କୋଲକତାରେ ପୁଣି ଦୁଷ୍କର୍ମ !

Key Points
- କୋଲକତାରେ ପୁଣି ଦୁଷ୍କର୍ମ !
- ସିଟି ସ୍କାନ ୱାର୍ଡରୁ ସାମ୍ନାକୁ ଆସିଲା ନାବାଳିକାଙ୍କ ମାମଲା
- ଡାକ୍ତରୀ ମାମଲା ଥମିନି ପୁଣି ସମାନ ଅଭିଯୋଗ
- ଦିଦି ଗଡ଼ରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା
ଅର୍ଗସ ବ୍ୟୁରୋ: ଲଜ୍ଜା ପିଛା ଛାଡୁନି ପଶ୍ଚିମବଙ୍ଗର । ଆର ଜି କର ମେଡିକାଲ ଭିତରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୁରା ଦେଶରେ ଅସନ୍ତୋଷ ତେଜିବାରେ ଲାଗିଛି । ଖାଲି ଅସନ୍ତୋଷ ତେଜିବାରେ ଲାଗିଛି ତାହା ନୁହେଁ ବରଂ ଦୋଷୀଙ୍କୁ ଯେଉଁ ପରି ଭାବରେ ଘଣ୍ଟ ଘଉଡାଉଥିଲେ ଦିଦି ତାହାର ପର୍ଦ୍ଦାଫାଶ ହୋଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟ ମଧ୍ୟ ମାମଲାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । କିନ୍ତୁ ପୁଣି ଥରେ ହାୱଡା ସରକାରୀ ମେଡିକାଲରୁ ଦୁଷ୍କର୍ମ ମାମଲା ଆସିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସରକାରୀ ମେଡିକାଲରେ କମ୍ ଟଙ୍କାରେ ଚିକିତ୍ସା ହେବାକୁ ଯାଇଥିଲେ, ହେଲେ ଦୁଷ୍କର୍ମର ଶିକାର ହେଲେ । ମାମଲାର ଜଣାପଡ଼ିବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ, ଅନ୍ୟ ଜଣଙ୍କୁ ଏବେ ବି ଖୋଜୁଛି । ସୂଚନା ଅନୁସାରେ ନାବାଳିକା ଜଣକ ହାୱଡା ସରକାରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଘଟଣା ଦିନ ନାବାଳିକାଙ୍କୁ ସିଟିସ୍କାନ ପାଇଁ ନିଆଯାଇଥିବା ବେଳେ ତାଙ୍କ ସହ ଥିବା ମହିଳାଙ୍କୁ ବାହାର କରି ଦେଇଥିଲା ଅଭିଯୁକ୍ତ । ପରେ ନାବାଳିକାଙ୍କ ସହ ଅସଦାଚରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କୋଲକାତା ଆର ଜି କର ମେଡକାଲ କଲେଜର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଏଭଳି ଅସଦାଚରଣ ଜଣାପଡିବା ପରେ ଏବେ ପ୍ରବଳ ଜନଅନ୍ତୋଷ ଦେଖାଗଲାଣି । ଏବେ ସିଧାସିଧା ଲୋକେ କହିଲେଣି, ଦିଦି ଆଇନଶୃଙ୍ଖଳା ପରିସ୍ଥିତି ସଜାଡିବାରେ ପୁରା ବିଫଳ ହେଲେଣି । ଯଦି ଏମିତି ହେବ ଆଗାମୀ ଦିନରେ ଦୁଷ୍କର୍ମ ମାମଲା ଆହୁରି ବଢିବା ସହ ଘରୁ ବାହାରିବାକୁ ଝିଅ ବୋହୂ ଡରିବେ ।
📱 Get Argus News App
✨ପୁଣି ସେହି ସରକାରୀ ମେଡିକାଲ, ପୁଣି ସମାନ ଅଭିଯୋଗ । ଆର ଜି କର ମେଡିକାଲରେରେ ଯେଉଁପରି ଭାବରେ ଘଟଣା ଘଟିଥିଲା ହାୱଡା ସରକାରୀ ମେଡିକାଲରେ ବି ସମାନ ଘଟଣା ଘଟିଲା । କିନ୍ତୁ ମେଡିକାଲ ଭିତରେ ଏମିତି ହେଲା କେମିତି ମେଡିକାଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କର୍ତ୍ତୃପକ୍ଷ ସାମିଲ ଅଛନ୍ତି କି ନାହିଁ ତାହାକୁ ନେଇ ବି ସନ୍ଦେହ ଦେଖାଗଲାଣି । ତେବେ ସରକାରୀ ମେଡିକାଲର ସୁପରିଟେଣ୍ଡେଣ୍ଟ ସମସ୍ତ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସିଟି ସ୍କାନ୍ ଡ୍ୟୁଟିରେ ଯେଉଁମାନେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ଏପଟେ, ଘଟଣାକୁ ନେଇ ପ୍ରତିବାଦ କରିଛି ହାୱଡ଼ା ବିଜେପି । ରାଜ୍ୟ ବିଜେପି ସଂପାଦକ ଉମେଶ ରାୟଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ହାୱଡ଼ା ସରକାରୀ ମେଡିକାଲର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟଳୟ ଆଗରେ ପ୍ରତିବାଦ କରିଛନ୍ତି । ସରକାରୀ ମେଡିକାଲରେ କେମିତି ସୁରକ୍ଷାରେ ଏତେ ବଡ଼ ତ୍ରୁଟି ହେଲା ସେ ନେଇ ବିଜେପି ପ୍ରଶ୍ନ କରିଛି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି ।
ସେପଟେ, କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ନେଇ ଜୋର୍ଦାର ପ୍ରତିବାଦ ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଦୁଷ୍କର୍ମ ମାମଲାଗୁଡ଼ିକ ବହୁସଂଖ୍ୟାରେ ବିଚାରାଧୀନ ରହିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀର ସମାପନୀ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଦୁଷ୍କର୍ମ ଭଳି ମାମଲାରେ ଅଦାଲତର ରାୟ ଏକ ପିଢ଼ି ବିତିଯିବା ପରେ ଆସିବା ଚିନ୍ତାର କାରଣ ହୋଇଛି । ଏଭଳି କ୍ଷେତ୍ରରେ ସାଧାରଣ ଲୋକ ଅନୁଭବ କରନ୍ତି ଯେ ନ୍ୟାୟ ପ୍ରକ୍ରିୟାରେ ସମ୍ବେଦନଶୀଳତାର ଅଭାବ ରହିଛି । ହେଲେ ମାମଲାର ତ୍ଵରିତ ଶୁଣାଣି ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଷ୍ଟ୍ରପତି ।