ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ , ଚାଲିଗଲା ୧୭ ଜୀବନ

Key Points
ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ
ନିଆଁରେ ଚାଲିଗଲା ୧୭ ଜୀବନ
ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ
ରାତିରେ ଖାଇ ପିଇ ଶୋଇଥିଲେ । ସକାଳୁ ସକାଳୁ ନିଦ ଭାଙ୍ଗୁଥିଲା । ହେଲେ ସୂର୍ଯ୍ୟାଲୋକ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଯମ ଭଳି ମାଡ଼ି ଆସିଲା ନିଆଁ ଓ ଧୂଆଁ । ଆଉ ଚାଲିଗଲା ୧୭ ନିରୀହ ଜୀବନ । ହାଇଦ୍ରାବାଦ ଚାରମୀନାର ନିକଟ ଗୁଲଜାର ହାଉସରେ ଆଜି ସକାଳ ୬ଟାରୁ ସାଢ଼େ ୬ଟା ମଧ୍ୟରେ ଲାଗିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା । ସେତେବେଳକୁ ବହୁ ଲୋକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଅନେକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଲଡିଂରେ ମୋଟ ୨୧ ଜଣ ଥିବା ବେଳେ, ୧୭ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଛନ୍ତି ।
ନିଆଁ ଲାଗିଥିବା ବିଲ୍ଡିଂକୁ ଯିବାକୁ ଏକ ଅଣ ଓସାରିଆ ପ୍ରବେଶ ପଥ ଥିଲା । ଯାହା ଅଗ୍ନିଶମ ବାହିନୀ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ପୋଲିସ, ଅଗ୍ନିଶମ ଟିମ୍ ନିଆଁ ଲିଭାଇବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହ ଫୋନ୍ ଯୋଗେ କଥା ହୋଇଥିଲେ । ମୃକତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ସେହିପରି କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ, AIMIM ମୁଖ୍ୟ ଅସଉଦ୍ଦିନ ଓୱେସିଙ୍କ ସମେତ ରାଜ୍ୟର ବିଭାଗର ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
