Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫୋନ୍‌ରେ ଟ୍ରମ୍ପଙ୍କୁ ସିଧା ସିଧା ଶୁଣାଇଲେ ମୋଦି, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଫୋନ୍‌ରେ ଟ୍ରମ୍ପଙ୍କୁ ସିଧା ସିଧା ଶୁଣାଇଲେ ମୋଦି, କହିଲେ...

Key Points

ଦୁଇ ରାଷ୍ଟ୍ରମୁଖ୍ୟ ୩୫ ମିନିଟ୍ ଧରି ଆଲୋଚନା କରିଥିଲେ ।
ଅପରସେନ ସିନ୍ଦୁର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ବିସ୍ତୃତ କଥାବାର୍ତ୍ତା କରିଥିଲେ ।

ଭାରତ କେବେ ମଧ୍ୟସ୍ଥତା ଚାହେଁନି । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଏଭଳି ରୋକଠୋକ୍ ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଭାରତର ଦରକାର ନାହିଁ । କିମ୍ବା ଏ ପ୍ରସଙ୍ଗରେ ମଧ୍ୟସ୍ଥତା ଭାରତ ଚାହେଁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଫୋନରେ କହିଛନ୍ତି ।

ଜି-୭ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଟ୍ରମ୍ପ ଆଗୁଆ ଫେରିବାକୁ ପଡିବାରୁ ଦୁଇଦେଶର ରାଷ୍ଟ୍ରମୁଖ୍ୟ ଫୋନରେ କଥାବାର୍ତ୍ତା ହୋଇଥିଲା । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନୁରୋଧ କରିଥିଲେ । ଦୁଇ ରାଷ୍ଟ୍ରମୁଖ୍ୟ ୩୫ ମିନିଟ୍ ଧରି ଆଲୋଚନା କରିଥିଲେ ।

ଏପ୍ରିଲ ୨୨ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସମବେଦନା ଜଣାଇଥିଲେ ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାରେ ସମର୍ଥନ ମଧ୍ୟ ଜଣାଇଥିଲେୂ ଟ୍ରମ୍ପ । ଅପରସେନ ସିନ୍ଦୁର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ବିସ୍ତୃତ କଥାବାର୍ତ୍ତା କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକା ପକ୍ଷରୁ କୌଣସି ଆଲୋଚନା ହୋଇନଥିଲା । ଅସ୍ତ୍ରବିରତି ପାଇଁ ପାକିସ୍ତାନର ଅନୁରୋଧରେ ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଡିଜିଟାଲ ଟ୍ରାନ୍ସଫର୍ମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଏଲଏନଜି, ଖାଦ୍ୟ ସୁରକ୍ଷା, ଉଚ୍ଚଶିକ୍ଷା, ଶକ୍ତି ଯୋଗାଣକୁ ନେଇ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ମୁକ୍ତ ଓ ଅବାଧ ବାଣିଜ୍ୟ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ବାଣିଜ୍ୟିକ ସମ୍ପର୍କକୁ ପୁଣି ଆଗକୁ ନେବା ପାଇଁ ଦୁଇ ଦେଶର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଖୁବଶୀଘ୍ର ଆଲୋଚନା କରାଯିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ମାର୍କ କାର୍ଣ୍ଣି ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ କାନାଡା ପ୍ରଧାନମନ୍ତ୍ରୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଗତକାଲି ଜି-୭ ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ କ୍ରୋଏସିଆ ଗସ୍ତରେ ଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi Talked With Trump on phone About kashmir and Operation Sindoor | Argus News