ମନମୋହନ-ଇନ୍ଦିରା-ନେହରୁ-ରାଜୀବ-ନରସିଂହ ରାଓଙ୍କ ରେକର୍ଡ କାଟିଲେ ମୋଦି

Key Points
୭ ଦିନ ମଧ୍ୟରେ ପିଏମ ମୋଦିଙ୍କୁ ୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ମିଳିଛି ।
ଘାନା, ତ୍ରିନିଦାଦ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ, ନାମ୍ବିଆ ଗସ୍ତ କରିବା ସହ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଆରା ରେକର୍ଡ । ବିଭିନ୍ନ ଦେଶର ସଂସଦକୁ ସମ୍ବୋଧନ କରିବାରେ ରେକର୍ଡ ହାସଲ କରିଛନ୍ତି ମୋଦି । ବର୍ତ୍ତମାନ ସୁଦ୍ଧା ସେ ୧୭ଟି ଦେଶର ପାର୍ଲାମେଣ୍ଟକୁ ଉଦବୋଧନ ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନାମିବ୍ୟା ପାର୍ଲାମେଣ୍ଟରେ ଉଦବୋଧନ ଦେଇଥିଲେ । ମୋଦିଙ୍କ ଅଭିଭାଷଣ ପରେ ନାମିବ୍ୟା ପାର୍ଲାମେଣ୍ଟର ସମସ୍ତ ସଦସ୍ୟ ଠିଆ ହୋଇ କରତାଳି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।
ନାମିବ୍ୟା ପାର୍ଲାମେଣ୍ଟରେ ସମ୍ବୋଧନ ସହ ଦେଶର ସମସ୍ତ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ମୋଟ୍ ସମ୍ବୋଧନ ସହ ସମାନ ହୋଇଛନ୍ତି । ବିଭିନ୍ନ ଦେଶର ପାର୍ଲାମେଣ୍ଟରେ ସମ୍ବୋଧନ ଫଳରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ସମ୍ମାନ ବଢ଼ିଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଓ ଘାନା ଗସ୍ତ ବେଳେ ତାଙ୍କୁ ସର୍ବ୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଘାନା, ତ୍ରିନିଦାଦ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ, ନାମ୍ବିଆ ଗସ୍ତ କରିବା ସହ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୭ଟି, ଇନ୍ଦିରା ଗାନ୍ଧି ୪, ଜବାହର ଲାଲ ନେହରୁ ୩, ରାଜୀବ ଗାନ୍ଧି ୨ଟି ଓ ପି.ଭି. ନରସିଂହ ରାଓ ଗୋଟିଏ ଦେଶର ପାର୍ଲାମେଣ୍ଟକୁ ସମ୍ବୋଧନ କରିଥିଲେ ।
ଅନ୍ୟପଟେ ୭ ଦିନ ମଧ୍ୟରେ ପିଏମ ମୋଦିଙ୍କୁ ୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ- ଦ ଅର୍ଡର ଅଫ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲ୍ସ ସମ୍ମାନ ପ୍ରଦାନ କରିଛନ୍ତି ନାମିବ୍ୟା ରାଷ୍ଟ୍ରପତି । ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କଲାର ଅଫ୍ ଦ ନ୍ୟାସନାଲ ଅର୍ଡର ଅଫ ଦ ସଦର୍ଣ୍ଣ କ୍ରସ୍ରେ ସମ୍ମାନିତ କରିଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲୱା ।
ଏହାପୂର୍ବରୁ ଗତ ୪ ତାରିଖରେ ତ୍ରିନିଦାଦ ଓ ଟବାଗୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ- ଦ ଅର୍ଡର ଅଫ ଦ ରିପବ୍ଲିକ ଅଫ ତ୍ରିନିଦାଦ ଆଣ୍ଡ ଟବାଗୋରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି କ୍ରିଷ୍ଣିନେ କାର୍ଲେ କଙ୍ଗାଲୁ । ଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତ ୩ ତାରିଖରେ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ- ଅଫିସର୍ ଅଫ ଦି ଅର୍ଡର୍ ଅଫ୍ ଦି ଷ୍ଟାର୍ ଅଫ ଘାନା'ରେ ସମ୍ମାନିତ କରିଥିଲେ ଘାନା ରାଷ୍ଟ୍ରପତି ଜନ୍ ମହାମା । ଏଭଳି ସର୍ବୋଚ୍ଚ ସମ୍ମାନ ସହ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତର୍ଜାତିକ ସମ୍ମାନ ସଂଖ୍ୟା ୨୭ରେ ପହଞ୍ଚିଛି ।