Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଦ୍ରିନାଥରେ ଭୀଷଣ ହିମସ୍ଖଳନ: ଫସିଥିବା ୫୭ ଶ୍ରମିକଙ୍କ ମଧ୍ୟରୁ ୩୨ ଉଦ୍ଧାର

National

ବଦ୍ରିନାଥରେ ଭୀଷଣ ହିମସ୍ଖଳନ: ଫସିଥିବା ୫୭ ଶ୍ରମିକଙ୍କ ମଧ୍ୟରୁ ୩୨ ଉଦ୍ଧାର

Ritu Das
Browse all articles by Ritu Das
·1 year ago·2 min read
ବଦ୍ରିନାଥରେ ଭୀଷଣ ହିମସ୍ଖଳନ: ଫସିଥିବା ୫୭ ଶ୍ରମିକଙ୍କ ମଧ୍ୟରୁ ୩୨ ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ଶୁକ୍ରବାର ଉଚ୍ଚ ସୀମାନ୍ତ ଗ୍ରାମ ମାନା ନିକଟରେ ପ୍ରବଳ ହିମସ୍ଖଳନ ଯୋଗୁ ଭୟାନକ ସ୍ଥିତି ଉପୁଜିଛି। ସୀମା ସଡ଼କ ସଂଗଠନ (ବିଆର୍‌ଓ)ର ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ଫସି ରହିଥିବାବେଳେ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ମନା ଗାଁ ନିକଟସ୍ଥ ସେନା ଶିବିରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଭାରତ-ତିବ୍ଦତ ସୀମା ଆଡ଼କୁ ସେନା ଯାତାୟାତ ପାଇଁ ଶ୍ରମିକମାନେ ଅତ୍ୟାବଶ୍ୟକ ବରଫ ସଫା ଅଭିଯାନରେ ନିୟୋଜିତ ଥିବା ବେଳେ ଆଜି ସକାଳେ ମାନା ଓ ମାନା ପାସ୍ ମଧ୍ୟରେ ହିମସ୍ଖଳନ ହୋଇଥିଲା। ଚମୋଲି ଜିଲ୍ଲାପାଳ ସନ୍ଦୀପ ତିଵାରୀ କହିଛନ୍ତି ଯେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକାଧିକ ଟିମ୍ ଆହ୍ୱାନପୂର୍ଣ୍ଣ ଅଞ୍ଚଳ, ପ୍ରବଳ ତୁଷାରପାତ ଓ ବର୍ଷା ସହିତ ସଂଘର୍ଷ କରୁଛନ୍ତି। ଫସି ରହିଥିବା


ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ଏବଂ ଅନ୍ୟାନ୍ୟ ବିଭାଗର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମର ବିପର୍ଯ୍ୟୟ ପରିଚାଳନା ଟିମ୍ ଏବଂ ସମଗ୍ର ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀ ଡେରାଡୁନଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ୍)ର ଟିମ୍ ମୁତୟନ କରାଯାଇଛି। ତେବେ ତୁଷାରପାତ ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର ପ୍ରକ୍ରିୟା ମନ୍ଥର ହୋଇଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଘଟଣାର ସମୀକ୍ଷା କରିବା ସହ କହିଛନ୍ତି ଯେ ଯେଉଁମାନେ ଫସିଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଣ୍ଡିଗଡ଼ସ୍ଥିତ ଡିଫେନ୍ସ ଜିଓଇନ୍‌ଫର୍ମେଟିକ୍ସ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଡିଜିଆର୍‌ଆଇ) ରୁଦ୍ରପ୍ରୟାଗ, ପିଥୋରାଗଡ଼ ଓ ବାଗେଶ୍ୱର ଜିଲ୍ଲାର ୨୪୦୦ ମିଟରରୁ ଅଧିକ ଅଞ୍ଚଳକୁ ହିମସ୍ଖଳନ ନେଇ ସତର୍କ ସୂଚନା ଜାରି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive avalanche in Badrinath: 32 out of 57 trapped laborers rescued | Argus News