Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗାଡ଼ି ସ୍ପିଡ୍‌ ୨୫ରୁ ଅଧିକ ହେଲେ ଫାଇନ୍‌ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଗାଡ଼ି ସ୍ପିଡ୍‌ ୨୫ରୁ ଅଧିକ ହେଲେ ଫାଇନ୍‌ !

Key Points

  • ସଂଶୋଧନ ହେବ ମୋଟର ଯାନ ଆଇନ
  • ୧୯୮୮ରେ ହେବ ବଡ଼ ଧରଣର ସଂଶୋଧନ
  • ନାବାଳକଙ୍କ କ୍ଷେତ୍ରରେ ସର୍ବାଧିକ ଗାଡ଼ି ସ୍ପିଡ୍‌ ରହିବ ୨୫ କି.ମି

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଗାଡ଼ିର ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ନାବାଳକଙ୍କ କ୍ଷେତ୍ରରେ ଏହା ଅଧିକ ରହିଛି । ତେଣୁ ଦୁର୍ଘଟଣାର ସଂଖ୍ୟା ବି ବଢିଛି । କିନ୍ତୁ କେମିତି ଦୁର୍ଘଟଣା ରୋକାଯାଇପାରିବ, କେତେ ସ୍ପିଡ୍‌ରେ ନାବାଳକ ଗାଡ଼ି ଚଳାଇବେ ସେନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, କେନ୍ଦ୍ର ସରକାର ମୋଟର ଯାନ ଆଇନ, ୧୯୮୮ରେ  ବଡ଼ ଧରଣର ସଂଶୋଧନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରସ୍ତାବିତ ସଂଶୋଧନରେ ନାବାଳକଙ୍କ ଗାଡ଼ି ଚଳାଇବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । 

ପ୍ରସ୍ତାବିତ ସଂଶୋଧନ ପ୍ରସ୍ତାବ ଅନୁସାରେ, ନାବାଳକଙ୍କ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ଘଣ୍ଟାପ୍ରତି ବେଗ ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଯାନର ଇଞ୍ଜିନ୍‌ କ୍ଷମତା ୫୦ ସିସି ଓ ମୋଟର ପାୱାର ସର୍ବାଧିକ ୧୫୦୦ ୱାଟ୍‌ ନିର୍ଦ୍ଧାରଣ କରାଯାଇଛି । ଏହାସହ ମନ୍ତ୍ରଣାଳୟ ମୋଟ୍‌ ୬୭ଟି ସଂ‌ଶୋଧନ ପାଇଁ ପ୍ରସ୍ତାବ ରଖିଛନ୍ତି । ଖାଲି ଏତିକି ନୁହେଁ ବରଂ ଚଳିତ ୧୫ ତାରିଖ ଭିତରେ ମତାମତ ବି ଲୋଡାଯାଇଛି ।

ଆଗାମୀ ଶୀତ ଅଧିବେଶନରେ ପରିବହନ ମନ୍ତ୍ରଣାଳୟ ନାବାଳକଙ୍କ ଗାଡି ଚଲାଇବା ନେଇ ନୂଆ ସଂଶୋଧିତ ଆଇନକୁ ଆଗତ କରିବ । ୧୬ ବର୍ଷ ପୂରିଥିବା କି‌ଶୋର ଓ କିଶୋରୀ ସଂପୂର୍ଣ୍ଣ ବୈଦ୍ୟୁତିକ ଯାନ ଚଳାଇ ପାରିବେ ବୋଲି ପ୍ରସ୍ତାବରେ ରହିଛି । ହେଲେ ସେଥିରେ ଡିଜାଇନ, ସ୍ପିଡ୍‌ ଲିମିଟ୍‌ ଓ ଇଂଜିନ ଶକ୍ତିକୁ ଧ୍ୟାନରେ ରଖିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି । ଏହାସହ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଅଟୋମେଟିକ୍‌ ଗିୟର ଥିବା ଯାନର ଲର୍ଣ୍ଣର୍ ଲାଇସେନ୍ସ ବି ମିଳିବ ନାହିଁ । ଅଭିଭାବକଙ୍କ ଲିଖିତ ସହମତି ପରେ ହିଁ ଲର୍ଣ୍ଣର‌୍ ଲାଇସେନ୍ସ ଜାରି କରାଯାଇପାରିବ । ଅନ୍ୟପକ୍ଷେ ହ‌ାଲୁକା ମୋଟର ଯାନ ପାଇଁ ନୂଆ ଶ୍ରେଣୀ ପ୍ରସ୍ତୁତ କରିବା,  ମଧ୍ୟମ ତଥା ଭାରୀଯାନର ଡ୍ରାଇଭରଙ୍କ ଗତି ସୀମା ଉଲ୍ଲଂଘନ ପାଇଁ ଦୁଇ ହଜାର ଟଙ୍କାରୁ ଚାରି ହଜାର ଟଙ୍କା ‌ଜରିମାନା ଲଗାଯିବାର ପ୍ରସ୍ତାବ ରହିଛି । ଦ୍ଵିତୀୟ ଥର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ ହୋଇପାରେ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ନାବାଳକଙ୍କ ଗାଡି ଚଳାଇବାକୁ ନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯାଉଛି । ଏମିତିକି ସେମାନଙ୍କ ପାଇଁ ଦୁର୍ଘଟଣା ବଢୁଥିବା ବି କୁହାଯାଉଛି । ତେଣୁ ନିୟମରେ ପରିବର୍ତ୍ତନ ହେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ବଢିଛି ।

 

Sponsored
Minor Driver | Argus News