ନିର୍ବାଚନରେ ଧାର୍ମିକ ଧ୍ରୁବୀକରଣକୁ ନେଇ ଘମାସାନ

Key Points
- ଭୋଟ ଜିହାଦ ବିରୋଧରେ ଧର୍ମଯୁଦ୍ଧ
- ନିର୍ବାଚନରେ ଧାର୍ମିକ ଧ୍ରୁବୀକରଣକୁ ନେଇ ଘମାସାନ
- କ୍ଷମତା ହାସଲ ପାଇଁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମହାସଂଗ୍ରାମ
- ଭୋଟ୍ ଜିହାଦକୁ ନେଇ ମୁହାଁମୁହିଁ ମହାୟୁତି ଓ ମହାବିକାଶ ଅଘାଡ଼ି
- ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଏକ ହେବାକୁ ସନ୍ଥ ସମାଜର ଆହ୍ବାନ
ଅର୍ଗସ ବ୍ୟୁରୋ: ନିର୍ଣ୍ଣାୟକ ମୋଡରେ ସଂଘର୍ଷ । ହାତରୁ ସରି ସରି ଆସୁଛି ସମୟ । ମତଦାନକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଧାର୍ମିକ ଧ୍ରୁବୀକରଣକୁ ନେଇ ଘମାସାନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ମହାୟୁତି ଓ ମହାବିକାଶ ଅଘାଡ଼ି ମେଣ୍ଟ ମଧ୍ୟରେ ଭୋଟ ଜିହାଦକୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି । ଜାତି, ଧର୍ମ ନାଁରେ ମତଦାତାଙ୍କ ମଧ୍ୟରେ ବିଭେଦର ପ୍ରାଚୀରକୁ ଦୃଢ଼ କରି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ସମର୍ଥନ ବଢ଼ାଇବାକୁ ହେଉଥିବା ଉଦ୍ୟମ ବିରୋଧରେ ସ୍ବର ତୀବ୍ର ହେଉଛି ।
ଭୋଟ ଜିହାଦ ବିରୋଧରେ ଏକ ହୈ ତୋ ସେଫ୍ ହୈ ନାରା ଦେଇ ଜନତାଙ୍କୁ ଏକ ହେବାକୁ ଅପିଲ କରିଛନ୍ତି ସାଧୁ, ସନ୍ଥ । ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ଜାତିଆଣ ରାଜନୀତିକୁ ବଳ ଯୋଗାଉଥିବାବେଳେ ପ୍ରଚାର ମଇଦାନରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜନତାଙ୍କୁ ସତର୍କ ରହିବାକୁ ଚେତାବନୀ ଦେବା ସହ ଏକ ହେବାକୁ ଦେଇଥିଲେ ଆହ୍ବାନ । ଭୋଟ ଜିହାଦ ବିରୋଧରେ ଏକଜୁଟ ହୋଇଛନ୍ତି ସନ୍ଥ ସମାଜ।
ବିକାଶ ବନାମ ଧାର୍ମିକ ଧ୍ରୁବୀକରଣ । ନିର୍ବାଚନରେ କଳେ-ବଳେ-କୌଶଳେ ଜନତାଙ୍କ ସମର୍ଥନ ଜିଣିବାକୁ ଶେଷ ପ୍ରୟାସ କରିଛନ୍ତି ରାଜନୈତିକ ଦଳ । ମହାୟୁତିର ବିକାଶ ଗ୍ୟାରେଣ୍ଟିକୁ ଚେକ୍ ଦେବା ଧାର୍ମିକ ଧ୍ରୁବୀକରଣକୁ ନିର୍ବାଚନରେ ଅସ୍ତ୍ର କରିଛି ମହାବିକାଶ ଅଘାଡ଼ି। ସେପଟେ ଭୋଟ ଜିହାଦକୁ ମୁହଁତୋଡ଼ ଜବାବ ଦେବାକୁ ବଟେଙ୍ଗେ ତୋ କଟେଙ୍ଗେ ଏବଂ ଏକ ହୈ ତୋ ସେଫ ହୈ ନାରାକୁ ତୀବ୍ର କରିଛି ମହାୟୁତି । ମହାରାଷ୍ଟ୍ର ପରି ଝାଡ଼ଖଣ୍ଡରେ ବି ଅନୁପ୍ରବେଶକାରୀ, ରୋହିଂଗ୍ୟା ଓ ସଂଖ୍ୟାଲଘୁଙ୍କ ଭୋଟ ହାତେଇବାକୁ ସମାନ ସୁତ୍ର ଆପଣାଇଛି ଜେଏମଏମ-କଂଗ୍ରେସ ମେଣ୍ଟ । କଣ୍ଟାକୁ କଣ୍ଟାରେ ଜବାବ ପରି ଭୋଟ ଜିହାଦକୁ କାଉଣ୍ଟର ପାଇଁ ଜନତାଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ସାଧୁ, ସନ୍ଥଙ୍କ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ।
📱 Get Argus News App
✨ପ୍ରତିଶ୍ରୁତ-ପ୍ରତାରଣାକୁ ନେଇ ଆରୋପ-ପ୍ରତ୍ୟାରୋପର ସମୟ ସରିଛି । ରାତି ପାହିଲେ ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ । ମହାରାଷ୍ଟ୍ରର ମୋଟ୍ ୨୮୮ ଆସନ ସହିତ ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୩୮ ଆସନରେ ହେବାକୁ ଯାଉଛି ଭୋଟ । 23ରେ ସାମ୍ନାକୁ ଆସିବ ଧର୍ମଯୁଦ୍ଧର ଚୁଡ଼ାନ୍ତ ପରିଣାମ । ।