Videos
|
National

Child Rescue / ତିନି ଦିନ ଧରି କାଦୁଅ ତଳେ ଦବି ରହିଥିଲା ୬ ବର୍ଷର ଶିଶୁ, ଜୀବନ୍ତ ଉଦ୍ଧାର କଲେ ସୁରକ୍ଷାକର୍ମୀ

Rashmita Mishra
Browse all articles by Rashmita Mishra
·35 mins ago·2 min read
ତିନି ଦିନ ଧରି କାଦୁଅ ତଳେ ଦବି ରହିଥିଲା ୬ ବର୍ଷର ଶିଶୁ, ଜୀବନ୍ତ ଉଦ୍ଧାର କଲେ ସୁରକ୍ଷାକର୍ମୀ
Child Rescue

Key Points

ମାଟି ତଳେ ତିନି ଦିନ ମୃତ୍ୟୁ ସହ ସଂଘଷ...
ତିନି ଦିନ ଧରି କାଦୁଅ ତଳେ ଦବି ରହିଥିଲା ୬ ବର୍ଷର ଶିଶୁ । 
ଜୀବନ୍ତ ଉଦ୍ଧାର କଲେ ସୁରକ୍ଷାକର୍ମୀ । 

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଏକ ଆଶା ଜଗାଇଥିବା ଘଟଣା ସାମ୍ନାକୁ ଆସିଛି । ରସୁୱା ଜିଲ୍ଲାର ତିମୁରେ ଗାଁରେ ବନ୍ୟାର ମାଟି, ଗାଦ ଓ ମଲବା ତଳେ ପ୍ରାୟ ତିନି ଦିନ ଧରି ଦବି ରହିଥିବା ଜଣେ ୬ ବର୍ଷର ଶିଶୁକୁ ସୁରକ୍ଷା ବାହିନୀର ଯବାନମାନେ ଜୀବନ୍ତ ଉଦ୍ଧାର କରିଛନ୍ତି ।

ମଲବା ତଳୁ ଶୁଣାଗଲା କାନ୍ଦିବାର ଶବ୍ଦ

ଭୋଟେକୋଶୀ ନଦୀରେ ଭୟଙ୍କର ବନ୍ୟା ଆସିବା ପରେ ତିମୁରେ ଗାଁର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ପୁଲିସ ଓ ସୁରକ୍ଷାକର୍ମୀମାନେ ମଲବା ଭିତରେ ଜୀବନ୍ତ ଲୋକଙ୍କୁ ଖୋଜୁଥିବା ବେଳେ ହଠାତ୍ ମାଟି ତଳୁ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ଯବାନମାନେ ତୁରନ୍ତ ଫାଉଡ଼ା ଓ ହାତରେ ମାଟି ଖୋଳିବା ଆରମ୍ଭ କରିଥିଲେ । କିଛି ସମୟର ପରିଶ୍ରମ ପରେ ସେମାନେ ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ବାହାର କରିବାରେ ସଫଳ ହୋଇଥିଲେ ।

ଖରାପ ପାଗ ମଧ୍ୟରେ ଜୀବନ ବଞ୍ଚାଇବାର ଲଢ଼େଇ
ଉଦ୍ଧାର ପରେ ଶିଶୁଟିକୁ ତୁରନ୍ତ ତିମୁରେସ୍ଥିତ ସୀମା ଚୌକିକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ତା’ର ଅବସ୍ଥା ଖରାପ ଥିବାରୁ ତାକୁ ବଡ଼ ହସ୍ପିଟାଲକୁ ନେବା ଆବଶ୍ୟକ ହୋଇଥିଲା । କିନ୍ତୁ ଶୁକ୍ରବାର ଖରାପ ପାଗ ଓ କମ୍ ଦୃଶ୍ୟମାନତା କାରଣରୁ ହେଲିକପ୍ଟର ଉଡ଼ିପାରିନଥିଲା । ସୁରକ୍ଷାକର୍ମୀମାନେ ଶିଶୁଟିକୁ ନିରନ୍ତର ନଜରରେ ରଖି ଚିକିତ୍ସା ଦେଇଥିଲେ। ଶନିବାର ଅପରାହ୍ନରେ ପାଗ ସାମାନ୍ୟ ସୁଧୁରିବା ପରେ ତାକୁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ନିଆଯାଇଥିଲା । ସେଠାରେ ଏକ ହସ୍ପିଟାଲରେ ଶିଶୁଟିର ଭଲ ଡାକ୍ତରମାନଙ୍କ ଦ୍ଵାରା ଚିକିତ୍ସା ଚାଲିଛି ।


ଏହି ଉଦ୍ଧାର ଅଭିଯାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକମାନେ ସୁରକ୍ଷାକର୍ମୀଙ୍କ ସାହସ ଓ ତତ୍ପରତାକୁ ପ୍ରଶଂସା କରିବା ସହ ଶିଶୁଟିର ପରିବାରକୁ ଖୋଜିବା ପାଇଁ ମଧ୍ୟ ଆହ୍ୱାନ କରୁଛନ୍ତି ।

ବନ୍ୟାରେ ମୃତ୍ୟୁସଂଖ୍ୟା ୭୮୮

ନେପାଳରେ ଭୟାବହ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୭୮୮ରେ ପହଞ୍ଚିଥିବା ବେଳେ ପ୍ରାୟ ୯,୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବନ୍ୟାରେ ଅନେକ ଘର, ଗାଡ଼ି, ରାସ୍ତା ଓ ପୋଲ ଭାସିଯାଇଛି । ଏଥିସହ ଅନେକ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ବିପର୍ଯ୍ୟୟର ପ୍ରଭାବ ଚୀନ୍‌ର କିଛି ଅଞ୍ଚଳରେ ମଧ୍ୟ ପଡ଼ିଛି । ସେଠାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୫୦ ଜଣ ନିଖୋଜ ଥିବା ଜଣାପଡ଼ିଛି ।

ଅଧିକାରୀମାନଙ୍କ ଅନୁସାରେ, ବିପର୍ଯ୍ୟୟ ପରେ ନେପାଳରେ ୫୯୧ ଜଣ ବିଦେଶୀଙ୍କ ସମେତ ମୋଟ ୨,୫୦୨ ଜଣ ଏବେ ବି ନିଖୋଜ ଅଛନ୍ତି । ଏପଟେ ମୃତଦେହ ମିଳିବା ଜାରି ରହିଥିବାରୁ ଭୋଟେକୋଶୀ ନଦୀର ଜଳସ୍ତର ଆହୁରି ବଢ଼ିବା ନେଇ ସତର୍କତା ଜାରି କରାଯାଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଉଦ୍ଧାରକାରୀ ଦଳକୁ ମଧ୍ୟ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି । ଏହି ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ତିନି ଦିନ ପରେ ୬ ବର୍ଷର ଶିଶୁର ଜୀବନ୍ତ ଉଦ୍ଧାର ନିଶ୍ଚିତ ଭାବେ ନେପାଳ ପାଇଁ ଏକ ଆଶାର କିରଣ ସୃଷ୍ଟି କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: