Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁରକ୍ଷା ବାହିନୀଙ୍କ ଲଗାତାର ଅପରେସନ ଫଳରେ ଛାନିଆ ମାଓ ସଂଗଠନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସୁରକ୍ଷା ବାହିନୀଙ୍କ ଲଗାତାର ଅପରେସନ ଫଳରେ ଛାନିଆ ମାଓ ସଂଗଠନ

ସୁରକ୍ଷା ବାହିନୀଙ୍କ ଲଗାତାର ଅପରେସନ ଫଳରେ ଛାନିଆ ମାଓ ସଂଗଠନ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ସିପିଆଇ(ମାଓବାଦୀ) କେନ୍ଦ୍ରୀୟ କମିଟିର ଅପିଲ୍
ସରକାର ମାନିଲେ ମାଓବାଦୀ କରିବେ ଯୁଦ୍ଧବିରତି ଘୋଷଣା
ଅମିତ୍ ଶାହଙ୍କ ଘୋଷଣା ସହ ଶେଷ ନିଃଶ୍ବାସ ନେଉଛି ମାଓବାଦ
ଗତ 3 ମାସ ଭିତରେ 130ରୁ ଅଧିକ ମାଓବାଦୀ ମୃତ
ଶାହଙ୍କ ଟାର୍ଗେଟ୍, 2026 ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ ହେବ ଭାରତ

ମାଓବାଦର ମୂଳୋତ୍ପାଟନ ପାଇଁ ଅମିତ୍ ଶାହଙ୍କ ଏ ହୁଙ୍କାର ଏବଂ ତା ପରେ ଲଗାତାର ଜାରି ମାଓ ବିରୋଧୀ ଅପରେସନ୍ ଫଳରେ ଭାଙ୍ଗିଯାଇଛି ମାଓ ସଂଗଠନର ମେରୁଦଣ୍ଡ । ସାମରିକ ଓ ମାନସିକ ସ୍ତରରେ ମାଓ ସଂଗଠନ କେମିତି ଦୁର୍ବଳ ହୋଇପଡ଼ିଛି ତାର ପ୍ରମାଣ ହେଉଛି ଏ ଚିଠି । ଇଏ ହେଉଛି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ଏହି ପ୍ରେସ୍ ନୋଟ୍ ଜାରି କରି ଶାନ୍ତି ପାଇଁ ଅପିଲ୍ କରିଛି ମାଓ ସଂଗଠନ । ମାଓବାଦୀ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟଙ୍କ ଦସ୍ତଖତରେ ତେଲୁଗୁ ଭାଷାରେ ଜାରି ଏହି ପ୍ରେସ୍ ନୋଟରେ ଲେଖାଯାଇଛି ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ । ଶାନ୍ତି ଆଲୋଚନାକୁ ସମର୍ଥନ କରିବାକୁ ଅପିଲ୍ କରାଯାଇଛି । ମାଓ ସଂଗଠନ ସର୍ତ୍ତ ରଖିଛି, ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ କରାଯାଉ। ସାମରିକ କାର୍ଯ୍ୟାନୁଷ୍ଠାନ ବି ବନ୍ଦ କରାଯାଉ । ପୂର୍ବରୁ ମଧ୍ୟ ମାଓ ସଂଗଠନ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିବା ଏଥିରେ ଉଲ୍ଲେଖ ଅଛି।

2026 ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ଭାରତ ନେଇ ଅମିତ୍ ଶାହଙ୍କ ଆହ୍ବାନ ପରେ ଛତିଶଗଡ଼ରେ ଚାଲିଛି ଜୋରଦାର ମାଓବିରୋଧୀ ଅପରେସନ୍ । ଗତ କିଛି ମାସ ହେଲା ଏଥିରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳିଚାଲିଛି । ଗତ 3 ମାସ ଭିତରେ 130ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ଗତ 22 ତାରିଖରେ ରାଜ୍ୟସଭାରେ ବିବୃତି ରଖି କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଅନୁସାରେ ଗୋଟିଏ ବର୍ଷରେ 400ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । 1100ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । 57 ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ସେନା ଉପରେ 53 ପ୍ରତିଶତ ଆକ୍ରମଣ ହ୍ରାସ ପାଇଛି । 5 ବର୍ଷରେ ଶତାଧିକ ସୁରକ୍ଷା କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି । ନକ୍ସଲଙ୍କୁ ଅର୍ଥ ଯୋଗାଉଥିବା ଅସାମାଜିକଙ୍କୁ ଜେଲ୍ ପଠାଯାଇଛି । ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକର ବିକାଶ କରାଯାଉଛି । ଏବେ ମାତ୍ର ଦେଶର 12ଟି ଜିଲ୍ଲା ମାଓ ପ୍ରଭାବିତ । ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI) ଉପରେ ପ୍ରତିବନ୍ଧକ ଲଗାଯାଇଛି। ପୂର୍ବୋତ୍ତର ରାଜ୍ୟର 10,900 ଯୁବକ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ।

ଗତ କିଛି ଦିନ ଭିତରେ ବହୁ ମାଓ କ୍ୟାମ୍ପ୍ ଧ୍ବଂସ ହେବା, ମାଓ ସଂଗଠନର ବହୁ ଶୀର୍ଷ କମାଣ୍ଡର ନିପାତ ହେବା ବହୁ ଆତ୍ମସମର୍ପଣ କରିଥିବାବେଳେ ଶେଷରେ ମାଓ ସଂଗଠନର ମନୋବଳ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିବା ପ୍ରମାଣ ହେଉଛି ଏ ଚିଠି । ମାଓ ସଂଗଠନ ସମ୍ପୂର୍ଣ୍ଣ ଅସ୍ତ୍ର ଛାଡ଼ିଲେ ସରକାରଙ୍କର ବଡ଼ ବିଜୟ ହେବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ହେବ ବେଶ୍ ଶୁଭଙ୍କର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoist organization is being suppressed due to continuous operations by security forces | Argus News