧାଳୁ ନିଖୋଜ ରହିଥିବା ବେଳେ ସେମାନଙ୍କ ସନ୍ଧାନ କରୁଛନ୍ତି ସମ୍ପର୍କୀୟ ।