ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମଲ୍ଲିକାର୍ଜୁନ ଖଡଗେଙ୍କ ଆପତ୍ତିଜନକ ଟିପ୍ପଣୀ

Key Points
ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମଲ୍ଲିକାର୍ଜୁନ ଖଡଗେଙ୍କ ଆପତ୍ତିଜନକ ଟିପ୍ପଣୀ
ଅଭିଯୋଗ କରିଛି ବିଜେପି
ଏନେଇ ସେ କ୍ଷମା ମାଗନ୍ତୁ ବୋଲି ଦଳ ପକ୍ଷରୁ ଦାବି ହୋଇଛି
ମହାମହିମଙ୍କୁ ଅପମାନ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ସେ କ୍ଷମା ମାଗନ୍ତୁ ବୋଲି ଦଳ ପକ୍ଷରୁ ଦାବି ହୋଇଛି । କଂଗ୍ରେସ ଅଧ୍ୟକ୍ଷ ଖଡଗେ ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ନାଁର ଭୁଲ ଉଚ୍ଚାରଣ କରି ମହିଳା, ଦଳିତ ଓ ଆଦିବାସୀ ବର୍ଗକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ।
ଅଭିଯୋଗ ପରେ ଖଡଗେ ଏହାକୁ ଟଙ୍ଗ୍ ସ୍ଲିପ କହି ସଫେଇ ଦେଇଥିବାବେଳେ ଜାଣିଶୁଣି ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ଏପରି କହିଥିବା ଅଭିଯୋଗ କରିଛି ବିଜେପି । ଶୀର୍ଷ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କଂଗ୍ରେସର ସଂକୀର୍ଣ୍ଣ ଜାତିବାଦୀ ଓ ସମ୍ବିଧାନ ବିରୋଧୀ ଚିନ୍ତାଧାରାର ପ୍ରମାଣ ବୋଲି କହିଛନ୍ତି ବିଜେପି ମୁଖପାତ୍ର । ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ନାମ ଉଚ୍ଚାରଣ କରିବାକୁ ଯାଇ ମୁରମା ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ କୋଭିଡ ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ।