ସାବାଡ଼ କରୁଛନ୍ତି ଯବାନ ! ମଣିପୁରରେ କ'ଡ଼ା ଆକ୍ସନ୍, ଉଗ୍ରପନ୍ଥୀଙ୍କ ଆଡ୍ଡା ଧ୍ୱସ୍ତ

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟପାଳ ଅଜୟ ଭଲ୍ଲା ଗତ ଗୁରୁବାର ଦଙ୍ଗାକାରୀଙ୍କୁ ଦେଇଥିଲେ ଅଲଟିମେଟମ। ୭ ଦିନ ମଧ୍ୟରେ ଲୁଟ୍ ଓ ବେଆଇନ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ ସେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ଚେତାବନୀ ଦେଇଥିଲେ। ଆଉ ଏବେ ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଉଗ୍ରପନ୍ଥୀଙ୍କ ଆଡ୍ଡା ଧ୍ବସ୍ତ ସହ ଗିରଫଦାରୀ ପାଇଁ ମିଳିତ ସୁରକ୍ଷା ବାହିନୀ ବିଭିନ୍ନ ଅଂଚଳରେ ଅପରେସନ୍ ଜାରି ରଖିଛି। ଉଗ୍ରପନ୍ଥୀ ପ୍ରବଣ ଅଞ୍ଚଳରେ ଏବେ କର୍ଫ୍ୟୁ ଜାରି ହୋଇଛି। ସପ୍ତାହକ ମଧ୍ୟରେ ସୁରକ୍ଷାବାହିନୀ ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀର ଶୀର୍ଷ ନେତା ସମେତ ୩୦ରୁ ଅଧିକ ଉଗ୍ରପନ୍ଥୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଏଥିସହ ଅନେକ ‘ଗ୍ରାମ ସ୍ବେଚ୍ଛାକର୍ମୀ’ ମଧ୍ୟ ଅଟକ ରହିଛନ୍ତି। ଏହାକୁ ବିରୋଧ କରି ଇମ୍ଫାଲର ଅନେକ ଅଞ୍ଚଳରେ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯାଇଛି। ଗିରଫ ହୋଇଥିବା ଉଗ୍ରପନ୍ଥୀମାନେ କେସିପି (କାଙ୍ଗଲେପାକ୍ କମ୍ୟୁନିଷ୍ଟ ପାର୍ଟି), ପିଏଲ୍ଏଏମ୍ (ପିପୁଲ୍ସ ଲିବରେସନ୍ ଆର୍ମି-ମଣିପୁର) ସମେତ ଅନ୍ୟାନ୍ୟ ଉଗ୍ରପନ୍ଥୀ ଗୋଷ୍ଠୀର ବୋଲି ଜଣାପଡ଼ିଛି।
ଫେବ୍ରୁଆରି ୧୫ ତାରିଖରେ ସୁରକ୍ଷାକର୍ମୀମାନେ ତେଙ୍ଗନୌପାଲ୍ ଜିଲ୍ଲାରେ ଉଗ୍ରପନ୍ଥୀ ଲୁଚିଥିବା ନେଇ ଖବର ପାଇଥିଲେ। ଏନେଇ ବଡ଼ ଧରଣର ସର୍ଚ୍ ଅପରେସନ୍ ଆରମ୍ଭ ହେବା ପରେ ଆଇଇଡି ସମେତ ବ୍ୟାପକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ମଣିପୁରର ବିଭିନ୍ନ ଅଂଚଳରେ ଉଗ୍ରପନ୍ଥୀ ଗୋଷ୍ଠୀ ଆକ୍ରମଣ ପାଇଁ ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା।
ଫେବ୍ରୁଆରି ୧୬ ତାରିଖରେ ପୂର୍ବ ଇମ୍ଫାଲ, ଚୁଡ଼ାଚାନ୍ଦପୁର ଏବଂ କାକଚିଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀମାନେ ଚଢ଼ଉ କରି ପ୍ରଥମ ଗିରଫ କରିଥିଲେ। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ପୋଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଏବଂ ଗୁଇନ୍ଦା ସଂସ୍ଥା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଫେବ୍ରୁଆରି ୧୮ ତାରିଖରେ ଏକ ସଦ୍ୟ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଲା ଯେ ଦୁର୍ଗମ ଏବଂ ସୀମା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏହାପରେ ସେଠାରେ ଯୁଦ୍ଧସ୍ତରରେ ଅତିରିକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫେବ୍ରୁଆରି ୧୯-୨୦ରେ ସୁରକ୍ଷାକର୍ମୀମାନେ ବିଭିନ୍ନ ଜିଲ୍ଲାରେ ସୁରକ୍ଷା ଅପରେସନ୍ ଜୋର୍ଦାର୍ କରିଥିଲେ ଏବଂ ଏହା ଆଗକୁ ଏହା ଜାରି ରହିବ ବୋଲି କୁହାଯାଇଛି।
ଏବେ କୁକି ଉଗ୍ରପନ୍ଥୀ ଗୋଷ୍ଠୀ, କୁକି ନ୍ୟାସନାଲ୍ ଆର୍ମି (କେଏନ୍ଏ) ଏବଂ ୟୁଏନ୍କେଏ (ୟୁନାଇଟେଡ୍ ନ୍ୟାସନାଲ କୁକି ଆର୍ମି) ସଦସ୍ୟ ମଧ୍ୟ ଗିରଫ ହୋଇଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ୧୫ ଆଇଇଡି ଏବଂ ଅତ୍ୟାଧୁନିକ ସ୍ବୟଂଚାଳତ ଏଚ୍କେ ରାଇଫଲ୍, ଇନସାସ୍ ରାଇଫଲ୍ ଏବଂ ଏକେ ସିରିଜ୍ ରାଇଫଲ୍ ସମେତ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଶୁକ୍ରବାର ଦିନ ଅପରେସନ୍ରେ କାକ୍ଚିଙ୍ଗ ଜିଲ୍ଲାର ୧୦ ଭଲ୍ୟୁଣ୍ଟିୟର ଗିରଫ ହୋଇଛନ୍ତି।