ଦଳ ପାଇଁ ନୁହେଁ ଦେଶ ପାଇଁ ଲଢ଼ିବାକୁ ସାଂସଦଙ୍କୁ ମୋଦିଙ୍କ ଆହ୍ୱାନ

ଅର୍ଗସ ବ୍ୟୁରୋ: ମଙ୍ଗଳବାର ସଂସଦରେ ଉପସ୍ଥାପିତ ହେବ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍। ଯାହା ଉପରେ ରହିଛି ପୁରା ଦେଶବାସୀଙ୍କ ନଜର। ଏହା ପୂର୍ବରୁ ସଂସଦ ପରିସରରୁ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶବାସୀଙ୍କ ଆଗରେ ବଜେଟର ଆଭିମୁଖ୍ୟ ରଖିଛନ୍ତି ପିଏମ୍ ମୋଦି। `ଦୀର୍ଘ 60 ବର୍ଷ ପରେ ପ୍ରଥମ ଥର କୌଣସି ସରକାର ଲଗାତାର ତୃତୀୟଥର କ୍ଷମତାକୁ ଫେରିଛି। ତୃତୀୟ ପାଳିର ପ୍ରଥମ ବଜେଟ୍ ଆଣିବାର ସୌଭାଗ୍ୟ ମିଳିଛି। ଏହା ଭାରତୀୟ ଗଣତନ୍ତ୍ରର ଗୌରବମୟ ଯାତ୍ରାର ପ୍ରମାଣ।' `ଏହି ବଜେଟ୍ ଅଧିବେଶନ ସକାରାତ୍ମକ ହେଉ, ସୃଜନମୂଳକ ହେଉ ଏବଂ ଦେଶବାସୀଙ୍କ ସ୍ବପ୍ନର ମୂଳଦୁଆକୁ ମଜଭୁତ କରିବା ଭଳି ହେଉ'।
ଏମିତି କହି ସଂସଦରେ ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣକୁ ଟାର୍ଗେଟ କରିଛନ୍ତି ପିଏମ ମୋଦି। ପ୍ରଥମ ଓ ଦ୍ବିତୀୟ ପାଳିରେ ଯେଉଁଭଳି ବିରୋଧୀ ହୋ-ହଲ୍ଲା କରି କିଭଳି ଗୃହ ଚଳାଇ ଦେଉନଥିଲେ ତାହା ଦେଖିଥିଲା ପୁରା ଦେଶ। ଆଉ ତୃତୀୟ ପାଳିର ପ୍ରଥମ ଅଧିବେଶନରେ ସେଭଳି ଆଚରଣ ପରିବର୍ତ୍ତେ ଦେଶ ଗଠନ ଲାଗି ସକାରାତ୍ମକ ଚର୍ଚ୍ଚା କରିବାକୁ ଆହ୍ବାନ ଦେଇଛନ୍ତି ମୋଦି। 2047କୁ ଲକ୍ଷ୍ୟରେ ରଖି ପ୍ରସ୍ତୁତ ସରିଛି ବିକଶିତ ଭାରତର ବ୍ଲୁ-ପ୍ରିଣ୍ଟ୍। ଏହି ବଜେଟରେ ଯାହାର ମୁଳୁଦୂଆ ପଡ଼ିବ । ମୋଦି ଗ୍ୟାରେଣ୍ଟିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ସହ ଏହି ବଜେଟ୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ଆଗାମୀ ପାଞ୍ଚ ବର୍ଷ ଧରି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦିଗ ଦେବ।
ଅଧିକ ପଢ଼ନ୍ତୁ ଦେଶ ଖବର: