ଏମିତି ବି ଆସେ ମୃତ୍ୟୁ ! ମଙ୍ଗଳସୂତ୍ର ପିନ୍ଧାଇଲେ ଫଟୋ ବି ଉଠାଇଲେ, ତାପରେ...

Key Points
ଏହି ଘଟଣା ପରେ ବର ଏବଂ କନ୍ୟା ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।
ମୃତ୍ୟୁ କେତେବେଳେ ଆସିବ, ତାହା କେହି ଜାଣନ୍ତି ନାହିଁ । କେତେବେଳେ ଅଧିକ ଖୁସି ହେଲେ ଜୀବନ ଚାଲିଯାଏ ତ କେତେବେଳେ ଅତି ଦୁଃଖରେ ବି ଚାଲିଯାଏ ଜୀବନ । ଜନ୍ମ ପରେ ମୃତ୍ୟୁ ହିଁ ଏକମାତ୍ର ସତ୍ୟ । କର୍ଣ୍ଣାଟକରୁ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
କର୍ଣ୍ଣାଟକର ବାଗଲକୋଟରେ ଧୁମ୍ଧାମ୍ରେ ଏକ ବିବାହ ଉତ୍ସବ ଚାଲିଥିଲା । ଅତିଥିମାନେ ମନଖୁସିରେ ବିବାହ ଉତ୍ସବୁ ଉପଭୋଗ କରୁଥିଲେ । ସ୍ୱାଦିଷ୍ଟ ଖାଦ୍ୟ ଖାଇବା ସହ ନାଚଗୀତରେ ମସଗୁଲ ଥିଲେ । କିନ୍ତୁ ଏତିକି ବେଳେ ଘଟିଲା ବଡ଼ ଅଘଟଣ । ଯାହାପାଇଁ ଏସବୁ ଆୟୋଜନ ହୋଇଥିଲା, ତାର ଜୀବନ ଚାଲିଗଲା । ମୂହୁର୍ତ୍ତକ ମଧ୍ୟରେ ସମସ୍ତଙ୍କ ମୁହଁରୁ ଖୁସି ଉଭାନ ହୋଇଗଲା । କାନ୍ଦ ବୋବାଳିରେ ଫାଟିପଡ଼ିଲା ବିବାହ ଉତ୍ସବ । କାରଣ ବାହାଘର ବେଳେ କନ୍ୟା ବେକରେ ମଙ୍ଗଳସୂତ୍ର ପିନ୍ଧାଇଲା ବେଳେ ଚାଲିଗଲା ବରର (ବୟସ ୨୫) ଜୀବନ । ଆଉ ଏହି ମୃତ୍ୟୁର କାରଣ ହୃଦ୍ଘାତ ।
ଏହି ଘଟଣା ପରେ ବର ଏବଂ କନ୍ୟା ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଏହା ଜଣେ ଯୁବକଙ୍କ ହୃଦଘାତ ହେବାର ପ୍ରଥମ ଘଟଣା ନୁହେଁ। ଗତ କିଛି ବର୍ଷ ମଧ୍ୟରେ, ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମିଳିଥିବା ସୂଚନା ମୁତାବକ ଘଟଣାଟି ଶନିବାର ଜାମଖଣ୍ଡି ସହରରେ ଘଟିଥିଲା।
ବିବାହ ଉତ୍ସବରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି ଯେ ମଙ୍ଗଳସୂତ୍ର ବାନ୍ଧିବାର କିଛି ମିନିଟ୍ ପରେ ବର ପ୍ରବୀଣ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତଳେ ପଡ଼ିଗଲେ। ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ବାପା ମାଆ ବରକୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଫେବୃଆରୀ ମାସରେ, ମଧ୍ୟପ୍ରଦେଶର ଏକ ବିବାହ ସଙ୍ଗୀତରେ ନାଚୁଥିବା ସମୟରେ ଜଣେ ୨୩ ବର୍ଷୀୟ ମହିଳା ହୃଦଘାତର ଶିକାର ହୋଇଥିଲେ ଏବଂ ମଞ୍ଚ ଉପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏମିତି ଅନେକ ଘଟଣା ନିକଟ ଅତୀତରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସରକାର ମଧ୍ୟ ଚିନ୍ତିତ । କାରଣ ଯୁବକମାନେ ଏଭଳି ହାର୍ଟଆଟାକ୍ରେ ମରିବା ଭବିଷ୍ୟତ ପାଇଁ ଏକ ଚିନ୍ତାର ବିଷୟ ।