ଯୌତୁକରେ କୁଲର ଓ ଫ୍ରିଜ୍ ମିଳିଲାନି ବୋଲି କାଟିଦେଲା ସ୍ତ୍ରୀର ଚୁଟି

ଲମ୍ବା, ଘନ କେଶକୁ ସ୍ତ୍ରୀର ସୌନ୍ଦର୍ଯ୍ୟ କୁହାଯାଏ । ଆଉ ସ୍ଵାମୀଟିଏ ଏହି କଥା ଭଲ ଭାବେ ଜାଣେ । ବୁଝିପାରେ ସ୍ତ୍ରୀର ମନ କଥା । କିନ୍ତୁ ମନର ମଣିଷଟା ଯେବେ ଅମଣିଷ ହୋଇଯାଏ । ସ୍ତ୍ରୀର ଚୁଟି କାଟି ଦିଏ, ତେବେ କଣ ହେବ ? ଏଭଳି ଏକ ଘଟଣାରେ ଉତ୍ତରପ୍ରଦେଶ ହରଦୋଇ ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ।
ପୋଲିସ ଅନୁସାରେ, ମହିଳାଙ୍କ ବାପା ରାଧାକୃଷ୍ଣ ତୁକ ନିର୍ଯାତନା ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ରାଧାକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ବର୍ଷକ ତଳେ ତାଙ୍କ ଝିଅ ରାମପ୍ରତାପଙ୍କୁ ବିବାହ କରିଥିଲେ । ଆଉ ବିବାହ ପର ଠାରୁ ଯୌତୁକ ପାଇଁ ଚାପ ପକାଇ ଆସୁଥିଲେ ଶ୍ଵଶୁର ଘର ଲୋକ । ଯୌତୁକରେ ଫ୍ରିଜ୍ ଓ କୁଲର୍ ଦାବି କରୁଥିଲେ ।
ଯୌତୁକ ପାଇଁ ଚାପ ବଢ଼ୁଥିବା ବେଳେ ଟଣାର ସପ୍ତାହକ ପୂର୍ବରୁ ରାଧାକୃଷ୍ଣ ଝିଅକୁ ଘରକୁ ଆଣିଥିଲେ । ଦିନେ ପତ୍ନୀ ବିଉଟି ପାର୍ଲର ଯାଇଥିବା ବେଳେ ୩ ସାଙ୍ଗ ସହ ସେଠି ପହଞ୍ଚିଥିଲେ ରାମପ୍ରତାପ । ଆଉ ସ୍ତ୍ରୀ ବିଉଟି ପାର୍ଲର ଯିବା ସପକ୍ଷରେ ନଥିବା ରାମପ୍ରତାପ ସେଠି କୁଆଡ଼େ ସ୍ତ୍ରୀର ଚୁଟି କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି ।
ଏନେଇ ଅଭିଯୋଗ ପରେ ହରଦୋଇ ପୋଲିସ ଛାନଭିନ୍ ଜାରି ରଖିଛି । ଅଭିଯୋଗର ପ୍ରତିଟି ଦିଗକୁ ଧ୍ୟାନ ଦେଇ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଅଧିକାରୀ । ସମ୍ପୂର୍ଣ୍ଣ ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।