Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାନ ରାଷ୍ଟ୍ରନାୟକଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କଲେ ଅନ୍ତିମ ଦର୍ଶନ

Smruti Parija
Browse all articles by Smruti Parija
·1 year ago·3 min read
ମହାନ ରାଷ୍ଟ୍ରନାୟକଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କଲେ ଅନ୍ତିମ ଦର୍ଶନ

Key Points

ଡକ୍ଟର ମନମୋହନ ସିଂଙ୍କ ପାର୍ଥୀବ ଶରୀର ହେଲା ପଞ୍ଚଭୂତରେ ବିଲୀନ
ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ପୂର୍ବରୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ
ମହାନ ରାଷ୍ଟ୍ରନାୟକଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କଲେ ଅନ୍ତିମ ଦର୍ଶନ
ଉଦାରୀକରଣ ଅର୍ଥନୀତିର ଜନକଙ୍କ ଅବଦାନକୁ ଦେଶ କରୁଛି ସ୍ମରଣ

ଅର୍ଗସ ବ୍ୟୁରୋ: ଦିଲ୍ଲୀର ନିଗମବୋଧ ଘାଟରେ ମହାନ ରାଷ୍ଟ୍ରନାୟକ ମନମୋହନ ସିଂଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ। ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର କରାଯାଇଛି ଅନ୍ତିମ ସଂସ୍କାର। ଏଥିସହ ପଞ୍ଚଭୂତରେ ବିଲୀନ ହୋଇଛି ଡକ୍ଟର ମନମୋହନ ସିଂହଙ୍କ ପାର୍ଥୀବ ଶରୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ନଗମବୋଧ ଘାଟରେ ଉପସ୍ଥିତ ରହି ଅନ୍ତିମ ସଂସ୍କାରରେ ସାମିଲ ହେବା ସହ ଦିବଂଗତ ନେତାଙ୍କର କରିଥିଲେ ଅନ୍ତିମ ଦର୍ଶନ। ଏହାପୂର୍ବରୁ ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରୁ ନଗମବୋଧ ଘାଟ ଯାଏ ଅନ୍ତିମ ଶୋଭାଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥୀବ ଶରୀରକୁ ଅଣାଯାଇଥିଲା। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ଅନ୍ତିମଯାତ୍ରାରେ ସାମିଲ ହୋଇଥିଲେ। ଏଆଇସିସି କାର୍ଯ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ଡକ୍ଟର ସିଂଙ୍କ ପାର୍ଥୀବ ଶରୀର ରଖାଯାଇଥିଲା। କଂଗ୍ରେସ ମିଳିତ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧିଙ୍କ ସମେତ ବହୁ କଂଗ୍ରେସ ନେତା ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଅନ୍ତିମ ଦର୍ଶନ କରିଥିଲେ। ଗୁରୁବାର ଦିଲ୍ଲୀସ୍ଥିତ ଏମସରେ ୯୨ ବର୍ଷ ବୟସରେ ଡକ୍ଟର ମନମୋହନ ସିଂହଙ୍କର ପରଲୋକ ହୋଇଥିଲା।

ଡକ୍ଟର ମନମୋହନ ସିଂହ ସାର୍ବଜନୀକରୁ ରାଜନୈତିକ ଜୀବନ ଯାଏ ଏପରି କୃତି ହାସଲ କରିଛନ୍ତି ଯାହାକୁ ଦେଶ ସୱୁଦିନ ପାଇଁ ମନେ ରଖିବ। ପ୍ରାୟ ୫୩ ବର୍ଷର ପ୍ରଶାସନିକ ଓ ରାଜନୈତିକ କ୍ୟାରିଅର ମଧ୍ୟରେ ନା କେବେ ବିବାଦ ତାଙ୍କୁ ସ୍ପର୍ଶ କରିଛି ନା ନିଜ ମୂଲ୍ୟବୋଧ ସହ କେବେ ସାଲିସ କରିଛନ୍ତି। ବରଂ ଜଣେ ଶାନ୍ତ, ସରଳ, ସୌମ୍ୟ ଓ ନିର୍ବିବାଦୀୟ ବ୍ୟକ୍ତି ଭାବେ ନିଜର ଏକ ବଳିଷ୍ଠ ପରିଚୟ ବନାଇଥିଲେ। ସେ ନିଜ ମୂଳ ପରିଚୟକୁ କେବେ ଭୁଲିନଥିଲେ। ଶେଷ ଯାଏ ଜଣେ କମନ ମ୍ୟାନ ଭାବେ ବଞ୍ଚିଥିଲେ।

ପ୍ରଧାନମନ୍ତ୍ରୀତ୍ବ କାଳରେ ଓ ଅର୍ଥମନ୍ତ୍ରୀ ଭାବେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଥିଲେ ଡକ୍ଟର ମନମୋହନ ସିଂହ। ସାରା ବିଶ୍ବରେ ମନମୋହନ ସିହଂ ସଫଳ ରାଜନେତା ଅପେକ୍ଷା ଜଣେ ବିଜ୍ଞ ଅର୍ଥଶାସ୍ତ୍ରୀ ଭାବେ ପରିଚିତ। ଯେତେବେଳ ଭାରତୀୟ ଅର୍ଥନୀତି ଟଳମଳ ସ୍ଥିତିରେ ଥିଲା ସେତେବେଳେ ଅର୍ଥମନ୍ତ୍ରୀ ଭାବେ ଡକ୍ଟର ସିଂହ ଦେଶରେ ଉଦାରୀକରଣର ଲହର ନେଇ ଆସିଥିଲେ। ୯୦ ଦଶକରେ ଦେଶର ଦୋଦୁଲ୍ୟମାନ ଅର୍ଥନୀତିକୁ ଟ୍ରାକକୁ ଆଣିବାର ଶ୍ରେୟ ତାଙ୍କୁ ହିଁ ଯାଉଛି। ଭାରତରେ ଉଦାରୀକରଣ ଅର୍ଥନୀତିର ଜନକ ଭାବେ ପରିଚିତ ମନମୋହନ ସିଂହ ବିଶ୍ବ ବଜାରର ପାଇଁ ଦେଶର ଦ୍ବାରା ଖୋଲିଦେଇଥିଲେ। ସେହି ଭିତ୍ତିଭୂମି ଉପରେ ଛିଡ଼ା ହୋଇଥିବା ଭାରତୀୟ ଅର୍ଥନୀତି ଆଜି ବିଶ୍ବର ଏକ ମଜଭୁତ ଅର୍ଥନୀତି ଭାବେ ଆଗକୁ ବଢୁଛି।

ମନମୋହନ ସିଂହଙ୍କ ସାର୍ବଜନୀନ ଜୀବନ ଆରମ୍ଭ ହୋଇଥିଲା ୧୯୭୧ ମସିହାରେ ଯେତେବେଳେ ସେ ଭାରତ ସରକାରଙ୍କ ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାପରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ, ପ୍ରଶାସନିକ ଓ ଶୈକ୍ଷିକ ପଦରେ ସେବା ପ୍ରଦାନ କରିଥିଲେ। ୧୯୯୧ରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସଂସଦର ଉଚ୍ଚ ସଦନକୁ ସେ ୫ ଥର ପ୍ରତିନିଧିତ୍ବ କରିଥିଲେ। ନରସିଂହ ରାଓଙ୍କ ସରକାରରେ ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଲେ ଯେତେବେଳେ ଦେଶର ଅର୍ଥନୀତି ସବୁଠୁ ଖରାପ ସମୟ ଦେଇ ଗତି କରୁଥିଲା। ଭାରତକୁ ସୁନା ବନ୍ଧା ରଖିବାକୁ ପଡ଼ିଥିଲା। ୧୯୯୬ ଯାଏ ସେ ଏହି ପଦରେ ରହି ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତ କରିଥିଲେ। ଏହାପରେ ୨୦୦୪ରୁ ୨୦୧୪ ଯାଏ ୟୁପିଏ ସରକାରରେ ୧୦ ବର୍ଷ ଯାଏ ଦେଶର ପ୍ରଧାନମନ୍ତ୍ରୀ ରହି ଏପରି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଯେଉଁଥିପାଇଁ ସେ ଚିରଦିନ ସ୍ମରଣୀୟ ରହିବେ। ସୂଚନା ଅଧିକାର ଆଇନ୍‍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍, ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆମେରିକା ସହ ଆଣବିକ ଚୁକ୍ତି ପରି ସାହସିକ ପଦକ୍ଷେପ ପାଇଁ ଡକ୍ଟର ମନମୋହନ ସିଂହଙ୍କୁ ଦେଶ ସର୍ବଦା ମନେ ରଖିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
manmohan-singh-cremated-with-full-state-honours-in-new-delhis-nigambodh-ghat | Argus News