ମହାକୁମ୍ଭରେ ସଫଳତା ପାଇଁ ଦେଶବାସୀଙ୍କୁ ମୋଦିଙ୍କ ଅଭିନନ୍ଦନ

ପ୍ରୟାଗରାଜରେ ମହାକୁମ୍ଭରେ ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ହେଉଛି ଉଦିତ ଭାରତର ସ୍ପଷ୍ଟ ପ୍ରତିଫଳନ । ସାରା ଦେଶରେ ମହାକୁମ୍ଭକୁ ନେଇ ଦେଖାଦେଇଥିଲା ଉତ୍ସାହ । ପ୍ରଦର୍ଶିତ ହୋଇଥିଲା ଭାରତର ସାମର୍ଥ୍ୟ । ଯେଉଁମାନେ ଭାରତର ଶକ୍ତି ଓ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠାଉଥିଲେ ମହାକୁମ୍ଭ ଥିଲା ତାର ଶକ୍ତ ଜବାବ । ଭାରତର ବିବିଧତା ଆଗରେ ଅଭିଭୂତ ହୋଇଥିଲା ସାରା ବିଶ୍ବ ।
ଲୋକସଭାରେ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ପ୍ରୟାଗରାଜର ବାସିନ୍ଦା, ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ବର ସର୍ବବୃହତ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହାସମାରୋହରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୌଷପୂର୍ଣିମାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ଆୟୋଜିତ ହୋଇଥିଲା । ୬ଟି ଅମୃତସ୍ନାନ ସହ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । ଅନେକ ସାଧୁସନ୍ଥଙ୍କ ସହ ମହାମଣ୍ଡଳେଶ୍ବର, ମଠାଧୀଶ, ନାଗା ସାଧୁ ବୁଡ ପକାଇଥିଲେ ।ଏଥିସହ ଅନେକ ବିଦେଶୀ ପର୍ଯ୍ୟଟକ ମହାକୁମ୍ଭରେ ସାମିଲ ହୋଇଥିଲେ ।