କୋଲକତା ଦୁଷ୍କର୍ମ : ରାତିରେ ମହିଳାଙ୍କ ଡ୍ୟୁଟି ନପକାଇବାକୁ ବଙ୍ଗ ସରକାରଙ୍କ ଅନୁରୋଧ

Key Points
- କୋଲକତା ଦୁଷ୍କର୍ମ ମାମଲା : ଜାତୀୟ ମେଡ଼ିକାଲରେ ବଢିଲା ସୁରକ୍ଷା
- ପୂର୍ବ ଅପେକ୍ଷା ୨୫ ପ୍ରତିଶତ ବଢିଲା ସୁରକ୍ଷା
- ରାତିରେ ମହିଳାଙ୍କ ଡ୍ୟୁଟି ନପକାଇବାକୁ ବଙ୍ଗ ସରକାରଙ୍କୁ ଅନୁରୋଧ
ଅର୍ଗସ ବ୍ୟୁରୋ: ଥମିବାରେ ନା ନେଉନି କୋଲକତା ଦୁଷ୍କର୍ମ ମାମଲା । ଘଟଣା ଏତେ ଭୟଙ୍କର ଥିଲା ଯେ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ହେଉନି । ରୋଗୀ ସେବା ପାଇଁ ଯାଇଥିବା ଡାକ୍ତରଙ୍କୁ ଯେଉଁ ପରି ଭାବରେ ଦୁଷ୍କର୍ମ କରାଗଲା, ଜୀବନରୁ ମାରିଦିଆଗଲା ଓ ପରବର୍ତ୍ତୀ ସମୟରେ ତାହାକୁ ଆତ୍ମହତ୍ୟାର ରୂପ ଦିଆଗଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିଲେ ବଙ୍ଗ ସରକାର । ହେଲେ ମାମଲାରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେବାରୁ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିବା ସହିତ ଶୁଣାଣି ମଧ୍ୟ କରିଥିଲେ । ସେପଟେ ମେଡ଼ିକାଲରେ ରାତିରେ ମହିଳା ଡ୍ୟୁଟି ନକରିବାକୁ ମମତା ସରକାର ଯେଉଁପରି ନିବେଦନ କରିଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି ବଙ୍ଗରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ?
କୋଲକତା ଦୁଷ୍କର୍ମ ମାମଲାକୁ ନେଇ ଏବେ ଜୋରଦାର ବିରୋଧ ଦେଖାଯାଇଛି । ଅଭିଯୋଗ ହେଉଛି କି, ଦିଦିଙ୍କ ସୁରକ୍ଷା ଢିଲା ବ୍ୟବସ୍ଥା ପାଇଁ ଆଜି ଏମିତି ଘଟଣା ଘଟିଲା । ଖାଲି ଏତିକି ନୁହେଁ ବରଂ ଦିଦି ଆଳୁ ଗାଡ଼ି ଅଟକାଇବାକୁ ସୀମାରେ ପୋଲିସ ଛାଉଣୀ କରିବା ପରିବର୍ତ୍ତେ ଯଦି କୋଲକତାରେ ପୋଲିସ ପହରା କଡାକଡି କରିଥାଆନ୍ତେ ତାହାଲେ ଏମିତି ଘଟଣା କେବେ ହୋଇନଥାନ୍ତା ବୋଲି ଲୋକେ କହିଲେଣି । ଖାଲି ଏତିକି ନୁହେଁ ମାମଲା ହେବା ପରେ ବି ପୋଲିସ ଯେଉଁପରି ଭାବରେ ଗୁରୁତ୍ଵ ଦେଇନଥିଲା ପୋଲିସ ତାହା ବି ସନ୍ଦେହ ଘେରରେ । ଏହାସହ ମମତା ସରକାର ମେଡ଼ିକାଲ ଗୁଡିକୁ ଅନୁରୋଧ କରିଛି କି, ରାତିରେ ମହିଳା କର୍ମଚାରୀଙ୍କୁ ଡ୍ୟୁଟି ନଦେବାକୁ । ଯାହା ଆହୁରି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଏପଟେ, ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ସବୁ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି କେନ୍ଦ୍ର ସରକାର । ଏବେ ଥିବା ବ୍ୟବସ୍ଥା ତୁଳନାରେ ୨୫ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । କୋଲକାତା ଆର ଜି କର ହସ୍ପିଟାଲ ଘଟଣା ପରେ ଏମିତି ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ, ଆଇଏମଏ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେପଟେ, ପଶ୍ଚିମବଙ୍ଗ ସରକାର ମଧ୍ୟ ମହିଳାଙ୍କୁ ହସ୍ପିଟାଲରେ ନାଇଟ୍ ଡ୍ୟୁଟି ନପକାଇବାକୁ ନିବେଦନ କରିଛନ୍ତି । ସରକାର ଅନୁରୋଧ କରିଛନ୍ତି , ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ ହେଲେ ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ । ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇ ଅଣାଯିବ । ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖାଯିବ ।
📱 Get Argus News App
✨କୋଲକାତାର ଅଭୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ, ଭର୍ସନା, ପ୍ରଶ୍ନ ପରେ ପ୍ରଶ୍ନ । ସ୍ୱତଃ ସଜ୍ଞାନକୁ ନେବାର ଦିନକ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି । ସବୁ ସମୟରେ କେବଳ ଦୁଷ୍କର୍ମ ଓ ହତ୍ୟା ହେଲେ ହିଁ ଅନ୍ତରାତ୍ମା ଜାଗିବା ଠିକ୍ ନୁହେଁ ବୋଲି ଶକ୍ତ ଟିପ୍ପଣୀ ରଖି ଏ ଘଟଣା କେବଳ ଭୟାବହ ନୁହେଁ, ପୂରା ଭାରତରେ ଡାକ୍ତରଙ୍କ ସୁରକ୍ଷାରେ ଥିବା ଦୁର୍ବଳତାର ନିଦର୍ଶନ ବୋଲି କହିଛନ୍ତି କୋର୍ଟ । ଏଥିସହ ଘଟଣା ସଂପର୍କରେ କାହିଁକି ବିଳମ୍ବରେ ଏଫ୍ଆଇଆର ହେଲା ? ଆର.ଜି.କର. ମେଡିକାଲ କଲେଜ ପ୍ରଶାସନ କଣ କରୁଥିଲା ? ଦୁଷ୍କର୍ମ ଓ ହତ୍ୟା ମାମଲାକୁ କିଏ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା ? କିଛି ଏମିତି କଡ଼ା ପ୍ରଶ୍ନ କରିଛନ୍ତି କୋର୍ଟ ।
