Videos
|
National

Landslide Disaster / ଭୂସ୍ଖଳନରେ ଭାସିଗଲା ଘର, ମାଟି ତଳେ ପୋତିହେଲା ଗାଡ଼ି ଓ ସମ୍ପତ୍ତି

Rashmita Mishra
Browse all articles by Rashmita Mishra
·1 hour ago·2 min read
ଭୂସ୍ଖଳନରେ ଭାସିଗଲା ଘର, ମାଟି ତଳେ ପୋତିହେଲା ଗାଡ଼ି ଓ ସମ୍ପତ୍ତି
Landslide Disaster

Key Points

ତାମିଲନାଡୁରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନରେ ବସ୍ ଚାଳକ ମୃ*ତ 
ପ୍ରବଳ ବର୍ଷାରେ ଧସିଲା ପାହାଡ଼, ୧୦ରୁ ଅଧିକ ସ୍ଥାନରେ ଭୂସ୍ଖଳନ 
ରାସ୍ତା ଉପରେ ପଡ଼ିଲା ବିଶାଳ ପଥର ଓ ଗଛ, ଯାତାୟାତ ଠପ୍ 
ଭୂସ୍ଖଳନରେ ଭାସିଗଲା ଘର, ମାଟି ତଳେ ପୋତିହେଲା ଗାଡ଼ି ଓ ସମ୍ପତ୍ତି 

ତାମିଲନାଡୁର ନୀଳଗିରି ଓ କୋୟମ୍ବତୁର ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟଣା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି । ଶୁକ୍ରବାର ରାତିରେ ହୋଇଥିବା ମୂଷଳଧାରା ବର୍ଷା ଯୋଗୁଁ ପାହାଡ଼ରୁ ମାଟି, ବଡ଼ ବଡ଼ ପଥର ଓ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି । ଏହି ଘଟଣାରେ ଜଣେ ସରକାରୀ ବସ୍ ଚାଳକଙ୍କ ମୃ*ତ୍ୟୁ ହୋଇଥିବାବେଳେ କଣ୍ଡକ୍ଟର ଆହତ ହୋଇଛନ୍ତି । ଅନ୍ୟପଟେ, ବାର୍ଲିୟାର ଗାଁରେ ଭୂସ୍ଖଳନ ଯୋଗୁଁ ଘର ଭୁଶୁଡ଼ି ପଡ଼ିଛି । ତେବେ ଘରେ ଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରି ଆସିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

କୁନ୍ନୁର-ମେଟ୍ଟୁପାଳୟମ୍ ରାଜପଥର ୧୦ରୁ ଅଧିକ ସ୍ଥାନରେ ଭୂସ୍ଖଳନ
ପ୍ରବଳ ବର୍ଷା ଯୋଗୁଁ କୁନ୍ନୁର-ମେଟ୍ଟୁପାଳୟମ୍ ଜାତୀୟ ରାଜପଥର ୧୦ରୁ ଅଧିକ ସ୍ଥାନରେ ଭୂସ୍ଖଳନ ଘଟିଛି । ରାସ୍ତା ଉପରେ ମାଟି, ପଥର ଓ ଗଛ ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ, ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ ଓ ରାଜପଥ ବିଭାଗର କର୍ମଚାରୀମାନେ ରାସ୍ତାରୁ ମାଟି ଓ ଭଙ୍ଗା ଗଛ ହଟାଇବାରେ ନିୟୋଜିତ ଅଛନ୍ତି ।

ବସ୍ ଚାଳକଙ୍କ ମୃ*ତ୍ୟୁ, କଣ୍ଡକ୍ଟର ଆହତ
ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ବାର୍ଲିୟାର ନିକଟରେ ମେଟ୍ଟୁପାଳୟମ୍-ଊଟି ରାସ୍ତାରେ ଏକ ସରକାରୀ ବସ୍ ଭୂସ୍ଖଳନର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ବସ୍ ଚାଳକ ଜନକରାଜଙ୍କ ମୃ*ତ୍ୟୁ ହୋଇଥିବାବେଳେ କଣ୍ଡକ୍ଟର କେଶବନ ଆହତ ହୋଇଛନ୍ତି । ଅନେକ ସମୟ ଉଦ୍ୟମ ପରେ କଣ୍ଡକ୍ଟରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଟ୍ଟୁପାଳୟମ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସମୟରେ ବସ୍‌ରେ କୌଣସି ଯାତ୍ରୀ ନଥିଲେ । ଫଳରେ ଅଧିକ ଜୀବନହାନିକୁ ଏଡ଼ାଇ ଦିଆଯାଇପାରିଛି ।

ବାର୍ଲିୟାରରେ ଘର ଭୁଶୁଡ଼ିଲା, ଅନେକ ଗାଡ଼ି କ୍ଷତିଗ୍ରସ୍ତ
ବାର୍ଲିୟାର ଗାଁରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଗୋଟିଏ ଘର ସମ୍ପୂର୍ଣ୍ଣ ଭାବେ ଭାସିଯାଇଛି । ଘରର ବାସିନ୍ଦାଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ସଞ୍ଚୟ କରିଥିବା ସମ୍ପତ୍ତି, ନଗଦ ଟଙ୍କା ଓ ଦୁଇଚକିଆ ଯାନ ସମେତ ଅନେକ ସାମଗ୍ରୀ ମାଟି ତଳେ ପୋତି ହୋଇଯାଇଛି କିମ୍ବା ପାଣି ସହ ଭାସିଯାଇଛି । ପ୍ରଭାବିତ ପରିବାର ପ୍ରଶାସନକୁ ସହାୟତା ଓ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି ।

ନୀଳଗିରି ଜିଲ୍ଲାର ଭାଣ୍ଡିପେଟ୍ଟାଇ ଓ ଅଗ୍ରହାରମ୍ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅନେକ ଘରେ ବର୍ଷାଜଳ ପଶିଯିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହ ଗୋଟିଏ କାର୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଛଅଟି ଦୁଇଚକିଆ ଯାନ ସମେତ ଅନେକ ଗାଡ଼ିର କ୍ଷତି ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଞ୍ଚଳରେ ଯାତାୟାତ ଓ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରାସ୍ତା ସଫା କରି ଯୋଗାଯୋଗ ସ୍ୱାଭାବିକ କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: