Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Medical Student GangRaped / ପଶ୍ଚିମବଙ୍ଗରେ ପୁଣି ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ! କ୍ୟାମ୍ପସ ବାହାରୁ ଟେକି ନେଲେ ଜଙ୍ଗଲକୁ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ପଶ୍ଚିମବଙ୍ଗରେ ପୁଣି ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ! କ୍ୟାମ୍ପସ ବାହାରୁ ଟେକି ନେଲେ ଜଙ୍ଗଲକୁ...

Key Points

ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପଦକ୍ଷେପ ପାଇଁ କହିଛନ୍ତି ।

ପରିବାରବର୍ଗଙ୍କୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆର୍. ଜି କର ମେଡିକାଲ୍ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ ସାରା ବିଶ୍ବରେ ବଦନାମ ହୋଇଥିବା ପଶ୍ଚିମବଙ୍ଗରେ ପୁଣି ଘଟିଛି ଏକ ସାଂଘାତିକ ଘଟଣା। ଏଥର ବି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଡାକ୍ତରୀ ଛାତ୍ରୀ। ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷ ପଢୁଥିବା ଜଣେ ଓଡ଼ିଆ ଝିଅ। ଛାତ୍ରୀ ଜଣଙ୍କ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବୋଲି ଜଣାପଡ଼ିଛି । ଏନେଇ ମେଡିକାଲ କଲେଜରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ସେପଟେ ଘଟଣା ସମ୍ପର୍କରେ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସେଠ୍ ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ସହପାଠୀଙ୍କ ସହ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ ଛାତ୍ରୀ । ହଠାତ୍ ପାଞ୍ଚ ଜଣ ଯୁବକ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ । ରାସ୍ତାରୁ ହସ୍ପିଟାଲ ପଛପଟ ଏକ ଜଙ୍ଗଲକୁ ଉଠାଇ ନେଇ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିଲେ ଦୁର୍ବୃତ୍ତ । ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ଆଇସିୟୁରେ ଭର୍ତ୍ତି ଅଛନ୍ତି ।

ସେପଟେ ପଶ୍ଚିମବଂଗ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା। ମମତା ସରକାରରେ ମିଳୁନି ସହଯୋଗ । ଘଟଣାକୁ ଚାପିବାକୁ ଚେଷ୍ଟା କରାଯାଉଛି । ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୁଅନ୍ତାଣି ।

ତେବେ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆର୍. ଜି. କର ମେଡିକାଲ୍ କଲେଜ ଘଟଣା ପରେ ଏବେ ପୁଣି ଏଭଳି ଘଟଣା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ସୃଷ୍ଟି କରିଛି ବଡ଼ ପ୍ରଶ୍ନ। ଦୁର୍ଗାପୁର ପୋଲିସ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ।

ଅନ୍ୟପଟେ ଏହି ଘଟଣା ନେଇ ସୋସିଆଲ ମିଡିଆ 'X'ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଣାକୁ ଦୁର୍ଭାଗ୍ୟଜନକ ସହ ନିନ୍ଦନୀୟ ଓ ପୀଡ଼ାଦାୟକ କହିଲେ ମୁଖ୍ୟମନ୍ତ୍ରୀ । ଖବର ଶୁଣି ଗଭୀର ଭାବେ ମର୍ମାହତ ହୋଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ସିଏମ୍ ମୋହନ ମାଝୀ । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଦକ୍ଷେପ ନେବାକୁ କହିଛନ୍ତି । ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପଦକ୍ଷେପ ପାଇଁ କହିଛନ୍ତି । ପରିବାରବର୍ଗଙ୍କୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ଓଡ଼ିଶା ସରକାର । ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ DIG ପିନାକ ମିଶ୍ର । ସେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯିବେ । ଏହି ଟିମ୍ ପୀଡ଼ିତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବେ । DIG ଓ ବାଲେଶ୍ବର ଏସପି ଏହି ଘଟଣାର ପରବର୍ତ୍ତୀ ପଦକ୍ଷେପ ନେଇ ଦୁର୍ଗାପୁର ପୋଲିସ ସହ ଯୋଗାଯୋଗରେ ଅଛନ୍ତି।

ସେପଟେ ଏହି ଘଟଣାକୁ ପଶ୍ଚିମବଙ୍ଗ ବିଜେପି ନିନ୍ଦା କରୁଛି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ଦାବି ଯେ ତୁରନ୍ତ ଦୋଷୀ ମାନଙ୍କୁ ଧରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯଦି ତୁରନ୍ତ ଦୋଷୀଙ୍କୁ ଧରିବେ ନାହିଁ, ତେବେ ପଶ୍ଚିମବଙ୍ଗ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଦୁଷ୍କର୍ମକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ସରକାର ଚିହ୍ନଟ କରିନାହାନ୍ତି କି ଗିରଫ କରିନାହାନ୍ତି । ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ପୁରା ଭୁଶୁଡ଼ି ପଡ଼ିଛି । ବିଧାୟକ, ସାଂସଦଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରୁଛନ୍ତି । ଓଡ଼ିଆ ଝିଅ ଗଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ପୋଲିସ କୌଣସି ସହଯୋଗ କରୁନାହଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ମହିଳା ହୋଇ ମଧ୍ୟ ତାଙ୍କ ଠାରେ ସମ୍ବେଦନଶୀଳତା ଦେଖା ଯାଉନାହିଁ । ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ମଧ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ବୋଲି ସାର୍ବଜନୀନ ଭାବେ କହିଛନ୍ତି ରାଜ୍ୟପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Medical Student GangRaped | Medical student from Odisha gang-raped in West Bengal | Argus News