ଚତିଳବର୍ଷର ଯୋଗ ଦିବସ ଥିମ୍- `ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ ପାଇଁ ଯୋଗ'

Key Points
`ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ ପାଇଁ ଯୋଗ'
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ବିଶାଳ ଆୟୋଜନ
ଦେଶର ଏକ ଲକ୍ଷ ସ୍ଥାନରେ ହେବ ଯୋଗ ସଂଗମ
ବିଶାଖାପାଟଣାରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
ଏକାଦଶତମ ଯୋଗ ଦିବସକୁ ନେଇ ସାରା ବିଶ୍ବରେ ଉତ୍ସାହର ଲହରୀ
ବିଶ୍ବର ୧୯୧ଟି ଦେଶରେ ଯୋଗ ସଂଗମ କାର୍ଯ୍ୟକ୍ରମ
ଯୋଗ ବୋର୍ଡ ଓ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ । ଏକାଦଶତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତ ବିଶ୍ବ । ଏବର୍ଷ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ପାଳନ ହେବାକୁ ଯାଉଛି ମୁଖ୍ୟ କାର୍ଯ୍ୟକ୍ରମ । ଦେଶର ଏକ ଲକ୍ଷ ଠିକଣା ସମେତ ବିଶ୍ବର ୧୯୧ଟି ଦେଶରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଲୋକଙ୍କ ଉଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୬ଟା ୩୦ରୁ ଆରମ୍ଭ ହେବାକୁ ଯାଉଛି ଯୋଗ ସଂଗମ କାର୍ଯ୍ୟକ୍ରମ । ବିଶାଖାପାଟଣା ଯୋଗସଂଗମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ଆୟୁଷ ମନ୍ତ୍ରଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ଚତିଳବର୍ଷର ଯୋଗ ଦିବସ ଥିମ୍ ରହିଛି- `ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ ପାଇଁ ଯୋଗ'।
୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ରାଞ୍ଚି, ଲକ୍ଷ୍ନୌ, ମହୀଶୁର, ଜମ୍ମୁ କାଶ୍ମୀର, ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ସମେତ ବିଭିନ୍ନ ପ୍ରସିଦ୍ଧ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଉଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୋଗ ବିଜ୍ଞାନକୁ ସାରା ବିଶ୍ବକୁ ବାଣ୍ଟି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମାର୍ଗଦର୍ଶନରେ ୧୧ ଡିସେମ୍ବର ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଜାତିସଂଘରେ ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବ ଆଗତ କରାଯାଇଥିଲା । ବିଶ୍ବର ୧୭୭ଦେଶର ରେକର୍ଡ ସମର୍ଥନ ସହ ପ୍ରସ୍ତାବକୁ ମିଳିଥିଲା ଐତିହାସିକ ମଞ୍ଜୁରୀ । ୨୦୧୫ ଜୁନ ୨୧ରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ ।
ଯୋଗ- ଚାପମୁକ୍ତ ଜୀବନର ମୂଳମନ୍ତ୍ର... ବିଶ୍ବକୁ ଭାରତର ମହାନ ଅବଦାନ । ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ପକ୍ଷରୁ ନୂଆଦିଲ୍ଲୀରେ ହାର୍ଟଫୁଲନେସ୍ ଧ୍ୟାନ କେନ୍ଦ୍ର, ଆରକେ ପୁରମରେ ୨ ଦିନ ପୂର୍ବରୁ ୩ ଦିନିଆ ଯୋଗ ମହାକୁମ୍ଭ ଆରମ୍ଭ ହୋଇସାରିଛି । ଲଦାଖ, ଜମ୍ମୁ କାଶ୍ମୀରରେ ବିଭିନ୍ନ ସେନା କ୍ୟାମ୍ପ ସମେତ ବାୟୁସେନା ଓ ନୌସେନା ଘାଟିରେ ବି ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ହୋଇଛି । ଜମ୍ମୁ କାଶ୍ମୀରର ଉଦମପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।