Masood Azhar / ମସ୍କ-ଜୁକରବର୍ଗଙ୍କଠାରୁ ବି ବଡ଼ ଧନୀ ଆତଙ୍କୀ ମସୁଦ ଆଝାର !

Key Points
ଆତଙ୍କବାଦୀ ମସୁଦ ଅଝାର । ୟାକୁ କିଏ ନଜାଣେ । ବିଶ୍ୱର ବଡ଼ ବଡ଼ ଆତଙ୍କବାଦୀଙ୍କ ମଧ୍ୟରୁ ମସୁଦ ଆଝାର ହେଉଛି ଜଣେ । ଆଝାର ବିଭିନ୍ନ ଦେଶରେ ଆତଙ୍କୀ ହମ୍ଲା କରେ । ବିଶେଷ କରି ଭାରତ ବିରୋଧରେ ସେ ନିୟମିତ ଷଡ୍ଯନ୍ତ୍ର ଜାରି ରଖିଥାଏ । ଦିଲ୍ଲୀ ବ୍ଲାଷ୍ଟ ହେଉ କିମ୍ବା ପୁଲାୱାମା ବ୍ଲାଷ୍ଟ । ସବୁଥିଲେ ମସୁଦ ଆଝାରର ହାତ । ହେଲେ ଏହାରି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମସୁଦ ଆଝାର କୁଆଡ଼େ ଏଲନ ମସ୍କ ଆଉ ମାର୍କ ଜୁକର ବର୍ଗଠାରୁ ବି ଧନୀ । ଅର୍ଥାତ ସେ ଦେଶର ଏକ ନମ୍ବର ଧନୀ ! ଏକଥା ଆମେ କହୁନାହୁଁ କିମ୍ବା କୌଣସି ସଂସ୍ଥା ସର୍ଭେ କରି ଏଭଳି ତଥ୍ୟ ପ୍ରକାଶ କରି ନାହିଁ । ଏକଥା ସେ ନିଜେ କହିଛି ।
ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ମୁଖ୍ୟ ହେଉଛି ମସୁଦ ଆଝାର । ତାର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜକୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲି ଦାବି କରିଛି । ଏପରିକି ସେ ନିଜକୁ ଏଲନ ମସ୍କ ଏବଂ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଠାରୁ ଧନୀ ବୋଲି କହିଛି । ତେବେ ଏଲନ ମସ୍କ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ଼ ଧନୀ । ଯଦି ତାଙ୍କଠାରୁ ବି ମସୁଦ ଅଧିକ ଧନୀ । ତେବେ ସେ ହିଁ ବିଶ୍ୱର ଏକ ନମ୍ବର ଧନୀ କୁହାଯିବ ।
ଖାଲି ସେତିକି ନୁହେଁ, ମସୁଦ ଆହୁରି ମଧ୍ୟ କହିଛି ଯେ 'ଜିହାଦ ପାଇଁ ଅର୍ଥର ଅଭାବ ନାହିଁ । ମୁଁ ଜିହାଦ ପାଇଁ ଯାହା ମାଗିଥିଲି ତାହା ପାଉଛି । ଆମ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ କିଣିବା ପାଇଁ ଓ ଜିହାଦ ପାଇଁ ଅର୍ଥର କୌଣସି ପ୍ରକାର ଅଭାବ ନାହିଁ'। ତାର ଏଭଳି ବୟାନ ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ତାପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? କିଏ ତାକୁ ଦେଉଛି ଏତେ ପରିମାଣର ଅର୍ଥ । ସେ ସତ କହୁଛି ନା ମିଛ । ଜିହାଦି ମାନଙ୍କୁ ଉସକାଇବା ପାଇଁ ସେ ଏଭଳି କହୁଛି ।
ଏହା ପୂର୍ବରୁ, ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୁଫତି ଅବଦୁଲ ରଉଫ ଅସଗର ମଧ୍ୟ ବିଷ ଓଗାଳିଥିଲେ। ଜିହାଦ ସମ୍ପର୍କରେ ଜୈଶ କମାଣ୍ଡର ଅବଦୁଲ ରଉଫ ଅସଗରଙ୍କ ଅଡିଓ ସାମ୍ନାକୁ ଆସିଥିଲା। ଅସଗର କହିଥିଲେ, "ଜିହାଦରେ ଜୀବନ ଅଛି। ଜିହାଦ ସମ୍ମାନ ଆଣିବ। ସୂଚନାଯୋଗ୍ୟ ଯେ, ଅବଦୁଲ ରଉଫ ଅସଗର ହେଉଛି ବିମାନ IC814 ଅପହରଣ ମାମଲାର ମାଷ୍ଟରମାଇଣ୍ଡ ଏବଂ ମସୁଦ ଆଝାରର ଭାଇ।
ମସୁଦ ଆଝାର କେତେ ଭୟଙ୍କର
ମସୁଦ ଆଝାର ଏବେ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି, ଏବଂ ଏହାକୁ କିପରି ସମାଧାନ କରାଯିବ ତାହା ଚିନ୍ତାର ବିଷୟ ପାଲଟିଛି । ଜୈଶ-ଏ-ମହମ୍ମଦ ଅର୍ଥ ହେଉଛି ମହମ୍ମଦର ସେନା, ଏବଂ ଆଝାର ହେଉଛି ଏହାର ମାଷ୍ଟରମାଇଣ୍ଡ। ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡଯନ୍ତ୍ର କରିବାରେ ସେ ନିରନ୍ତର ଭାବେ ନିୟୋଜିତ। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ମଧ୍ୟ ଜୈଶର ଷଡଯନ୍ତ୍ର ସାମ୍ନାକୁ ଆସୁଛି। ୧୯୯୯ କାନ୍ଦାହାର ଅପହରଣରେ ଏୟାର ଇଣ୍ଡିଆର ଏକ ବିମାନରେ ଯାତ୍ରୀଙ୍କ ବଦଳରେ ମସୁଦ ଆଝାରଙ୍କୁ ମୁକ୍ତ କରାଯାଇଥିଲା ଏବଂ ସେବେଠାରୁ ସେ ଭାରତରେ ରକ୍ତପାତ ଷଡଯନ୍ତ୍ର କରିବାରେ ନିୟୋଜିତ ରହିଛି ।
ନକଲି ପାସପୋର୍ଟରେ ଭାରତ ଆସିଥିଲା
ପଞ୍ଜାବ ପ୍ରଦେଶର ବାହାୱଲପୁରରେ ଜନ୍ମିତ ମସୁଦ ଆଝାର ୧୯୯୦ ଦଶକରେ ହରକତ-ଉଲ-ମୁଜାହିଦ୍ଦିନ (HuM)ର ସଦସ୍ୟ ଥିଲା, ଯାହା ପୂର୍ବରୁ ହରକତ-ଉଲ-ଅଂସାର ନାମରେ ଜଣାଶୁଣା ଥିଲା। ୧୯୯୩ ମସିହାରେ ସେ କେନିଆର ନାଇରୋବି ଚାଲିଗଲା, ସେବେଠାରୁ ତାର ମିଶନ ହେଉଛି, ଭାରତରେ ଇସଲାମିକ୍ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା । ୧୯୯୪ ମସିହାରେ, ଆଝାର ଏକ ନକଲି ପର୍ତ୍ତୁଗୀଜ୍ ପାସପୋର୍ଟ ବ୍ୟବହାର କରି ଶ୍ରୀନଗରରେ ପହଞ୍ଚିଥିଲା । ସେତେବେଳେ ତାର ଉଦ୍ଦେଶ୍ୟ ଥିଲା ହରକତ-ଉଲ-ଅଂସାର ଗୋଷ୍ଠୀ, ହରକତ-ଉଲ-ଜିହାଦ ଅଲ-ଇସଲାମି ଏବଂ ହରକତ-ଉଲ-ମୁଜାହିଦ୍ଦିନ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବା। ସେହି ବର୍ଷ ଫେବୃଆରୀରେ, ଭାରତ ତାକୁ ଅନନ୍ତନାଗ ନିକଟସ୍ଥ ଖାନବଲରୁ ଗିରଫ କରି ଜେଲରେ ଭର୍ତ୍ତି କରିଥିଲା।
📱 Get Argus News App
✨Related Topics
Explore more stories