Videos
|
National

Milk Price Hike / ପାର୍ବଣ ପୂର୍ବରୁ ବଡ଼ ଝଟକା... କ୍ଷୀର ଦର ବଢ଼ିଲା, ବଢ଼ିବ ଖର୍ଚ୍ଚ

Rashmita Mishra
Browse all articles by Rashmita Mishra
·52 mins ago·3 min read
ପାର୍ବଣ ପୂର୍ବରୁ ବଡ଼ ଝଟକା... କ୍ଷୀର ଦର ବଢ଼ିଲା, ବଢ଼ିବ ଖର୍ଚ୍ଚ
Milk Price Hike

Key Points

ପୁଣି ମହଙ୍ଗା ହେଲା କ୍ଷୀର ଲିଟର ପିଛା ବଢ଼ିଲା ୯ ଟଙ୍କା ।
୧୦୨ ଟଙ୍କାରେ ପହଞ୍ଚିଲା କ୍ଷୀର ମୁମ୍ବାଇବାସୀଙ୍କୁ ମହଙ୍ଗା ଝଟକା ।
ପାର୍ବଣ ପୂର୍ବରୁ ବଡ଼ ଝଟକା କ୍ଷୀର ଦର ବଢ଼ିଲା, ବଢ଼ିବ ଖର୍ଚ୍ଚ
କ୍ଷୀର ଦର ଆକାଶଛୁଆଁ ୧ ଲିଟର ପାଇଁ ଦେବେ ୧୦୨ ଟଙ୍କା 

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇବାସୀଙ୍କୁ ମହଙ୍ଗାଇର ଆଉ ଏକ ଝଟକା ଲାଗିଛି । ମଙ୍ଗଳବାର, ୧ ସେପ୍ଟେମ୍ବରରୁ ସହରରେ ମିଳୁଥିବା ଖୋଲା କ୍ଷୀରର ଦର ଲିଟର ପିଛା ୯ ଟଙ୍କା ବଢ଼ିଛି । ଏହାଫଳରେ ଏବେ ମୁମ୍ବାଇରେ କ୍ଷୀର ଦାମ ୯୩ ଟଙ୍କା ବଦଳରେ ୧୦୨ ଟଙ୍କା ପ୍ରତି ଲିଟର ହୋଇଛି । ନୂଆ ଦର ୧ ସେପ୍ଟେମ୍ବର ୨୦୨୬ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ...

କାହିଁକି ବଢ଼ିଲା କ୍ଷୀର ଦର ?
କ୍ଷୀର ଉତ୍ପାଦକଙ୍କ ଅନୁସାରେ ଗତ କିଛି ସମୟ ଧରି କ୍ଷୀର ବ୍ୟବସାୟର ଖର୍ଚ୍ଚ ଲଗାତାର ବଢ଼ିଚାଲିଛି । ଗାଈ-ମଇଁଷିଙ୍କ ମୂଲ୍ୟ ବଢ଼ିବା ସହ ସେମାନଙ୍କ ଖାଦ୍ୟ ଓ ଚାରା ଦରରେ ମଧ୍ୟ ବୃଦ୍ଧି ଘଟିଛି । ଏହାର ସିଧା ପ୍ରଭାବ କ୍ଷୀର ଉତ୍ପାଦନ ଖର୍ଚ୍ଚ ଉପରେ ପଡ଼ିଛି ।

ଉତ୍ପାଦକମାନେ କହିଛନ୍ତି ଯେ ଶସ୍ୟ, ତୁର ଚୁନି ଓ ଚଣା ଚୁନି ଭଳି ପଶୁ ଖାଦ୍ୟର ଦରରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହାଛଡ଼ା ଖଲି ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଛି । ଫଳରେ ପୁରୁଣା ଦରରେ କ୍ଷୀର ବିକ୍ରି କରିବା ଉତ୍ପାଦକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା ।

ପାର୍ବଣ ଋତୁ ପୂର୍ବରୁ ବଢ଼ିଲା ଚିନ୍ତା

ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦୁଧ ଉତ୍ପାଦକମାନେ ୧ ସେପ୍ଟେମ୍ବରରୁ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ମୁମ୍ବାଇବାସୀଙ୍କୁ କ୍ଷୀର ପାଇଁ ଲିଟର ପିଛା ୧୦୨ ଟଙ୍କା ଦେବାକୁ ପଡ଼ିବ । ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାରୁ ଘରେ କ୍ଷୀରର ବ୍ୟବହାର ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏହି ଦର ବୃଦ୍ଧିର ସିଧା ପ୍ରଭାବ ପ୍ରତିଦିନ କ୍ଷୀର କିଣୁଥିବା ପରିବାରର ମାସିକ ବଜେଟ୍‌ ଉପରେ ପଡ଼ିବ ।

ମିଶ୍ରିତ ଓ ସିନ୍ଥେଟିକ୍‌ ଦୁଧ ବିରୋଧରେ FDAର ବଡ଼ କାର୍ଯ୍ୟାନୁଷ୍ଠାନ

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କ୍ଷୀରରେ ଅପମିଶ୍ରଣ ଓ ସିନ୍ଥେଟିକ୍‌ ଦୁଧ ପ୍ରସ୍ତୁତ କରୁଥିବା ନେଟୱର୍କ ବିରୋଧରେ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA)ର କମିଶନର ତୁକାରାମ ମୁଣ୍ଢେଙ୍କ ନେତୃତ୍ୱରେ ଦୁଧ କଲେକ୍ସନ୍‌ ସେଣ୍ଟର, ଚିଲିଂ ପ୍ଲାଣ୍ଟ ଓ ସ୍ଥାନୀୟ ଯୋଗାଣକାରୀଙ୍କ ଉପରେ ଯାଞ୍ଚ କରାଯାଇଥିଲା ।

ଏହି ଅଭିଯାନ ସମୟରେ ୧.୬ ଲକ୍ଷ ଲିଟରରୁ ଅଧିକ ଅପମିଶ୍ରିତ ଦୁଧ ଏବଂ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି ।

ପାଣି ଓ କେମିକାଲ୍‌ରେ ତିଆରି ହେଉଥିଲା ସିନ୍ଥେଟିକ୍‌ କ୍ଷୀର
ଯାଞ୍ଚ ବେଳେ ଏଭଳି କିଛି ଅବୈଧ ୟୁନିଟ୍‌ ଠାବ ହୋଇଥିଲା, ଯେଉଁଠାରେ ସ୍କିମ୍ଡ ମିଲ୍କ ପାଉଡର, ପାଣି, ଇମଲ୍ସିଫାୟର, କାଷ୍ଟିକ୍‌ ସୋଡା ଏବଂ ଶିଳ୍ପ କେମିକାଲ୍‌ ଭଳି ପଦାର୍ଥ ବ୍ୟବହାର କରି ସିନ୍ଥେଟିକ୍‌ କ୍ଷୀର ପ୍ରସ୍ତୁତ କରାଯାଉଥିଲା । ଏହି ଅଭିଯାନରେ ଅନେକ ୟୁନିଟ୍‌କୁ ସିଲ୍‌ କରାଯାଇଥିବା ବେଳେ ମାମଲା ରୁଜୁ ଓ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାଛଡ଼ା ଆନାଲଗ୍‌ ଓ ନନ୍‌-ଡେୟାରୀ ଉତ୍ପାଦ ପ୍ରସ୍ତୁତି ଉପରେ ସାରା ରାଜ୍ୟରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡିଜିଟାଲ୍‌ ଟ୍ରାକିଂ ଉପରେ ଗୁରୁତ୍ୱ
କ୍ଷୀର ଯୋଗାଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ନିରାପଦ କରିବା ପାଇଁ FDA ଦୁଧର ସପ୍ଲାଏ ଚେନ୍‌ର ଡିଜିଟାଲ୍‌ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛି । କ୍ଷୀର ସଂଗ୍ରହ ପରିମାଣ ଓ ପଶୁଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟକୁ ଆଧାର କରି ଅସାଧାରଣ ବୃଦ୍ଧି କିମ୍ବା ଅନିୟମିତତା ଚିହ୍ନଟ କରାଯିବ । ଏପଟେ କ୍ଷୀରର ଦର ବୃଦ୍ଧି ମୁମ୍ବାଇବାସୀଙ୍କ ଘରୋଇ ବଜେଟ୍‌କୁ ପ୍ରଭାବିତ କରିଥିବା ବେଳେ, ଅପମିଶ୍ରିତ ଓ ସିନ୍ଥେଟିକ୍‌ ଦୁଧ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଗ୍ରାହକଙ୍କ ପାଇଁ ନିରାପଦ ଦୁଧ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: