"ନନ୍ଦିଘୋଷ" କୁ ନେଇ ଏମିତି କହିଲେ ମେଜର ରାଧିକା ସେନ

ଅର୍ଗସ ବ୍ୟୁରୋ : ଏଥର କର୍ତ୍ତବ୍ୟପଥରେ ଗଡିବ "ନନ୍ଦିଘୋଷ" । ଆସନ୍ତାକାଲି ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ୟାରେଡ ହେବାକୁ ଥିବାବେଳେ ସେଠାରେ ମୁଖ୍ୟ ଆକର୍ଷଣ ପାଲଟିବ ଭାରତୀୟ ସେନାର ମାଇନସ ପ୍ରଟୋକ୍ସନ ଆର୍ମର କ୍ୟାରିୟର ବାହନ 'ନନ୍ଦିଘୋଷ' । ଏହାକୁ କଣ୍ଟିଜେଣ୍ଟ କମାଣ୍ଡର ଭାବରେ ପରିଚାଳନା କରିବେ ମେଜର ରାଧିକା ସେନ ।
ତେବେ ଏହି ଯାନର ନାଁ ନନ୍ଦିଘୋଷ ରଖାଯିବାକୁ ନେଇ ରାଧିକା କହିଛନ୍ତି , ପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ହେଉଛି ନନ୍ଦିଘୋଷ । ଯିଏ ରଥଯାତ୍ରା ସମୟରେ ଗଡିବା ବେଳେ ଏହା ସାମ୍ନାରେ ଥିବା ସବୁ ଘାତ ପ୍ରତିଘାତକୁ ବାଧାବିଘ୍ନକୁ ଅତିକ୍ରମ କରି ଆଗେଇ ଯାଏ । ଠିକ ସେମିତି ଏହି ଯାନ ଭାରତୀୟ ଯବାନ ମାନଙ୍କୁ ନେଇ ରାସ୍ତାରେ ଥିବା ଶତ୍ରୁକୁ ଦମନ କରି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବ ।
ଏହି "ନନ୍ଦିଘୋଷ" ଯାନର ରଙ୍ଗ ଧଳା ଅଟେ । ଭାରତ ଫୋର୍ଜ କମ୍ପାନୀ ପକ୍ଷରୁ ଏହାକୁ ତିଆରି କରାଯାଇଛି । ଏଥିରେ ଡ୍ରାଇଭର ସମେତ ୮ ଜଣ କ୍ରୁ ମେମ୍ବରଙ୍କୁ ବହନ କରିବାର କ୍ଷମତା ରହିଛି । ଏଥିସହ ୨ ଟନ୍ ପର୍ଯ୍ୟନ୍ତ ପେଲୋଡ୍ ମଧ୍ୟ ବହନ କରିବ । ଏହି ଯାନ ତିଆରି କରିବା ଦ୍ବାରା ଭାରତୀୟ ସେନାଙ୍କ ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଥିବା କହିଛନ୍ତି ରାଧିକା ମେଜର ।
ଏହି ଯାନ ଶତ୍ରୁ ପକ୍ଷର ମୁକାବିଲା ପାଇଁ ବିଶେଷ ଭାବେ ବ୍ୟବହୃତ ହୁଏ। ଜାତିସଂଘ ଦ୍ବାରା ଚାଲିଥିବା ମିଶନରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି। ଲେବାନନ ଓ ସାଉଥ ସୁଦାନକୁ ଏହି ‘ନନ୍ଦିଘୋଷ’ ବାହନକୁ ପଠାଯାଇଛି। ଆଗାମୀ ଦିନରେ ପ୍ରତିରକ୍ଷା ପାଇଁ ଏହା ଭାରତୀୟ ସେନାଙ୍କୁ ଖୁବ ସାହାଯ୍ୟ କରିବ ।