କମାଲ୍ କଲା ପୋଲିସ ବାବୁଙ୍କ Insta ପୋଷ୍ଟ, ଦଶନ୍ଧି ପରେ ଏକାଠି ହେଲେ ମାଆପୁଅ

Key Points
୧୦ ବର୍ଷ ପରେ ମିଳିଲା ନିଖୋଜ ପୁଅ । ଆଉ ଏ ସବୁ ସମ୍ଭବ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଫଳରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇନଷ୍ଟା ପୋଷ୍ଟ ଦଶନ୍ଧି ପରେ ଏକାଠି କରାଇଛି ମାଆପୁଅଙ୍କୁ ।
ଲକ୍ଷ୍ନୌ: ହଜିଲା ପୁଅକୁ ଫେରି ପାଇଲା ମାଆ । ୧୦ ବର୍ଷ ପରେ ମିଳିଲା ନିଖୋଜ ପୁଅ । ଆଉ ଏ ସବୁ ସମ୍ଭବ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଫଳରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇନଷ୍ଟା ପୋଷ୍ଟ ଦଶନ୍ଧି ପରେ ଏକାଠି କରାଇଛି ମାଆପୁଅଙ୍କୁ । ହଜିଲା ପୁଅକୁ ୧୦ ବର୍ଷ ପରେ ଫେରି ପାଇ ୭୭ ବର୍ଷୀୟା ମାଆ ବେଶ ଆନନ୍ଦିତ । ଏ ସବୁ ସମ୍ଭବ ହୋଇଛି ଜଣେ ହେଡ୍ କନଷ୍ଟେବଲଙ୍କ ଲାଗି । ଉତ୍ତରପ୍ରଦେଶର ଅମରୋହାରେ ପୋଲିସ ହେଡ୍ କନଷ୍ଟେବଲ ଅଶ୍ଵନୀ ମଲ୍ଲିକ ଏକ ଭିଡିଓ ଇନଷ୍ଟା ଆକାଉଣ୍ଟରେ ସେୟାର୍ କରିଥିଲେ ।
ସେପ୍ଟେମ୍ବର ୩ରେ ମୁମ୍ବାଇରେ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ ସ୍କ୍ରଲ୍ କରୁ ଅଟକି ଗଲେ । ସର୍ଟ ଭିଡିଓରେ ସେ ଯାହାକୁ ଦେଖିଲେ, ତାଙ୍କୁ ଲାଗିଲା ବ୍ୟକ୍ତି ଜଣଙ୍କ ତାଙ୍କର ନିଖୋଜ ଦାଦା । ଯିଏ କି ଦଶନ୍ଧି ତଳୁ ନିଖୋଜ ଅଛନ୍ତି । ତୁରନ୍ତ ବ୍ୟକ୍ତି ଜଣଙ୍କ ଉକ୍ତ ଭିଡିଓକୁ ପରିବାର ଲୋକଙ୍କ ସହ ସେୟାର୍ କରିଥିଲେ । ହଜିଲା ପୁଅ ଏବେ ବି ବଞ୍ଚିଥିବା ଦେଖି ଖୁସି ହୋଇଥିଲେ ୭୭ ବର୍ଷୀୟ ରାସୁମା ବାନୋ ।
ଆଉ ଉକ୍ତ ଭିଡିଓଟିକୁ ଦିନକ ତଳେ ରେକର୍ଡ କରି ସେୟାର୍ କରିଥିଲେ ପୋଲିସ୍ ହେଡ୍ କନଷ୍ଟେବଲ ଅଶ୍ଵନୀ ମଲିକ । ଯିଏ ଜଣେ ପୋଲିସ କର୍ମଚାରୀ ସହ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର । ଅଶ୍ଵନୀ ସବୁବେଳେ ସୋସିଆଲ୍ ମିଡିଆ ବ୍ୟବହାର କରି ନିଖୋଜ ବ୍ୟକ୍ତିଙ୍କ ପରିବାର ସହ ମିଳାଇବାକୁ ଚେଷ୍ଟା କରନ୍ତି । ଆଉ ପଞ୍ଚମ ମାମଲା ଭାବେ ଅଶ୍ଵନୀଙ୍କୁ ମିଳିଛି ସଫଳତା । ୧୦ ବର୍ଷ ପରେ ବୁଢ଼ୀ ମାଆ ପାଖକୁ ଫେରିଛି ପୁଅ ।
📱 Get Argus News App
✨
ଅଗଷ୍ଟ ୨୩ରେ ଡ୍ୟୁଟିରୁ ଫେରିବା ବେଳେ ଅଶ୍ଵନୀ ରାସ୍ତାକଡ଼ରେ ବ୍ୟକ୍ତିଙ୍କୁ ବସିଥିବା ଦେଖିଥିଲେ । ବ୍ୟକ୍ତି ଜଣଙ୍କ ଦୁଃଖିତ ଥିବା ବେଳେ ପଚାରିଲେ ବି କିଛି କହୁ ନଥିଲେ । ଏହା ପରେ ଅଶ୍ଵନୀ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ସାଥି ସଲମାନ ଓ କଶିଫଙ୍କ ସହ ମୋରଦାବାଦ କ୍ଵାର୍ଟରକୁ ନେଇଥିଲେ । ସେଠାରେ ଗାଧୋଇ ଦେବା ସହ କପଡ଼ା ଦେଇଥିଲେ ପିନ୍ଧିବାକୁ । ଖାଇବାକୁ ଦେବା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ନାଁ ସଲିମ କହିବା ସହ ଅନ୍ୟ କଥା କହିଥିଲେ । ଆଉ ଅଶ୍ଵନୀ ଏହାକୁ ରେକର୍ଡ କରି ଇନଷ୍ଟାରେ ଅପଲୋଡ୍ କରିଥିଲେ ।
ଯେଉଁ ଭିଡିଓରେ ସଲିମ କହିଥିଲେ, ତାଙ୍କ ଘର ଦେଓରିର ହରାଇୟା ଗାଁରେ । ୧୨ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ି ସେ ପରିବାର ଠାରୁ ଅଲଗା ହୋଇ ଯାଇ ଘରକୁ ଫେରି ପାରି ନଥିଲେ । ସେପଟେ ବୁଢ଼ୀ ମାଆ ବି ୧୦ ବର୍ଷ ହେଲା ଜାଣି ପାରୁ ନଥିଲା ଏକମାତ୍ର ପୁଅ ଜୀବିତ ନା ମୃତ । ସ୍ଵାମୀ ଚାଲିଯିବା ପରେ ରାସୁମା ଏକା ହୋଇ ଯାଇଥିଲେ । ଆଉ ଏବେ ସଲିମ ଘରକୁ ଫେରିବା ପରେ ଖାଲି ପୁଅ ଫେରିନି, ଫେରିଛି ରାସୁମାଙ୍କ ଆଶା, ଭରସା ।
ଅମରୋହା ଏସ୍ପି ସଲିମଙ୍କ ପରିଚୟ ନିଶ୍ଚିତ କରିବା ପରେ ସେପ୍ଟେମ୍ବର ୪ରେ ମାଆପୁଅ ଏକାଠି ହୋଇଛନ୍ତି । ଦଶନ୍ଧି ପରେ ମାଆପୁଅ ଏକାଠି ହୋଇଥିବା ବେଳେ ଭିଡିଓ ଦେଖି ପ୍ରଥମେ ଚିହ୍ନିଥିବା ପୁତୁରା କହିଛନ୍ତି, ଦାଦାଙ୍କ ଫେରିବା ଜେଜେମାଆଙ୍କୁ ବଞ୍ଚିବାର ନୂଆ ଆଶା ଦେଇଛି ।