କମୁଛି ମ୍ୟାଲେରିଆ,୨୦୩୦ରେ ମ୍ୟାଲେରିଆ ମୁକ୍ତ ହେବ ଭାରତ

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ୨୦୩୦ରେ ମ୍ୟାଲେରିଆ ମୁକ୍ତ ହେବ ଭାରତ। ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଛି। ମ୍ୟାଲେରିଆ ପ୍ରୋନ ଅଞ୍ଚଳରେ ଔଷଧୀୟ ମଶାରୀ ବଣ୍ଟନ ସହ ଲୋକଙ୍କୁ ସଚେତନ କରାଯାଉଛି। ବଲାଙ୍ଗିର ଭୀମଭୋଇ ମେଡିକାଲର ମ୍ୟାଲେରିଆ ରିପୋର୍ଟ କହୁଛି। ୨୦୨୩ ତୁଳନାରେ ୨୦୨୪ରେ ଦଶଗୁଣା କମିଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା। ଦିନ ଥିଲା ବଲାଙ୍ଗିର ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଢେର ଅଧିକ ଥିଲା। ପାହାଡ ପର୍ବତ ଘେରା ତଥା ଦୁର୍ଗମ ଅଞ୍ଚଳ ଖପ୍ରାଖୋଲ,ବେଳପଡା,ପାଟଣାଗଡ,ମୁରିବାହାଲ ଗୁଡଭେଲା,ଆଗଲପୁର,ତୁରେକେଲା ଓ ବଙ୍ଗୋମୁଣ୍ଡା ଅଞ୍ଚଳରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିଲେ। ଲୋକଙ୍କୁ ସଚେତନ ସହ ଔଷଧୀୟ ମଶାରୀ ବଣ୍ଟନ ଯୋଗୁଁ କ୍ରମାଗତ ଭାବରେ କମୁଛନ୍ତି ମ୍ୟାଲେରିଆ ରୋଗୀ। ବର୍ଷାଦିନରେ ଗ୍ରାମାଞ୍ଚଳ ଓ ସହରରେ ଡ୍ରେନ ଯୋଗୁଁ ମଶା ବ୍ୟାପିଥାଏ।
ବଲାଙ୍ଗିର ଭୀମଭୋଇ ମେଡିକାଲରେ ୨୦୨୩ମସିହାରେ ମାଇକ୍ରୋସ୍କୋପି ଟେଷ୍ଟ ୮୩୯୭ ଜଣଙ୍କର କରାଯାଇଥିଲା। କାର୍ଡ ଟେଷ୍ଟ କରାଯାଇଥିଲା ୨୨,୨୯୬ ରୋଗୀଙ୍କର। ମାତ୍ର ୩୯୩ ଜଣ ମ୍ୟାଲେରିଆ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ୨୦୨୪ ମସିହାରେ ମାଇକ୍ରୋସ୍କୋପି ୮୦୯୨ ଜଣଙ୍କର କରାଯାଇଥିଲା। କାର୍ଡ ଟେଷ୍ଟ କରାଯଇଥିଲା ୨୭୨୪୮ ରୋଗୀଙ୍କର। ମେଡିକାଲରେ ଭର୍ତ୍ତି ହୋଇଥିଲେ ମାତ୍ର ୨୭ଜଣ ମ୍ୟାଲେରିଆ ରୋଗୀ। ଏଣୁ ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ୧୦ ଗୁଣା କମିଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା। କିନ୍ତୁ ପ୍ରତ୍ୟେକ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ଦିନରେ ମଶାଙ୍କ ପ୍ରାଦୂର୍ଭାବ ରହୁଥିବାରୁ ରୋଗୀଙ୍କ ସଂଖ୍ୟା ଟିକେ ଅଧିକ ରହୁଛି ଯାହା ତଥ୍ୟ କହୁଛି। ୨୦୨୩ ଜୁଲାଇ ଓ ଅଗଷ୍ଟ ମାସରେ ୧୫୩ ଜଣ ମ୍ୟାଲେରିଆ ରୋଗୀ ଭର୍ତ୍ତି ମେଡିକାଲରେ ଭର୍ତ୍ତି ହୋଇଥିଲେ।
📱 Get Argus News App
✨୨୦୨୪ରେ କିନ୍ତୁ ଜୁଲାଇ ଅଗଷ୍ଟ ମାସରେ ମାତ୍ର ୧୯ଜଣ ମ୍ୟାଲେରିଆ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯାହା ୨୦୨୩ ତୁଳନାରେ ୨୦୨୪ରେ ଏହା ୮ଗୁଣା କମ୍। ମ୍ୟାଲେରିଆ ନିରାକରଣରେ ଆମ ସରକାର ପୁରା ସଚେତନ ଅଛନ୍ତି। ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ମ୍ୟାଲେରିଆ ସଚେତନତାର ଆବଶ୍ୟକତା ରହୁଛି। ମ୍ୟାଲେରିଆ ପ୍ରାଦୂର୍ଭାବ କମାଇବା ପାଇଁ ମ୍ୟାଲେରିଆ ପ୍ରୋନ ଜିଲ୍ଲାରେ ବିଶେଷ ଧ୍ୟାନ ଦେବୁ। ନିଶ୍ଚିତ ଭାବରେ ଆଗାମୀ ଦିନରେ ମ୍ୟାଲେରିଆ କମିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ୨୦୨୩ ତୁଳନାରେ ୨୦୨୪ରେ ଯେତିକି କମୁଛି ଏହି ଅନୁପାତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମିଲେ,୨୦୩୦ରେ ମ୍ୟାଲେରିଆ ମୁକ୍ତ ହୋଇପାରିବ ଭାରତ।