ବାରଣାସୀର ନମୋ ଘାଟରେ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକମକୁ ଉଦଘାଟନ କଲେ ମୋଦି

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ବାରଣାସୀର ନମୋ ଘାଟରେ କାଶୀ-ତାମିଲ ସଙ୍ଗମ-୨୦୨୩ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ଡିସେମ୍ବର ୩୧ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ । ଦେଶର ଦୁଇଟି ଗୁରୁତ୍ବପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପୁନଃ ନିଶ୍ଚିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଦୁଇ ଅଞ୍ଚଳର ଛାତ୍ରଛାତ୍ରୀ, ଦାର୍ଶନିକ, ବ୍ୟବସାୟୀ, କାରିଗର, କଳାକାର ବର୍ଗର ଲୋକଙ୍କୁ ଏକାଠି କରିବା । ସେମାନଙ୍କର ଜ୍ଞାନ, ସଂସ୍କୃତି ଏବଂ ସର୍ବୋତ୍ତମ ପେଶାକୁ ବାଣ୍ଟିବା ଏବଂ ପରସ୍ପର ଅନୁଭୂତିରୁ ଶିଖିବା ପାଇଁ ଏହା ଏକ ସୁଯୋଗ ପ୍ରଦାନ କରିବ।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ତିରୁକ୍କୁରୁଲ୍’ ପୁସ୍ତକର ଉନ୍ମୋଚନ କରିଛନ୍ତି । ୧୩ଟି ଭାଷାରେ ଏହାର ଅନୁବାଦ କରାଯାଇଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର । ଗୋଟିଏ ପଟେ କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର । ମହୋତ୍ସବ ପାଇଁ ସହାୟତା କରିଥିବାରୁ ଶିକ୍ଷା ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଇଆଇଟି, ମାଡ୍ରାସ ଏବଂ ବିଏଚୟୁ ପରି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ତାମିଲ ଐତିହ୍ୟର ସଂରକ୍ଷଣ ଏବଂ ଏହାକୁ ସମୃଦ୍ଧ କରିବା ୧୩୦ କୋଟି ଭାରତୀୟଙ୍କ ଦାୟିତ୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର