Chhath Festival / ଟ୍ରେନ୍ରେ ଟିକେଟ୍ ମିଳିଲାନି, ବିମାନ ଭଡ଼ା ମହଙ୍ଗା; ଛଠ୍ ପର୍ବ ପାଳିବାକୁ କାର୍ କିଣି ଘରକୁ ଆସିଲେ ଯୁବକ

Key Points
ଛଠ୍ ପର୍ବ ପାଳିବାକୁ କାର୍ କିଣି ଘରକୁ ଆସିଲେ ଯୁବକ
ଲୋକଆସ୍ଥାର ମହାପର୍ବ ଛଠ୍ ପାଳନ କରିବା ପାଇଁ ଟ୍ରେନ୍ରେ ଟିକେଟ୍ ମିଳିଲାନି । ଅନ୍ୟପଟେ ବିମାନ ଭଡ଼ା ମଧ୍ୟ ଆକାଶଛୁଆଁ । ଶେଷରେ ଏକ ନିଆରା ନିଷ୍ପତ୍ତି ନେଲେ ଯୁବକ । ୨୬ ଲକ୍ଷ ଟଙ୍କାର ନୂଆ କାର୍ କିଣି ପରିବାର ସହ ବେଙ୍ଗାଲୁରୁରୁ ବିହାରର ବେଗୁସରାଇ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା କରି ଗାଁରେ ପହଞ୍ଚି ଲେ। ଚାରି ଦିନର ଏହି ଯାତ୍ରାରେ ବୁଲାବୁଲି, ହୋଟେଲରେ ରହିବା ସହ ପ୍ରୟାଗରାଜରେ ପବିତ୍ର ସ୍ନାନ ଏବଂ କାଶୀ ବିଶ୍ୱନାଥଙ୍କ ଦର୍ଶନ ମଧ୍ୟ କରିଥିଲେ । ତାଙ୍କର ଏହି ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ବେଗୁସରାଇର ଗଢ଼ହାରା ଗାଁର ଧନଞ୍ଜୟ କୁମାର ବେଙ୍ଗାଲୁରୁରେ ରହନ୍ତି । ଗତ ୩ ବର୍ଷ ଧରି ସେ ଛଠ୍ ପର୍ବରେ ଗାଁକୁ ଆସିପାରି ନଥିଲେ । କେତେବେଳେ କ୍ରିକେଟ୍ ବିଶ୍ୱକପ୍ ଦେଖିବାକୁ ଯାଇଥିଲେ ତ ଆଉ କେତେବେଳେ ଟ୍ରେନ୍ ଟିକେଟ୍ ନମିଳିବାରୁ ଗାଁକୁ ଆସିବା ସମ୍ଭବ ହୋଇନଥିଲା । ହେଲେ ଏଥର ଯେକୌଣସି ପରିସ୍ଥିତିରେ ଛଠ୍ ପର୍ବରେ ଗାଁକୁ ଯିବାକୁ ସେ ନିଷ୍ପତ୍ତି ନେଇଥିଲେ ।
ଧନଞ୍ଜୟଙ୍କ କହିବା ଅନୁଯାୟୀ, ପ୍ରାୟ ୨ ମାସ ଧରି ଟ୍ରେନ୍ ଟିକେଟ୍ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଟିକେଟ୍ ମିଳିନଥିଲା । ପ୍ରଥମେ ବେଙ୍ଗାଲୁରୁରୁ ପାଟନା ପର୍ଯ୍ୟନ୍ତ ବିମାନ ଭଡ଼ା ୧୭,୫୦୦ ଟଙ୍କା ଥିଲା । ପରେ ଯାଞ୍ଚ କରିବା ବେଳକୁ ଏହା ୨୫ ହଜାର ଟଙ୍କାରେ ପହଞ୍ଚିଯାଇଥିଲା । ତେଣୁ ସେ ନୂଆ କାର୍ କିଣିବାକୁ ମନସ୍ଥ କରିଥିଲେ।
ପୂର୍ବରୁ ତାଙ୍କ ପାଖରେ ଏକ ଛୋଟ କାର୍ ଥିଲା । ତେଣୁ ଭାବିଲେ, ଯେହେତୁ କେବେ ନା କେବେ ନୂଆ କାର୍ କିଣିବାର ଅଛି, ତେବେ ଏଥର ହିଁ କାହିଁକି ନୁହେଁ ? ଏହାପରେ ସେ ଟାଟା ମୋଟର୍ସ ଡିଲର୍ସିପ୍କୁ ଯାଇଥିଲେ। ସେଠାରେ ଗାଡ଼ି ପାଇଁ ଅଧିକ ୱେଟିଂ ଥିଲେ ମଧ୍ୟ ଛଠ୍ ପର୍ବରେ ଗାଁକୁ ଯିବାର ଥିବାରୁ ଡିଲର୍ସିପ୍ କର୍ମଚାରୀମାନେ ସହଯୋଗ କରିଥିଲେ । ଯାତ୍ରାର ୧୦ ଦିନ ପୂର୍ବରୁ ୨୬ ଲକ୍ଷ ଟଙ୍କାର ଟାଟା ସଫାରି କାର୍ ତାଙ୍କୁ ମିଳିଯାଇଥିଲା ।
ନୂଆ କାର୍ର ସର୍ଭିସିଂ କରାଇବା ପରେ ନଭେମ୍ବର ୪ ତାରିଖରେ ପତ୍ନୀ ଜ୍ୟୋତି କୁମାରୀ, ୮ ବର୍ଷର ପୁଅ କୁମାର ଦଶ, ୨ ବର୍ଷର ପୁଅ ଧ୍ରୁବ ଏବଂ ବନ୍ଧୁ ହିମାଂଶୁଙ୍କ ସହ ସେ ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରିଥିଲେ । ନଭେମ୍ବର ୮ ତାରିଖରେ ସେମାନେ ନିଜ ଗାଁରେ ପହଞ୍ଚିଥିଲେ ।
ପ୍ରୟାଗରାଜରେ ସ୍ନାନ, କାଶୀ ବିଶ୍ୱନାଥଙ୍କ ଦର୍ଶନ
ଏହି ଚାରି ଦିନର ଯାତ୍ରାକୁ କେବଳ ଘରେ ପହଞ୍ଚିବାର ଯାତ୍ରା ନୁହେଁ, ବରଂ ଏକ ସ୍ମରଣୀୟ ପରିବାରିକ ଭ୍ରମଣରେ ପରିଣତ କରିଥିଲେ ଧନଞ୍ଜୟ । ପ୍ରଥମ ଦିନ ପ୍ରାୟ ୨୧୦ କିଲୋମିଟର ଯିବା ପରେ ସେମାନେ ବିଶ୍ରାମ ନେଇଥିଲେ । ନାଗପୁରରେ ରହିବାକୁ ଯୋଜନା କରିଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ନାଗପୁର ପୂର୍ବରୁ ଆଲିହାବାଦରେ ରହିଥିଲେ ।
ଦ୍ୱିତୀୟ ଦିନରେ ରେୱାରେ ପହଞ୍ଚି ସେଠାରେ ବୁଲାବୁଲି କରି ହୋଟେଲରେ ରାତି କାଟିଥିଲେ । ତୃତୀୟ ଦିନ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବା ପରେ ବାରାଣସୀରେ ପହଞ୍ଚି ବାବା କାଶୀ ବିଶ୍ୱନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ସେଠାରେ ରାତି ବିତାଇବା ପରେ ପରଦିନ ପାଟନା ଦେଇ ନିଜ ଗାଁ ବେଗୁସରାଇରେ ପହଞ୍ଚିଥିଲେ ।
ଯାତ୍ରାରେ ଖର୍ଚ୍ଚ ହେଲା ପ୍ରାୟ ୩୯ ହଜାର ଟଙ୍କା
ଧନଞ୍ଜୟଙ୍କ କହିବା ଅନୁସାରେ, ପୂରା ଯାତ୍ରାରେ ପ୍ରାୟ ୧୩ ହଜାର ଟଙ୍କାର ଡିଜେଲ୍ ଖର୍ଚ୍ଚ ହୋଇଥିଲା । ହୋଟେଲରେ ରହିବା, ଖାଇବା ଏବଂ ବୁଲାବୁଲି ମିଶାଇ ପ୍ରାୟ ୨୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ୍ ଯାତ୍ରା ବାବଦରେ ମୋଟ ପ୍ରାୟ ୩୯ ହଜାର ଟଙ୍କା ବ୍ୟୟ ହୋଇଥିଲା ।
ରାସ୍ତାରେ କେତେକ ସ୍ଥାନରେ ନିର୍ମାଣ କାମ ଚାଲିଥିବାରୁ ସମସ୍ୟା ହୋଇଥିଲା । ମଧ୍ୟପ୍ରଦେଶରେ ରାସ୍ତା ଉପରକୁ ଗୋରୁଗାଈ ଚାଲିଆସୁଥିବାରୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପଡ଼ିଥିଲା । ଏହାବ୍ୟତୀତ ବିଶେଷ କିଛି ଅସୁବିଧା ହୋଇନଥିଲା । ମଝିରେ ସାନ ପୁଅ ଧ୍ରୁବର ସ୍ୱାସ୍ଥ୍ୟ ଟିକିଏ ଖରାପ ହୋଇଥିଲେ ମଧ୍ୟ ଯାତ୍ରାର ମଜା ଫିକା ପଡ଼ିନଥିଲା ।
ପିଲାମାନେ ଯେପରି ଯାତ୍ରାରେ ବିରକ୍ତ ନହୁଅନ୍ତି, ସେଥିପାଇଁ ଗାଡ଼ିରେ ମନୋରଞ୍ଜନର ବ୍ୟବସ୍ଥା କରିଥିଲେ । ଲୁଡୋ ସହ ବିଭିନ୍ନ ଖେଳ ରଖିଥିଲେ। ବନ୍ଧୁ ହିମାଂଶୁ ଗାଡ଼ି ଚଳାଉଥିବା ବେଳେ ଧନଞ୍ଜୟ ପଛ ସିଟ୍ରେ ବସି ପିଲାମାନଙ୍କ ସହ ଖେଳୁଥିଲେ । ଏପରିକି ଗାଡ଼ି ଭିତରେ ଶୋଇବାର ମଧ୍ୟ ବ୍ୟବସ୍ଥା କରିଥିଲେ ।
ଫେରିବା ବେଳେ କୋଲକାତା ଓ ପୁରୀ ବୁଲିବା ଯୋଜନା
ଧନଞ୍ଜୟ କହିଛନ୍ତି ଯେ, କାର୍ରେ ଗାଁକୁ ଆସିବାର ନିଷ୍ପତ୍ତି ତାଙ୍କ ପାଇଁ ଭୁଲ୍ ନଥିଲା । ପରିବାର ଓ ବନ୍ଧୁଙ୍କ ସହ ଏହି ଯାତ୍ରାକୁ ସମସ୍ତେ ବେଶ୍ ଉପଭୋଗ କରିଥିଲେ । ସୋସିଆଲ ମିଡିଆରେ ନିଜ ଯାତ୍ରାର ଭିଡିଓ ସେୟାର କରିବା ସହ ଲୋକଙ୍କଠାରୁ ପରାମର୍ଶ ମଧ୍ୟ ନେଇଥିଲେ ।
ଏବେ ଫେରିବା ରାସ୍ତାରେ ଏକ ନୂଆ ରୁଟ୍ ଦେଇ ଯିବାକୁ ଲୋକମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି । ଏଥର କୋଲକାତା ଓ ଜଗନ୍ନାଥ ପୁରୀ ବୁଲି ବେଙ୍ଗାଲୁରୁ ଫେରିବାକୁ ଯୋଜନା ରହିଛି । ତେବେ ଫେରିବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି ଧନଞ୍ଜୟ । ତିନି ବର୍ଷ ପରେ ଗାଁକୁ ଫେରିଥିବାରୁ କିଛି ଦିନ ପରିବାର ସହ ଛୁଟି କାଟିବା ପରେ ହିଁ ବେଙ୍ଗାଲୁରୁ ଫେରିବାକୁ ଚାହୁଁଛନ୍ତି । ଛଠ୍ ପର୍ବ ପାଇଁ ଘରକୁ ଫେରିବାର ଏହି ନିଆରା ନିଷ୍ପତ୍ତି ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିଣୁଛି ।
📱 Get Argus News App
✨Related Topics
Explore more stories