ମଣିପୁରରେ ଶାନ୍ତି କ୍ଷେତ୍ରରେ ବଡ଼ ସଫଳତା: ଜାତୀୟ ରାଜପଥ-୨ ଖୋଲିବାକୁ ରାଜି ହେଲା କୁକି ସମୁଦାୟ

Key Points
କେନ୍ଦ୍ର ସରକାର ଓ ମଣିପୁର ସରକାର କୁକି-ଜୋ ସମୁଦାୟ ସହ ଏକ ବୁଝାମଣା କରିଛନ୍ତି । ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଯିବାକୁ ଥିବାବେଳେ ଆସିଛି ଏହି ବଡ଼ ଖବର ।
ଇମ୍ଫାଲ: ହିଂସା ଥମିଛି, ଶାନ୍ତି ଫେରୁଛି । ୨୦୨୩ ମେ ମାସରୁ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦରୁ ଜଳୁଥିଲା ମଣିପୁର । ଏହି ଉତ୍ତରପୂର୍ବ ରାଜ୍ୟ ମଣିପୁର ଏବେ ଶାନ୍ତି ରାସ୍ତାର ପଥିକ । କେନ୍ଦ୍ର ସରକାର ଓ ମଣିପୁର ସରକାର କୁକି-ଜୋ ସମୁଦାୟ ସହ ଏକ ବୁଝାମଣା କରିଛନ୍ତି । ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଯିବାକୁ ଥିବାବେଳେ ଆସିଛି ଏହି ବଡ଼ ଖବର ।
ଗୁରୁବାର ନୂଆଦିଲ୍ଲୀରେ ଏହି ବୁଝାମଣା ସ୍ଵାକ୍ଷର ହୋଇଛି । ଯେଉଁଥିରେ ୨୦୨୩ ମେରୁ ବନ୍ଦ ରହିଥିବା ଜାତୀୟ ରାଜପଥ-୨ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ସାମଗ୍ରୀ ପରିବହନ ସହ ଯାତାୟାତ ସ୍ଵାଭାବିକ ହେବ । ସୁରକ୍ଷାକର୍ମୀଙ୍କ ସହ ସମନ୍ଵୟ ରଖି ଶାନ୍ତି ଦିଗରେ କାମ କରିବାକୁ ରାଜି ହୋଇଛି କୁକି-ଜୋ କାଉନସିଲ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଏକାଧିକ ଥର କୁକି-ଜୋ କାଉନସିଲ୍ର ବୈଠକ ପରେ ଏହି ସଫଳତା ମିଳିଛି ।
୨୦୨୩ ମେରେ ମଣିପୁରରେ ମୁହାଁମୁହିଁ ହୋଇଥିଲେ କୁକି ଓ ମୈକେଇ ସମ୍ପ୍ରଦାୟ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ନେଇ ପାହାଡ଼ରେ ରହୁଥିବା ଆଦିବାସୀ ଏକାଠି ହୋଇଥିଲେ । ପାହାଡ଼ରେ ଅଧିକ ସଂଖ୍ୟାରେ ବାସ କରୁଥିବା ମୈତେଇ ସମୁଦାୟକୁ କୋର୍ଟ ଆଧିବାସୀ ମାନ୍ୟତା ଦେଇଥିଲେ ।
📱 Get Argus News App
✨
ଏହା ପରେ କୁକି ଓ ମୈତେଇ ମୁହାଁମୁହିଁ ହୋଇଥିଲେ । ଯେଉଁ ହିଂସାରେ ଏବେ ସୁଦ୍ଧା ଉଭୟ ସମ୍ପ୍ରଦାୟ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ପ୍ରାୟ ୨୬୦ ଜଣଙ୍କ ମୃତ୍ୟୁ ହୋଇଛି । ମଣିପୁରରେ ଶାନ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବାରମ୍ବାର ପ୍ରୟାସ କରୁଥିବା ବେଳେ ଏବେ ମିଳିଛି ସଫଳତା ।
ଅନ୍ୟପଟେ କୁକି ଓ ୟୁପିଏଫ୍ ହିଂସା ପ୍ରବଣ ଅଞ୍ଚଳରୁ ୭ଟି କ୍ୟାମ୍ପକୁ ସ୍ଥାନାନ୍ତର ପାଇଁ ରାଜି ହୋଇଛନ୍ତି । ଏହି ପଦକ୍ଷେପ ଅଞ୍ଚଳରେ ଉତ୍ତେଜନା ହ୍ରାସ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେବ । ଏବେ ହୋଇଥିବା ଚୁକ୍ତିରେ ସେନା କ୍ୟାମ୍ପ ହ୍ରାସ ସହ ବିଏସ୍ଏଫ୍ ଓ ସିଆରପିଏଫ୍ କ୍ୟାମ୍ପରେ ଅସ୍ତ୍ରଶସ୍ତ୍ର ଦେବାକୁ ରାଜି ହୋଇଛନ୍ତି ।